ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରରୁ ଭେଲକାନୀ ଓ ତାଞ୍ଜୋର ଯାତ୍ରାରେ ସାମିଲ ହେଲେ ୧୦ହଜାର ବରିଷ୍ଠ ନାଗରିକ

ଭୁବନେଶ୍ୱର: ଶୁକ୍ରବାର ସଚିବାଳୟରୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ଭେଲକାନୀ ଓ ତାଞ୍ଜୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ। ଯାତ୍ରୀମାନେ ସେମାନଙ୍କ ପ୍ରତିକ୍ରିୟାରେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ ଏବଂ ତୀର୍ଥଯାତ୍ରା ପାଇଁ ସେମାନଙ୍କ ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

୨୦୧୬ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧୦ଟି ଟ୍ରେନ୍‌ରେ ୧୦ହଜାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା କରିଛନ୍ତି। ବ୍ରହ୍ମପୁର, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଟିଟଲାଗଡ଼ ଆଦି ସ୍ଥାନରୁ ଯାତ୍ରୀମାନେ ରାମେଶ୍ୱରମ୍‌, ମଦୁରାଇ, ଅଲ୍ଲାବାଦ, ବାରାଣାସୀ, ଋିଷିକେଶ, ହରିଦ୍ୱାର, ଆଜମେର, ପୁଷ୍କର, ତିରୁପତି, ଭେଲୋର, ଶିରିଡି, ନାସିକ, ତ୍ରୟଂମ୍ବକେଶ୍ୱର, ଆଗ୍ରା, ଫେତେପୁରସିକ୍ରି, ମଥୁରା ଆଦି ସ୍ଥାନକୁ ଯାତ୍ରା କରିଛନ୍ତି। ଚଳିତ ବର୍ଷ ଆଉ ଦୁଇଟି ଟ୍ରେନ୍‌ରେ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ରହିଛି।

ସଚିବାଳୟରେ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ସଚିବ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ରହ୍ମପୁର ରେଳଷ୍ଟେସନ୍‌ରେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ପୁଲଓ୍ଵାମାରେ ସହିଦ ହୋଇଥିବା ସି.ଆର୍‌.ପି.ଏଫ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର