ହିଞ୍ଜିଳି ତହସିଲ୍‌ ଅଫିସ୍‌ ଭିତରେ ଲାଞ୍ଚ, ୧୦ ହଜାର ନେଇ ଧରାପଡ଼ିଲେ ବରିଷ୍ଠ କିରାଣି

ହିଂଜିଳିକାଟୁ : ଜମିପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ହିଞ୍ଜିଳିକାଟୁ ତହସିଲ ଅଫିସ୍‌ର ବରିଷ୍ଠ କିରାଣି (ସିନିୟର୍‌ ରେଭିନ୍ୟୁ ଆସିଷ୍ଟାଣ୍ଟ୍‌) ଏନ୍‌.ଜଗଦୀଶ ରାଓ। ବ୍ରହ୍ମପୁର ଭିଜିଲାନ୍ସ କେସ୍ ନମ୍ବର ୧୧/୨୨ରେ ତାଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ସୂଚନା ଅନୁସାରେ, ହିଞ୍ଜିଳିର ନୀଳାମ୍ବର ମହାନ୍ତି ଜମିପଟ୍ଟା ପାଇଁ ସ୍ଥାନୀୟ ତହସିଲ ଅଫିସ୍‌ରେ ଆବେଦନ କରିଥିଲେ। ଏଥିପାଇଁ ବରିଷ୍ଠ କିରାଣି ଜଗଦୀଶ ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ନୀଳାମ୍ବର ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ନୀଳାମ୍ବର ଲାଞ୍ଚ ବାବଦ ଟଙ୍କା ଧରି ହିଞ୍ଜିଳି ତହସିଲ୍‌ ଅଫିସ୍‌କୁ ଯାଇଥିଲେ। ବରିଷ୍ଠ କିରାଣି ଜଗଦୀଶଙ୍କୁ ଟଙ୍କା ଦେଇ ସାରିବା ପରେପରେ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ଭିଜିଲାନ୍ସ ଅଧିକାରୀମାନେ ଜଗଦୀଶଙ୍କ ଠାରୁ ଲାଞ୍ଚ ବାବଦ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ଏହାସହିତ ବ୍ରହ୍ମପୁର ଅମ୍ବିକାନଗରସ୍ଥିତ ଜଗଦୀଶଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର