୧୦ ମାସ ହେଲା ମିଳୁନାହିଁ ପେନସନ୍, ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ବରିଷ୍ଠ ନାଗରିକ

ବୋଲଗଡ : ବୋଲଗଡ ବ୍ଲକ ଅନ୍ତର୍ଗତ ପିଚୁକୁଳି ଗ୍ରାମର ସ୍ବର୍ଗତ କପିଳେଶ୍ୱର ହୋତାଙ୍କ ପତ୍ନୀ ସରୋଜିନୀ ହୋତା ଗତ ୧୦ ମାସ ହେଲା ତାଙ୍କ ପେନସନ ପାଇ ନାହାଁନ୍ତି। ଖୋର୍ଦ୍ଧା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଜରିଆରେ ପାଉଥିବା ମାସିକ ୯ ହଜାର ୬୨୫ ଟଙ୍କାର ପରିବାର ପେନ୍‌ସନ୍‌ ପାଇଁ ଶ୍ରୀମତୀ ହୋତା ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଶ୍ରୀମତୀ ହୋତାଙ୍କ ଅଭିଯୋଗ ଅନୁଯାୟୀ, ସେ ବସ୍‌ରେ ଯାଉଥିବା ବେଳେ ପ୍ରାୟ ୧୦ ମାସ ତଳେ ତାଙ୍କ ପେନସନ ବହିଟି ହଜି ଯାଇଥିଲା। ଏ ନେଇ ସେ ବେଗୁନିଆ ଥାନାରେ ଏତଲା ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଜରିଆରେ ସତ୍ୟପାଠ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ର ଖୋର୍ଦ୍ଧା ଶାଖାରେ ଦାଖଲ କରିଥିଲେ। ହେଲେ ଗତ ୨୦୧୮ ମସିହା ନଭେମ୍ବର ୧୪ ତାରିଖରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ପେନସନ ପ୍ରଦାନ କରାଯାଉ ନାହିଁ ବୋଲି ଶ୍ରୀମତୀ ହୋତା ଅଭିଯୋଗ କରିଛନ୍ତି। ଏଥିପାଇଁ ଶ୍ରୀମତୀ ହୋତା ନାନା ଅଭାବ ଅନାଟନରେ ଜୀବନ କାଟୁଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ସ୍ବତନ୍ତ୍ର ଟ୍ରେଜେରି ଅଫିସକୁ ପଠାଉଛନ୍ତି, ସ୍ବତନ୍ତ୍ର ଟ୍ରେଜେରି ଅଫିସ ପୁଣି ତାଙ୍କୁ ବ୍ୟାଙ୍କ୍‌କୁ ପଠାଇ ଦେଉଛନ୍ତି। ହେଲେ କେହି ତାଙ୍କ କଥା ବୁଝୁ ନାହାଁନ୍ତି। ଏପରିକି ପେନସନ ବହିର ନକଲ ପାଇବା ପାଇଁ ଶ୍ରୀମତୀ ହୋତା ବାରମ୍ବାର ଭୁବନେଶ୍ବରସ୍ଥିତ ରାଜ୍ୟ ଆକାଉଣ୍ଟାଣ୍ଟ୍‌ ଜେନେରାଲଙ୍କ ଅଫିସ୍‌ର ପେନସନ୍‌ ବିଭାଗକୁ ଦୌଡ଼ୁଥିଲେ ମଧ୍ୟ ନିରାଶ ହୋଇ ଫେରୁଛନ୍ତି।ଏ ନେଇ ମ୍ରିୟମାଣ ଶ୍ରୀମତୀ ହୋତା ତୁରନ୍ତ ତାଙ୍କ ପେନ୍‌ସନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର