କଟକ ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ଡ ଘଟଣାରେ ଆସିଲା ନୂଆ ତଥ୍ୟ: ବିଷ ଦେଇ ମାରିଥା’ନ୍ତେ !

କଟକ: କଟକ ବୃଦ୍ଧ ଦମ୍ପତିଙ୍କ ହତ୍ୟାକାଣ୍ଡ ଘଟଣାରୁ ଆହୁରି ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ହତ୍ୟାକାରୀମାନେ ପ୍ରଥମେ ଶ୍ରୀନାଥ ସାମଲଙ୍କୁ ଜବରଦସ୍ତ କୀଟନାଶକ ପିଆଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଏଥିରେ ସଫଳ ନହେବାରୁ କଟୁରିରେ ହାଣି ଉଭୟଙ୍କୁ ହତ୍ୟା କରିଥିବା କୁହାଯାଉଛି। ବେଡ୍‌ରୁମ୍‌ରୁ ମିଳିଥିବା କୀଟନାଶକ ଡବା, ଡାଇନି˚ ହଲ୍‌ର ଏକ ଟ୍ରେ ଉପରେ ରଖାଯାଇଥିବା ଦୁଇ ଗ୍ଲାସ୍‌ ପାଣି ଏହା ସ୍ପଷ୍ଟ କରୁଛି।

ଏଫ୍‌ସିଆଇ ଗ୍ରେଡ୍‌-୧ ଅଧିକାରୀ ଶ୍ରୀ ସାମଲ ଓ ତାଙ୍କ ପତ୍ନୀଙ୍କ ହତ୍ୟାକୁ ୪ ଦିନ ବିତିଲାଣି। ଶ୍ରୀନାଥଙ୍କ ବେଡ୍‌ରୁମ୍‌ରୁ ମିଳିଥିବା ଡାଏରିରେ କେବଳ ଭଡ଼ାଟିଆଙ୍କ ନାଁ, ମୋବାଇଲ୍‌ ନଂ, ମାସିକ ଭଡ଼ା, ଇଲେକ୍ଟ୍ରି ବିଲ୍‌ ଆଦି ଆଦି ଟିପା ଯାଇଛି। ହିସାବପତ୍ରରେ ବେଶ ସତର୍କ ଥିବାରୁ ସେ ଡାଏରିରେ ସମସ୍ତ ତଥ୍ୟ ରଖୁଥିଲେ। ସୁଧ ଟଙ୍କା ସମ୍ପର୍କରେ ବି ସେଥିରେ ଉଲ୍ଲେଖ କରିଥାନ୍ତି। ତେବେ ଡାଏରିରୁ ଭଡ଼ାଟିଆଙ୍କ ସ˚କ୍ରାନ୍ତରେ ଲେଖା ଥିବା ସମସ୍ତ ପୃଷ୍ଠା ଚିରା ହୋଇଥିବାରୁ ଏବେ ଭଡ଼ାଟିଆଙ୍କ ସଂପୃକ୍ତି ମଧ୍ୟ ସନ୍ଦେହକୁ ଅଧିକ ବଳିଷ୍ଠ କରୁଛି। ବ୍ରହ୍ମପୁର ରାଜମିସ୍ତ୍ରି ରହିବା ପୂର୍ବରୁ ଉକ୍ତ ଘରେ ଜାଇକାର ପ୍ରାୟ ୩ ଜଣ କର୍ମଚାରୀ ଭଡ଼ାରେ ରହୁଥିଲେ। ଗଲା ୧୪ ଦିନ ତଳେ ରାଜମିସ୍ତ୍ରିଙ୍କୁ ଘରୁ ଶ୍ରୀନାଥ ବିଦା କରିବା ପରେ ଜଣେ ହୋଟେଲ୍‌ କର୍ମଚାରୀ ରହିବା ପାଇଁ ୫ହଜାର ଟଙ୍କା ଆଡ୍‌ଭାନ୍ସ ରଖିଥିବା କୁହାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ହୋଟେଲ୍‌ କର୍ମଚାରୀ ଘରେ ରହିବାକୁ ଆସିନାହାନ୍ତି। କିନ୍ତୁ କାମବାଲି ସନ୍ଧ୍ୟାକୁ ଶ୍ରୀନାଥ ଉକ୍ତ ଭଡ଼ା ଘର ଧୋଇ ସଫା କରିବାକୁ କହିଥିଲେ। ତେବେ ଗତକାଲି କାମବାଲିକୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲେ ସୁଦ୍ଧା କୌଣସି ତଥ୍ୟ ତା’ ନିକଟରୁ ମିଳିପାରି ନାହିଁ। ତେଣୁ ପୁଲିସ ତାକୁ ଆଜି ଛାଡ଼ି ଦେଇଥିବା ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ପୁଲିସ କାମବାଲିଙ୍କ ସମେତ ପଡେ଼ାଶୀଙ୍କ ବୟାନ ରେକର୍ଡ କରିସାରିଥିବା ବେଳେ ମୃତ ଦମ୍ପତିଙ୍କ ପରିବାର ଲୋକେ ଯାଜପୁରରେ ଥିବାରୁ ଏଯାଏ ବୟାନ ରେକର୍ଡ କରାଯାଇ ନାହିଁ। ଆସନ୍ତାକାଲି ସେମାନଙ୍କ ବୟାନ ପୁଲିସ ରେକର୍ଡ କରିବାର ସମ୍ଭାବନା ରହିଛି। ଅନ୍ୟପଟେ ଗୋଟିଏ ଘର ଭିତରେ ଦୁଇ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ବେଡ୍‌ରୁମ୍‌ ବାହାରେ ଟୋପାଏ ବି ରକ୍ତ ନପଡ଼ିବାକୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହୋଇଛି। ହତ୍ୟା ପରେ ଦୁର୍ବୃତ୍ତଙ୍କ ହାତ କିମ୍ବା ଗୋଡ଼ରେ ରକ୍ତ ଲାଗିଥିବ। କିନ୍ତୁ ଘର ବାହାରେ କେଉଁଠାରେ ରକ୍ତ ପଡ଼ି ନଥିବାରୁ ହୁଏତ ଘରେ ଗୋଡ଼ ହାଇ ଧୋଇ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଖସିଯାଇଥିବା କୁହାଯାଉଛି।

ଅନ୍ୟପଟେ ଶ୍ରୀନାଥ ବେଲେଶ୍ବରରେ ଘର ତିଆରି କରିବା ପୂର୍ବରୁ ମହାନଦୀବିହାରରେ ଭଡ଼ାରେ ରହୁଥିଲେ। ସେଠାରେ ରହିବା ପରଠାରୁ ହିଁ ସୁଧ କାରବାର ଆରମ୍ଭ କରିଥିଲେ। ଅତି ପରିଚିତ ଲୋକ ନହେଲେ, ସେ ଟଙ୍କା ଦେଉ ନଥିଲେ। ସୁଧ କାରବାର ସମ୍ପର୍କରେ ଶ୍ରୀନାଥଙ୍କ ପୁଅ ରବୀନ୍ଦ୍ର ଜାଣିବା ପରେ ବିରକ୍ତ ହେଉଥିଲେ। ତେବେ ପିଲାଙ୍କ ଅଜାଣତରେ ବି ସେମାନେ ସୁଧ କାରବାର କରିଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ସୁଧ କାରବାର ଦିଗକୁ ବି ପୁଲିସ ଅଣଦେଖା କରୁନାହିଁ। ତେବେ ଗଲା ୧୨ତାରିଖ ସନ୍ଧ୍ୟା ୬ଟାରୁ ୭ଟା ଭିତରେ ହତ୍ୟାକାଣ୍ତ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ପୂରା ଘଟଣାକ୍ରମକୁ ନେଇ ଅଧିକ ତଥ୍ୟ ସାମନାକୁ ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର