ବାହିନୀପତିଙ୍କ ଘରେ ରୁଦ୍ଧଦ୍ୱାର ବୈଠକ : ଦୁଇ ବିଧାୟକ ଓ କାର୍ଯ୍ୟକାରୀ ସଭାପତି ଅନୁପସ୍ଥିତ

କୋରାପୁଟ : କୋରାପୁଟ କଂଗ୍ରେସର କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବହିନୀପତିଙ୍କ କୋରାପୁଟ ଘରେ କଂଗ୍ରେସର କିଛି ଟାଣୁଆ ନେତା ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ସମେତ ଏକାଧିକ ବ୍ଲକ କଂଗ୍ରେସ ସଭାପତି ଓ ଛାମୁଆ ନେତାମାନେ ଉପସ୍ଥିତ ଥିଲେ। ବୈଠକରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ, ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା ଏବଂ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ ଅନୁପସ୍ଥିତ ଥିଲେ।

ଉଭୟ ଶ୍ରୀ ଶଗରିଆ ଓ ଶ୍ରୀ କୁଲେସିକାଙ୍କ ସହ ତାରାଙ୍କ ସହ ଭଲ ସଂପର୍କ ନ ଥିବା ଚର୍ଚ୍ଚା ହେଉଥିଲା। ହେଲେ ଶ୍ରୀ ଶଗରିଆ ବୌଦ୍ଧ ଧର୍ମ ଗ୍ରହଣ କରିବା ପରେ କଂଗ୍ରେସ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। ବିବାଦ ବଢୁଥିବା ବେଳେ ଆଜି ବାହିନୀପତି ଘରର ବୈଠକକୁ ବିଭିନ୍ନ ମହଲ ଗୁରୁତ୍ୱ ଦେଉଛନ୍ତି।

ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ରୁପକ ତୁରୁକଙ୍କୁ ମଧ୍ୟ ବୈଠକରେ ବିରୋଧ କରାଯାଇଥିବା ସୂଚନା ମିଳିଛି। ସେହିପରି କୃଷ୍ଣ ଓ କୁଲେସିକାଙ୍କ ବିରୋଧରେ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି। ଯଦି ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ସଭାନେତ୍ରୀ ପଦରୁ ମିନାକ୍ଷୀ ଇସ୍ତଫା ଦେବାକୁ ଧମକ ଦେଇଥିବା ଜଣାପଡିଛି। ତେବେ ଦଳୀୟ ନେତାମାନେ ତାଙ୍କୁ ବୁଝାସୁଝା କରିଥିଲେ।

ବୈଠକରେ ବୈଠକ ପରେ ବିଧାୟକ ଶ୍ରୀ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି ଯେ, ଜୟପୁରରେ ହୋଇଥିବା କଂଗ୍ରେସ ବୈଠକ ସଫଳ ହୋଇଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସେହିପରି ମିନାକ୍ଷୀ ବାହିନୀପତିଙ୍କୁ ସଭାନେତ୍ରୀ ଭାବେ ପୁଣି ଥରେ ମନୋନୀତ କରାଯାଇଥିବାରୁ ଏଆଇସିସିକୁ ଦଳୀୟ ନେତାମାନେ ଧନ୍ୟବାଦ ଜଣାଇଥିଲେ। ଅପରପକ୍ଷରେ ମିନାକ୍ଷୀ କହିଛନ୍ତି ଯେ, ବୈଠକକୁ ସମସ୍ତଙ୍କୁ ଡକା ଯାଇଥିଲା। କୋରାପୁଟ ବିଧାୟକ ବାହାରେ ଥିବାରୁ ଏବଂ ଲକ୍ଷ୍ମୀପୁର ବିଧାୟକଙ୍କର ବ୍ୟକ୍ତିଗତ କାମ ଥିବାରୁ ସେମାନେ ଆସି ପାରିନାହାନ୍ତି। ଦଳକୁ କେମିତି ମଜଭୁତ କରାଯିବ ସେଥିନେଇ ବୈଠକରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର