ଅବଶିଷ୍ଟ ଜୀବନକୁ ଟି-୨୦ ମ୍ୟାଚ୍ ଭଳି ଖେଳନ୍ତୁ: ସୌମ୍ୟ

ସମ୍ବଲପୁର : ଶିକ୍ଷାଦାନଠୁ ଆଉ ବଡ଼ ଦାନ ନାହିଁ କି ଏହାଠୁ ବଳି ଆଉ ପୁଣ୍ୟ ନାହିଁ। ଆଉ ସମାଜ ଓ ପରିବାରକୁ ଉପଯୁକ୍ତ ଶିକ୍ଷା ଦେବାର ଗୁରୁ ଦାୟିତ୍ବ ବରିଷ୍ଠ ନାଗରିକମାନେ ହିଁ ତୁଲାଇଥାଆନ୍ତି। ହେଲେ ବରିଷ୍ଠ ନାଗରିକମାନଙ୍କୁ ବି ପ୍ରତିବଦଳରେ ସେମିତି ସମ୍ମାନ ଓ ଗୁରୁତ୍ବ ଦେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ବିଧୁ ଭୂଷଣ ମିଶ୍ର କହିଛନ୍ତି। ‘ସମ୍ବାଦ’ ଓ ‘ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସମାଜ’ର ମିଳିତ ଆନୁକୂଲ୍ୟରେ ଶନିବାର ଅନୁଷ୍ଠିତ ବରିଷ୍ଠ ନାଗରିକ ସମାବେଶକୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ପ୍ରଫେସର ମିଶ୍ର ଏହା କହିଥିଲେ।

ସମ୍ବାଦ ଭବନରେ ବରିଷ୍ଠ ନାଗରିକ ସମାବେଶ
ଶିକ୍ଷାଦାନଠୁ ବଡ଼ ଦାନ ନାହିଁ: ପ୍ରଫେସର ବିଧୁଭୂଷଣ

କ‌ାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ବରିଷ୍ଠ ନାଗରିକମାନେ ଅଭିଜ୍ଞତାର ଗନ୍ତାଘର। ସେମାନେ ନିଜର ଅବଶିଷ୍ଟ ଜୀବନକୁ କ୍ରିକେଟ୍‌ର ଟି-୨୦ ମ୍ୟାଚ୍‌ ଭଳି ଖେଳିବା (ଜିଇଁବା) ଦରକାର। ଟି-୨୦ରେ ଯେମିତି କମ୍ ଓଭର୍‌ରେ ଅଧିକ ରନ୍ କରିବାକୁ ପଡ଼ିଥାଏ, ଆମକୁ ନିଜ ଅବଶିଷ୍ଟ ଜୀବନରେ ଅଧିକ କାମ କରି ଯିବାର ଅଛି ବୋଲି ମତ ଦେଇଥିଲେ। ସମାବେଶରେ ମୁଖ୍ୟବକ୍ତାଭାବେ ଯୋଗଦେଇ ସର୍ବଭାରତୀୟ ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଫୁଲ୍ଲ ହୋତା କହିଲେ,ଏକଦା ବରିଷ୍ଠ ନାଗରିକମାନେ ଦେଶ ଓ ସମାଜର ସମ୍ପତ୍ତି ଥିଲେ। ହେଲେ ଏବେ ସମାଜରେ ସେମାନଙ୍କ ଗୁରୁତ୍ବ ହ୍ରାସ ପାଉଛି ବୋଲି ଶ୍ରୀ ହୋତା ଚିନ୍ତା ପ୍ରକଟ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ନାଗରିକ ସମାଜର ଉପସଭାପତି ନାରାୟଣ ନାୟକ ଅଧ୍ୟକ୍ଷତା କରିଥିଲେ। ଧ୍ରୁବ ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ସୁବ୍ରତ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ‘ସମ୍ବାଦ ଭବନ’ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର