ଫୁଲବାଣୀ : ଫୁଲବାଣୀ ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କଠାରୁ ଏରିଅର ବିଲ୍ ପାସ୍ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ଟ୍ରେଜେରି କାର୍ଯ୍ୟାଳୟର ବରିଷ୍ଠ କିରାଣି ଅରୂପ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଅଭିଯୋଗକାରୀ ଶ୍ରୀ ପାଣିଗ୍ରାହୀ ୨୦୧୪ ମସିହାରେ ଅବସର ଗ୍ରହଣ କରିଥିବା ବେଳେ ଏରିଅର ବାବଦକୁ ୨ ଲକ୍ଷ ୧୮ହଜାର ୭୯୫ ଟଙ୍କା ପାଇବାର ଥିଲା। ଏହି ଏରିଅର ବିଲ୍ ପାସ୍ କରିବାକୁ ଶ୍ରୀ ମିଶ୍ର ୩ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଅଭିଯୋଗକାରୀ ଶ୍ରୀ ପାଣିଗ୍ରାହୀ ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପିଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ଶ୍ରୀ ପାଣିଗ୍ରାହୀ ଆଜି ସକାଳ ୧୧ ଟା ସମୟରେ ଜିଲ୍ଲା ଟ୍ରେଜେରି କାର୍ଯ୍ୟାଳୟକୁ ଯାଇ ଶ୍ରୀ ମିଶ୍ରଙ୍କୁ ୩ ହଜାର ଟଙ୍କା ଦେଇଥିଲେ। ତେବେ ପୂର୍ବରୁ ପ୍ରସ୍ତୁତ ରହିଥିବା ବ୍ରହ୍ମପୁର ଭିଜିଲାନସ ଅଧିକାରୀ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ ଶ୍ରୀ ମିଶ୍ରଙ୍କୁ ଗିରଫ କରିଥିଲେ।
୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜିଆର୍ଏସ୍
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ ସିମନବାଡ଼ି ଗ୍ରାମ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ ହୋଇଥିବା କୂଅର ଫାଇନାଲ୍ ବିଲ୍ କରିବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜିଆର୍ଏସ୍ ଦିଲ୍ଲୀପ କୁମାର ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଫୁଲବାଣୀ ଭିଜିଲାନ୍ସ ଡିଏସ୍ପି ରତିକାନ୍ତ ସୁନା ଓ ଟିମ୍ ସିମନବାଡ଼ି ପଂଚାୟତ କାର୍ଯ୍ୟଳୟରେ ଚଢ଼ଉ କରି ଅଭିଯୁକ୍ତ ଜିଆର୍ଏସ୍ଙ୍କୁ ଗିରଫ କରିଥିବା ଜଣାପଡ଼ିଛି।