ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ଇଣ୍ଡିଆନ ରେଲୱେ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ (ଆଇଆର୍‌ସିଟିସି)ର ସହାଭାଗିତାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପର୍ଯ୍ୟଟନ ବିଭାଗ ୱେବସାଇଟ dot.odisha.gov.in ରେ ଉପଲବ୍ଧ। ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକମାନେ ସେମାନଙ୍କର ସମଗ୍ର ଜୀବନକାଳ ମଧ୍ୟରେ ଗୋଟିଏ ଥର ପାଇଁ  ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାତ୍ରା କରିବାର ସୁଯୋଗ ପାଇବେ। ଆଜି ପାନ୍ଥନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଯୋଜନାର ଲାଭ ନେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର ସଚିବ ବଲୱନ୍ତ ସିଂ ଓ ଆଇଆର୍‌ସିଟିସିର ଯୁଗ୍ମ ସାଧାରଣ ପରିଚାଳକ କ୍ରାନ୍ତି ସବରକର ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତାକାଲି ଜୁଲାଇ ୧୭ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ହିତାଧିକାରୀମାନେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ମାଧ୍ୟମରେ ପଞ୍ଜୀକରଣ କରିପାରିବେ।

Advertisment

ଅଗଷ୍ଟ ୧୫ ପର୍ଯ୍ୟନ୍ତ ନାମ ପଞ୍ଜୀକରଣ
ଦମ୍ପତିଙ୍କ କ୍ଷେତ୍ରରେ ଜଣେ ୬୦ ବର୍ଷରୁ ଊର୍ଧ୍ବ ବୟସ୍କ ହେବା ଆବଶ୍ୟକ 
ଆର୍ଥିକ ଅନଗ୍ରସରତାର ପ୍ରମାଣପତ୍ର ଜରୁରି

ଅନ୍‌ଲାଇନ୍‌ yatra.odisha.gov.inରେ ଏବଂ ଅଫ୍‌ଲାଇନରେ ବ୍ଲକ ଓ ଜିଲ୍ଲା ପ୍ରଶାସନରେ ଆବେଦନପତ୍ର ଦାଖଲ କରିପାରିବେ। ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଆବେଦନ ପତ୍ରର ଯାଞ୍ଚ କରାଯିବ। ଏହି ଯୋଜନାରେ ୬୦ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି, ଧର୍ମ ନିର୍ବିଶେଷରେ ଚୟନ କରାଯିବ। ହିତାଧିକାରୀ ଚୟନ ନିମନ୍ତେ ଅନ୍ତୋଦ୍ୟୋୟ, ଅନ୍ନପୂର୍ଣ୍ଣା କାର୍ଡ, ବିଧବା ଭତ୍ତା କାର୍ଡ, ଖାଦ୍ୟସୁରକ୍ଷା ରେସନ କାର୍ଡ ଓ ମନରେଗା କାର୍ଡ ଇତ୍ୟାଦି  ମଧ୍ୟରୁ ଯେକୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣପତ୍ର ସହ ଦରଖାସ୍ତ ଦାଖଲ କରିବାକୁ ପଡ଼ିବ। ବରିଷ୍ଠ ନାଗରିକ ଦମ୍ପତିଙ୍କ କ୍ଷେତ୍ରରେ ଯେକୌଣସି ଜଣେ ୬୦ରୁ ଊର୍ଧ୍ବ ବୟସ୍କ ହେବା ଆବଶ୍ୟକ। ୭୦ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକମାନେ ଯାତ୍ରା ସମୟରେ ନିଜ ସାଙ୍ଗରେ ୧୮ ବର୍ଷରୁ ଊର୍ଧ୍ବ ଜଣେ ବ୍ୟକ୍ତିଙ୍କୁ ସହାୟକ ଭାବରେ ନେଇପାରିବେ।

ତୀର୍ଥଯାତ୍ରୀ ଚୟନ କ୍ଷେତ୍ରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ କୋଟା ଅନୁଯାୟୀ ତୀର୍ଥଯାତ୍ରୀ ଚୟନ କରିଥା’ନ୍ତି। ଅଧିକ ଆବେଦନକାରୀ ହୋଇଗଲେ ଲଟେରି ମାଧ୍ୟମରେ ତୀର୍ଥଯାତ୍ରୀ ଚୟନ କରାଯାଇଥାଏ। ଅନୁପସ୍ଥିତ ତୀର୍ଥଯାତ୍ରୀମାନଙ୍କର ଭରଣ ନିମନ୍ତେ ୨୦% ତୀର୍ଥଯାତ୍ରୀଙ୍କର ଏକ ପ୍ରତୀକ୍ଷା ତାଲିକା ପ୍ରସ୍ତୁତ କରାଯାଇଥାଏ। ରାଜ୍ୟ ସରକାର ଉକ୍ତ ଯୋଜନା ମାଧ୍ୟମରେ ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବେ। ତୀର୍ଥଯାତ୍ରୀଙ୍କୁ ନିଜର ଗ୍ରାମରୁ ସମ୍ପୃକ୍ତ ରେଳ ଷ୍ଟେସନକୁ ପରିବହନ ଓ ପ୍ରତ୍ୟାବର୍ତ୍ତନର ସୁବିଧା, ଆଇଆରସିଟିସି ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବାଆସିବା ଓ ଖାଦ୍ୟ ପାନୀୟର ବ୍ୟବସ୍ଥା ହେବ। ଆଇଆର୍‌ସିଟିସି ଦ୍ୱାରା ଗସ୍ତ ଜଗୁଆଳୀ, ପଥପ୍ରଦର୍ଶକ, ଯାତ୍ରୀବୀମା ଓ ଚିକିତ୍ସା ସୁବିଧା ବି ଯୋଗାଇ ଦିଆଯିବ। ପ୍ରତ୍ୟେକ ପର୍ଯ୍ୟାୟର ତୀର୍ଥଯାତ୍ରା ଅବଧି ହାରାହାରି ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ଅଟେ। ସୂଚନାଯୋଗ୍ୟ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧି ୩୭,୫୫୫ ରୁ ଅଧିକ ବରିଷ୍ଠ ନାଗରିକ ୪୦ଟି ପର୍ଯ୍ୟାୟରେ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି। ପ୍ରତିଟି ପର୍ଯ୍ୟାୟରେ ୮୦୦ ଜଣ (୭୭୫ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଫିସର) ଯାତ୍ରା କରିଥାନ୍ତି।