ସମ୍ବାଦ ଭବନରେ ବରିଷ୍ଠ ନାଗରିକ ସମାବେଶ

ସମ୍ବଲପୁର: ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜ ଓ ପରିବାର ପାଇଁ ଜ୍ଞାନର ଉତ୍ସ, ଅଭିଜ୍ଞତାର ଗନ୍ତାଘର। ନିଜ ପରିବାର ଓ ସମାଜକୁ ଭଲ ବାଟରେ ନେବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ନୈତିକ ଶିକ୍ଷା ପ୍ରତିଟି ଶିଶୁ, ଯୁବକ ଓ ସମାଜ ପାଇଁ ଅତି ଜରୁରୀ ଯାହା ବରିଷ୍ଠ ତଥା ଗୁରୁଜନମାନେ ହିଁ ଦେଇଥାନ୍ତି ବୋଲି ସମ୍ବଲପୁର ‘ସମ୍ବାଦ ଭବନ’ରେ ଅନୁଷ୍ଠିତ ବରିଷ୍ଠ ନାଗରିକ ସମାବେଶରେ ବକ୍ତାମାନେ କହିଛନ୍ତି। ‘ସମ୍ବାଦ’ ଓ ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସମାଜର ମିଳିତ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ଏହି ସମାବେଶକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ବିଧୁ ଭୂଷଣ ମିଶ୍ର କହିଲେ, ବର୍ତ୍ତମାନ ସମାଜରେ ଯୁବପିଢ଼ି ବିପଥଗାମୀ ହେବାର ଦେଖାଯାଉଛି।

ଉପଯୁକ୍ତ ଶିକ୍ଷା ଓ ସଂସ୍କାର ସହ ଟିକିଏ ସ୍ନେହ, ସଦିଚ୍ଛା ଦେଖାଇଲେ ସେମାନେ ଅବାଟରେ ଯିବେ ନାହିଁ। ଏହା ବରିଷ୍ଠ ନାଗରିକମାନଙ୍କଠାରୁ ସ୍ବତଃସ୍ଫୁର୍ତ ଭାବେ ମିଳିଥାଏ। ଶିକ୍ଷା ହେଉଛି ସମାଜ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ଶିକ୍ଷାଦାନଠୁ ବଡ଼ ଦାନ ନାହିଁ କି ଏହାଠୁ ବଳି ଆଉ ପୂଣ୍ୟ ନାହିଁ। ଏଥି ପାଇଁ ଖର୍ଚ୍ଚ କରିବାକୁ ପଡ଼େ ନାହିଁ କି ଏହା କେବେ ସରେ ନାହିଁ। ସମାଜ ଓ ପରିବାରକୁ ଉପଯୁକ୍ତ ଶିକ୍ଷା ଦେବାର ଗୁରୁ ଦାୟିତ୍ବ ବରିଷ୍ଠ ନାଗରିକମାନେ ହିଁ ତୁଲାଇଥାଆନ୍ତି। ହେଲେ ବରିଷ୍ଠ ନାଗରିକମାନଙ୍କୁ ବି ପ୍ରତିବଦଳରେ ସେମିତି ସମ୍ମାନ ଓ ଗୁରୁତ୍ବ ଦେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ପ୍ରଫେସର ମିଶ୍ର କହିଥିଲେ।

କ‌ାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବରିଷ୍ଠ ନାଗରିକମାନେ ଅଭିଜ୍ଞତାର ଗନ୍ତାଘର। ସେମାନେ ନିଜର ଅବଶିଷ୍ଟ ଜୀବନକୁ କ୍ରିକେଟ୍‌ର ଟି୨୦ ମ୍ୟାଚ୍‌ ଭଳି ଖେଳିବା (ଜିଇଁବା) ଦରକାର। ଟି୨୦ରେ ଯେମିତି କମ୍ ଓଭର୍‌ରେ ଅଧିକ ରନ୍ କରିବାକୁ ପଡ଼ିଥାଏ, ଆମକୁ ନିଜ ଅବଶିଷ୍ଟ ଜୀବନରେ ଅଧିକ କାମ କରି ଯିବାର ଅଛି। ବର୍ତ୍ତମାନ ଭାରତୀୟ ଗଣତନ୍ତ୍ର ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି। କେହି କାହାକୁ ମାନିବା ସ୍ଥିତିରେ ନାହାନ୍ତି। ଏଭଳି ସମୟରେ ବରିଷ୍ଠ ନାଗରିକଙ୍କ ଅଭିଜ୍ଞତା ଓ କାର୍ଯ୍ୟ ଦେଶକୁ ଠିକ୍‌ ବାଟରେ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ।

ସମାବେଶରେ ମୁଖ୍ୟବକ୍ତାଭାବେ ଯୋଗଦେଇ ସର୍ବଭାରତୀୟ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଫୁଲ୍ଲ ହୋତା କହିଲେ, ବର୍ତ୍ତମାନ ଭାରତରେ ୧୪ କୋଟିରୁ ଅଧିକ ବରିଷ୍ଠ ନାଗରିକ ଅଛନ୍ତି। ସେମାନେ ସାରା ବିଶ୍ବର ବରିଷ୍ଠ ନାଗରିକଙ୍କ ସଂଖ୍ୟାର ଏକ ଦଶମାଂଶ। ଏକଦା ବରିଷ୍ଠ ନାଗରିକମାନେ ଦେଶ ଓ ସମାଜର ସମ୍ପତ୍ତି ଥିଲେ। ହେଲେ ଏବେ ସମାଜରେ ସେମାନଙ୍କ ଗୁରୁତ୍ବ ହ୍ରାସ ପାଉଛି। ବରିଷ୍ଠ ନାଗରିକଙ୍କୁ ବୋଝ ବୋଲି ମନେ କରାଯାଉଛି ଯାହା ଚିନ୍ତାର ବିଷୟ ବୋଲି ସେ ମତ ରଖିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲା ବରିଷ୍ଠ ନାଗରିକ ସମାଜର ଉପସଭାପତି ନାରାୟଣ ନାୟକ ବରିଷ୍ଠ ନାଗରିକଙ୍କ ଅଧିକାର ଓ ସମସ୍ୟା ସଂପର୍କରେ କହିଥିଲେ। ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଳଯାତ୍ରାରେ ମିଳୁଥିବା ରିହାତି ଉଠାଇ ନିଆଯାଇଛି। ସବୁ ଜିଲ୍ଲାରେ ସେମାନଙ୍କ ପାଇଁ ଏକ କାର୍ଯ୍ୟାଳୟ ବା ଗୃହ ନାହିଁ। ଏସବୁ ସମସ୍ୟା ସଂପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଏବଂ ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ସମ୍ବଲପୁର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ କାର୍ଯ୍ୟାଳୟ ଗୃହଟିଏ ନଥିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ।

ଧ୍ରୁବ ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ସୁବ୍ରତ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହା ପ୍ରଥମ ସମାବେଶ ହୋଇଥିଲାବେଳେ ଆଗକୁ ପ୍ରତି ମାସରେ ଏଭଳି ସମାବେଶ ଆୟୋଜନ ହେବ ବୋଲି ସେ କହିଥିଲେ। ବରିଷ୍ଠ ନାଗରିକ ସମାଜର ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡା ବିବରଣୀ ଉପସ୍ଥାପନ କରିଥିଲେ। ବିଗତ ଦିନରେ ସଂଗଠନ ପକ୍ଷରୁ ଯୋଗ, ‌ବୃକ୍ଷରୋପଣ, ବସ୍ତ୍ର ବଣ୍ଟନ, ପ୍ରବଚନ, ଭ୍ରମଣ, ବୟୋବନ୍ଦନା, ରାମାନୁଜନ୍ ଗଣିତ ପରୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଥିବା ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କ ଜନ୍ମଦିନ ପାଳନ କରା ଯାଇଥିଲା। ସେମାନଙ୍କୁ ଫୁଲମାଳ ପିନ୍ଧାଇ ବନ୍ଦନା କରା ଯାଇଥିଲା। ଜନ୍ମଦିନ ପାଳନ କାର୍ଯ୍ୟକ୍ରମକୁ ସୌମ୍ୟରଂଜନ ସେନ ସଂଯୋଜନା କରିଥିଲେ। ଆରମ୍ଭରୁ ବରିଷ୍ଠ ସଦସ୍ୟ ଅରବିନ୍ଦ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ତ୍ରିଲୋଚନ ତ୍ରିପାଠୀ ଅବାହନୀ ସଂଗୀତ ଗାଇଥିବାବେଳେ ଶାନ୍ତି ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ‌ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର