ବିଧାନସଭାରେ ବରିଷ୍ଠ ନାଗରିକଙ୍କ ଚିନ୍ତା

୯ଟି ଜିଲ୍ଲାରେ ନିର୍ମାଣ ଚାଲିଛି ସରକାରୀ ଜରାଶ୍ରମ

ଭୁବନେଶ୍ବର : ବରିଷ୍ଠ ନାଗରିକମାନଙ୍କ ସାମାଜିକ ସୁରକ୍ଷା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ବହୁ ପରିବାରରେ ପିଲାମାନେ ସେମାନଙ୍କ ଦାୟିତ୍ବ ନେଉ ନାହାନ୍ତି। ସେମାନେ ହତାଦର ହେଉଛନ୍ତି। ସରକାର ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଜରାଶ୍ରମ ନିର୍ମାଣ କରିବାକୁ ବିଧାୟକମାନେ ଦାବି କରିଥିଲେ।

ଆଜି ବିଧାନସଭାର ପ୍ରଶ୍ନକାଳରେ ମୌଷଧି ବାଗଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟର ପ୍ରତି ବ୍ଲକ୍‌ରେ ଜରାନିବାସ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ? ଉତ୍ତର‌େର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥି‌େଲ, ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସରକାର ଜରାଶ୍ରମ ନିର୍ମାଣ କରିବେ। ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ସମ୍ବଲପୁର, କନ୍ଧମାଳ, ଭଦ୍ରକ, ମାଲକାନଗିରି, ଗଞ୍ଜାମ, ପୁରୀ ଓ ନବରଙ୍ଗପୁର। ଏହା ମଧ୍ୟରୁ କନ୍ଧମାଳ, ସମ୍ବଲପୁର ଓ ଖୋର୍ଦ୍ଧାରେ କାମ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ। ପ୍ରତି ଜରାଶ୍ରମରେ ୨୦୦ ବରିଷ୍ଠ ନାଗରିକଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଜମି ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାଗ କଳାହାଣ୍ଡିରେ ଏକ ଜରାଶ୍ରମ ନିର୍ମାଣ ପାଇଁ ଦାବି କରିଥିଲେ। ବିଧାୟକ ସୁରେଶ ରାଉତରାୟ ଭୁବନେଶ୍ବର ଆଖପାଖ ଅଞ୍ଚଳରେ ଜରାଶ୍ରମ ପାଇଁ ପ୍ରସ୍ତାବ ଦେଇଥି‌ଲେ। ସୁଧୀର ସାମଲ କିଛି ଏନ୍‌ଜିଓ ବିନା ଏନ୍‌ଓସିରେ ଜରାଶ୍ରମ ଚଳାଉଥିବା ନେଇ ଅଭିଯୋଗ କରିଥିଲେ। ପ୍ରଦୀପ ଅମାତ ଏନ୍‌ଜିଓମାନଙ୍କ ମାଧ୍ୟମରେ ରାଜ୍ୟରେ କେତେ ଜରାଶ୍ରମ ଚାଲିଛି ବୋଲି ଜାଣିବାକୁ ଚାହିଁଥିଲେ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ବିଭିନ୍ନ ଏନ୍‌ଜିଓ ମାଧ୍ୟମରେ ୪୧ଟି ଜରାଶ୍ରମ ଏବେ ଚାଲିଛି। କେନ୍ଦ୍ର ସରକାର ଏଥିପାଇଁ ଅନୁଦାନ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଅନୁଦାନରେ ୩ଟି ଜରାଶ୍ରମ ଚାଲିଛି। ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଏବଂ କଲ୍ୟାଣ ଆଇନ୍,୨୦୦୭ ଓ ଓଡ଼ିଶା ବରିଷ୍ଠ ନାଗରିକ ନୀତି,୨୦୧୬ ଅନୁସାରେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ବୃଦ୍ଧ/ବୃଦ୍ଧାମାନଙ୍କ ୨୮୬ଟି ପାରିବାରିକ ହିଂସା ମାମଲା ଦାଏର୍ ହୋଇଛି। ସେଥିରୁ ୧୧୯ଟି ଫଇସଲା ହୋଇଛି। ବୟସ୍କ ବ୍ୟକ୍ତିଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରତି ଥାନାରେ ‘ହେଲ୍‌ପ୍ ଡେସ୍କ’ ପ୍ରତିଷ୍ଠା କରାଯାଇଛି। ସେମାନଙ୍କ ପୁଅ କିମ୍ବା ଝିଅ ପଚାରୁ ନ ଥିଲେ, ପ୍ରତ୍ୟେକ ଜିଲ୍ଲାରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ନ୍ୟାୟାଳୟ ଗଠନ କରାଯାଇ ଆପତ୍ତି ଅଭିଯୋଗକୁ ବିଚାର କରାଯାଉଛି ଏବଂ ଭରଣ ପୋଷଣ ନିମିତ୍ତି ନ୍ୟାୟାଳୟ ଦ୍ବାରା ସେମାନଙ୍କ ସନ୍ତାନସନ୍ତତିକୁ ଆଦେଶ ପ୍ରଦାନ କରାଯାଉଛି। ପ୍ରତି ଜିଲ୍ଲାରେ ଥିବା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ‘ମେଣ୍ଟେନାନ୍ସ ଅଫିସର୍‌’ ଭାବେ ଘୋଷଣା କରାଯାଇଛି। ସେ ଉପଜିଲ୍ଲାପାଳ ଓ ଆରକ୍ଷୀ ଅଫିସ୍‌ ସହ ଯୋଗାଯୋଗ କରି ଏଥି ନିମିତ୍ତ ଦାଖଲ ହୋଇଥିବା ଅଭିଯୋଗ ଓ ଏହାର ଶୁଣାଣି ପାଇଁ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର