କଟକ : କଟକ ଜିଲ୍ଲା ଡମପଡ଼ା ନିକଟ ପାଥପୁରର ଜଣେ ବିଧବା ମହିଳାଙ୍କ ଜମି ଜାଲିଆତି କରି ବିକ୍ରି କରାଯିବା ସଂପର୍କିତ ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରି ପଦକ୍ଷେପ ନେବାକୁ କ୍ରାଇମବ୍ରାଞ୍ଚ ଏସ୍ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଥପୁରର ୮୨ ବର୍ଷୀୟା ମହିଳା ଭାନୁମତି ଦେବୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମମାଲାର ବିବରଣୀରୁ ପ୍ରକାଶ ଯେ, ଭାନୁମତୀଙ୍କ ସ୍ବାମୀଙ୍କ ମୃତ୍ୟୁ ୩୦ ବର୍ଷ ତଳେ ହୋଇଥିଲା। ଭାନୁମତୀଙ୍କ ସ୍ବାମୀ ଓ ଶ୍ବଶୁରଙ୍କ ନାଁରେ ଥିବା ଜମିକୁ ୨୦୧୪ରୁ ୨୦୧୬ ମଧ୍ୟରେ ଆଇଓସିଏଲକୁ ଜାଲିଆତି କରି ବିକ୍ରି କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହି ଘଟଣାରେ ତାଙ୍କ ବଡ଼ ପୁଅ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ହାତ ଥିଲା। ଏହି ଜମି ବିକ୍ରି ପାଇଁ ତାଙ୍କର ଓ ସାନ ଦୁଇ ପୁଅଙ୍କ କୌଣସି ସମ୍ମତି ନଥିଲା। ଜମି ବାବଦ ଅର୍ଥ ମଧ୍ୟ ଭାନୁମତୀଙ୍କୁ ମିଳି ନଥିଲା। ଏଭଳି ଜାଲିଆତି ଦ୍ବାରା ପରିଣତ ବୟସରେ ଭାନୁମତୀ ଏକ ପ୍ରକାର ଅସହାୟ ହୋଇ ପଡିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ୨୦୨୦, ଜୁଲାଇ୧୪ରେ ଭାନୁମତୀ କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଭାନୁମତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗୃହସଚିବ, ପୁଲିସ ଡିଜି ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କଳିଙ୍ଗକେଶରୀ ମହାପାତ୍ର, ବିପ୍ଳବ ବାହାଲି ଓ ସୁଶୀଲ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।