‘ସମ୍ବାଦ’ର ବରିଷ୍ଠ କର୍ମଚାରୀ ପ୍ରମୋଦ ଶତପଥୀଙ୍କ ପରଲୋକ, ବାତିଲ୍‌ ହେଲା ‘ସମ୍ବାଦ’ର ସ୍ୱନକ୍ଷତ୍ର ଉତ୍ସବ

ଭୁବନେଶ୍ୱର : ଭୁବନେଶ୍ୱର ମୁଖ୍ୟାଳୟରେ ଷ୍ଟୋର ମ୍ୟାନେଜର ଭାବେ ଅବସ୍ଥାପିତ ‘ସମ୍ବାଦ’ର ବରିଷ୍ଠ କର୍ମଚାରୀ ପ୍ରମୋଦ କୁମାର ଶତପଥୀ(୫୭)ଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କର ଏଭଳି ଆକସ୍ମିକ ବିୟୋଗରେ ଶୋକର ଛାୟା ଖେଳି ଯାଇଥିବାବେଳେ ଆସନ୍ତାକାଲି ହେବାକୁ ଥିବା ‘ସମ୍ବାଦ’ର ୩୭ତମ ସ୍ୱନକ୍ଷତ୍ର ଉତ୍ସବକୁ ବାତିଲ କରାଯାଇଛି।

ଗତ ସେପ୍ଟେମ୍ବର ୩୦ ତାରିଖରେ ଶ୍ରୀ ଶତପଥୀ ଅଣ୍ଟା ଓ ପେଟରେ ବ୍ୟଥା ଅନୁଭବ କରି ଆସୁଥିଲେ। ମଧୁମେହରେ ପୀଡ଼ିତ ଥିବାରୁ ସହକର୍ମୀମାନଙ୍କ ପରାମର୍ଶକ୍ରମେ ଆଜି ସକାଳେ ସେ ତାଙ୍କର କୋଭିଡ୍ ପରୀକ୍ଷା କରିବାକୁ ଯାଇଥିଲେ। ପରୀକ୍ଷା କରିସାରି ଘରକୁ ଫେରିବା ପରେ ଦୁର୍ବଳତା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ। ପରେ କିଛି ସମୟ ପାଇଁ ଶୋଇ ପଡ଼ିଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ନିଦରୁ ନ ଉଠିବାରୁ ତାଙ୍କୁ ତୁରନ୍ତ ସମ୍‌ ଅଲଟିମେଟ୍ ହସ୍ପିଟାଲ୍‌ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୬୩ ମସିହା ଜାନୁଆରି ୧୧ ତାରିଖରେ ନୟାଗଡ଼ ଘଡ଼ୁଆଳରେ ଜନ୍ମିତ ପ୍ରମୋଦ ୧୯୮୮ ମସିହା ଜୁନ୍‌ ୭ ତାରିଖରେ ‘ସମ୍ବାଦ’ରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୩୨ ବର୍ଷ ଧରି ସଫଳତାର ସହ କାର୍ଯ୍ୟ ତୁଲାଇ ସେ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ଦୀର୍ଘଦିନ ଧରି ସେ ରାଜଧାନୀର ଗୋଠପାଟଣାରେ ସପରିବାର ରହି ଆସୁଥିଲେ। କୋଭିଡ୍‌ ପରୀକ୍ଷା କରାଇବା ପାଇଁ ସହକର୍ମୀମାନେ କହିବାରୁ ଆଜି ଯାଇ କରୋନା ପରୀକ୍ଷା କରାଇ ଆସିଥିଲେ। ପୁଅ ପ୍ରଦୀପ୍ତ ଶତପଥୀ ହାଇଦ୍ରାବାଦରେ କାର୍ଯ୍ୟରତ ଥିବାରୁ ତାଙ୍କୁ ସେଠାରୁ ଡକାଇଥିଲେ। ବିବ‌ାହ କରି ସାରିଥିବା ଝିଅ ପ୍ରଲିପ୍ତା ଶତପଥୀ ଲଣ୍ଡନରେ ରହୁଥିବାରୁ ତାଙ୍କୁ ମଧ୍ୟ ଡକାଇଥିଲେ। ମାତ୍ର ଶେଷରେ ପୁଅ ଝିଅଙ୍କୁ ଦେଖିନପାରି ସେ ଆରପାରିକୁ ଚାଲିଗଲେ। ମର ଶରୀର ନିକଟରେ ତାଙ୍କ ପତ୍ନୀ ଉଷାରାଣୀ ଶତପଥୀ ଓ ବନ୍ଧୁ ସହକର୍ମୀମାନେ ଉପସ୍ଥିତ ଥିଲେ।

ପ୍ରମୋଦଙ୍କ ବିୟୋଗରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ତନୟ‌ା ପଟ୍ଟନାୟକ, ଫିଚର ସଂପାଦକ ଗୌରହରି ଦାସ, ସିଓଓ କମଳାକାନ୍ତ ମହାପାତ୍ର, ବାର୍ତ୍ତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ମାନବସମ୍ବଳ ବିଭାଗର ଉପମହାପ୍ରବନ୍ଧକ ବୈଜୟନ୍ତୀ କର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ ସହକର୍ମୀମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହିତ ଆସନ୍ତାକାଲି ୩୭ତମ ସ୍ବନକ୍ଷତ୍ର ଦିବସ ଅବସରରେ ‘ସମ୍ବାଦ’ ଭବନରେ ହେବାକୁ ଥିବା ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଓ ପୁରସ୍କାର ବିତରଣ ଉତ୍ସବ ବାତିଲ୍‌ କରାଯାଇଛି। ଏହି ଉତ୍ସବରେ ପୁରସ୍କୃତ ହେବାକୁ ଥିବା ସମସ୍ତ କୃତୀ ପ୍ରତିଯୋଗୀମାନଙ୍କ ଘରକୁ ସେମାନଙ୍କର ପୁରସ୍କାର ରାଶି ପଠାଇ ଦିଆଯିବ ବୋଲି ସିଓଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର