ବରିଷ୍ଠ କଂଗ୍ରେସ ନେତା କିଶୋର ପରିଚ୍ଛାଙ୍କ ପରଲୋକ

କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଯାଜପୁର କଳିଙ୍ଗନଗରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ

ଲରମ୍ଭା/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ତଳୀର ବରିଷ୍ଠ କଂଗ୍ରେସ ନେତା କିଶୋର ପରିଚ୍ଛା (୬୪ବର୍ଷ)ଙ୍କ ସୋମବାର ପରଲୋକ ଘଟିଛି। ଗତ ୧୬ ତାରିଖ ଦିନ ସେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଉଚ୍ଚତର ଚିକିତ୍ସା ପାଇଁ ଯାଜପୁର କଳିଙ୍ଗନଗରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ୫ଟା ୫୦ ମିନିଟ ସମୟରେ ତାଙ୍କ ପରଲୋକ ଘଟିଛି। ଯାଜପୁରରେ ତାଙ୍କ ସ୍ତ୍ରୀ ସୁଜାତା ପରିଚ୍ଛା, ପୁଅ ଶିବନାନ୍ଦ ପରିଚ୍ଛା, ଝିଅ ସିପ୍ରା ପରିଚ୍ଛା, ଜ୍ବାଇଁ ପ୍ରସନ୍ନଜିତ୍ ପଟ୍ଟନାୟକ ଉପସ୍ଥିତଥିଲେ। ଦିନ ୧୧ଟାରେ ପରିବାର ଲୋକଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ହସ୍ତାନ୍ତର କଲା ପରେ କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ଯାଜପୁର ପୌରପାଳିକକା ଅନ୍ତର୍ଗତ ମହାସ୍ନାନସ୍ଥିତ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ପୁଅ ଶିବାନନ୍ଦ ମୁଖାଗ୍ନି ଦେଇଥିଲେ।

ସୂଚନାଯାଗ୍ୟ ଯେ ସ୍ବର୍ଗତ ପରିଚ୍ଛା ୨୦୦୬ ମସିହାରେ କଂଗ୍ରେସରେ ଯୋଗଦେଇ ପିସିସି ସଦସ୍ୟ ହୋଇଥିଲେ। ୨୦୦୮ ମସିହାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ମନୋନୀତ ହୋଇ ରାଜ୍ୟ ଉପସଭାପତି ହୋଇଥିଲେ। ଏହା ସହିତ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ପାଟଣାଗଡ଼ ପାଟେଣେଶ୍ବରୀ ହାଲୁକା ମଟର ଚାଳକ ସଂଘର ସଭାପତି ରହି ଆସୁଥିଲେ। ବଲାଙ୍ଗୀର କେନ୍ଦୁପତ୍ର ସର୍କଲରେ ଥିବା ୮ଟି ଡିଭିଜନରେ ନିୟୋଜିତ ୪ ଲକ୍ଷ ସିଜନାଲ କର୍ମଚାରୀ ଓ ଶ୍ରମିକଙ୍କ ହୃଦୟରେ ସେ ରାଜ୍ କରୁଥିଲେ। ତାଙ୍କ ବିୟୋଗରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ପାଟଣାଗଡ଼ ବିଧାୟକ ସରୋଜ ମେହେର, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ମିଶ୍ର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର