ଭୁବନେଶ୍ୱର: ଅଗଷ୍ଟ ୩୦ରେ ବରିଷ୍ଠ ଆଇପିଏସ୍ ଅଫିସର ବିଜୟ ଶର୍ମାଙ୍କୁ ଜେଲ୍ ବିଭାଗର ଡିଜି ଭାବେ ନିଯୁକ୍ତି ମିଳିଥିଲା। ଦୁଇମାସ ଯାଇନି, ଆଜି ପୁଣି ତାଙ୍କର ବଦଳି ହୋଇଛି। ୧୯୮୨ ବ୍ୟାଚ୍ ଆଇପିଏସ୍ ବିନୟ କୁମାର ବେହେରାଙ୍କ ଅବସର ପରିପ୍ରେକ୍ଷୀରେ ଶ୍ରୀ ଶର୍ମାଙ୍କୁ ଆଜି ରାଜ୍ୟ ସରକାର ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି କରିଛନ୍ତି। କେବଳ ସେତିକି ନୁହେଁ, ବହୁ ପ୍ରତୀକ୍ଷିତ ଭିଜିଲାନ୍ସ ନିର୍ଦେଶକ ଭାବେ ଡ. ଦେବାଶିଷ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି ଓ ପୁଲିସ ଗୃହ ନିର୍ମାଣ ନିଗମ ସିଏମ୍ଡି ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ସରକାର ବିଶ୍ୱାସକୁ ନେଇ କ୍ରାଇମ୍ବ୍ରାଞ୍ଚ ମୁଖିଆ (ଏଡିଜି) ଭାବେ ଅବସ୍ଥାପିତ କରିଛନ୍ତି। ତେବେ ପଦୋନ୍ନତି କମିଟି ବସିନଥିବା ପରିପ୍ରେକ୍ଷୀରେ ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ ରାୟଙ୍କ ସଂପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଗୁଇନ୍ଦା ମୁଖିଆ ପଦବି
ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ଏଥିସହିତ ବରିଷ୍ଠ ଆଇପିଏସ୍ସ୍ତରରେ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି।
ବିଜ୍ଞପ୍ତି ଅନୁସାରେ, ପୁଲିସ ହେଡ୍କ୍ୱାଟର୍ସ ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ଏଡିଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି। ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି ବିନୟାନନ୍ଦ ଝା ଙ୍କୁ ଜେଲ ମୁଖିଆ ଭାବେ ନୂଆ ପଦବି ମିଳିଛି। ତାଙ୍କ ସ୍ଥାନରେ ଆଇଜି (ଆଧୁନିକୀକରଣ) ଅମିତାଭ ଠାକୁର ଏବେ ଆଇନଶୃଙ୍ଖଳା କଥା ବୁଝିବେ। ରାଜ୍ୟ ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ଦିଆଯାଇଥିବା ଏଡିଜି ଅରୁଣ କୁମାର ରାୟଙ୍କୁ ଏଡିଜି କମ୍ୟୁନିକେସନ୍ ବା ଯୋଗାଯୋଗ ଦାୟିତ୍ୱ ମିଳିଛି। ଏଡିଜି ପ୍ରୋଭିଜନିଂ ପ୍ରାଣବିନ୍ଦୁ ଆଚାର୍ଯ୍ୟ ରେଳବାଇ ଓ ସାମୁଦ୍ରିକ ସୁରକ୍ଷା ଏଡିଜି ଭାବେ ନିଯୁକ୍ତି ପାଇଛନ୍ତି।
ବରିଷ୍ଠ ଆଇପିଏସ୍ ଅଫିସର ତଥା ପ୍ରିଣ୍ଟିଂ, ଷ୍ଟେସନାରି ଓ ପବ୍ଲିକେସନ ନିର୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଲଳିତ ଦାସଙ୍କୁ ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ ନୂଆ ଦାୟିତ୍ୱ ମିଳିଛି। ତାଙ୍କ ସ୍ଥାନରେ ଅଗ୍ନିଶମ ଆଇଜି ଡ. ସନ୍ତୋଷ ବାଲା ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ କାର୍ଯ୍ୟ କରିବେ।
ରେଳବାଇ ଆଇଜି ଅରୁଣ ବୋଥ୍ରାଙ୍କୁ ଆଇଜି (ଆଧୁନିକୀକରଣ), କ୍ରାଇମବ୍ରାଞ୍ଚ ଆଇଜି ଅସିତ୍ କୁମାର ପାଣିଗ୍ରାହୀଙ୍କୁ ଆଇଜି ହେଡକ୍ୱାର୍ଟର୍ସ, ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦେଶକ ରାଜେଶ କୁମାରଙ୍କୁ ଆଇଜି ଅଗ୍ନିଶମ ଭାବେ ନିଯୁକ୍ତି ମିଳିଛି। ଡିଆଇଜି (ପ୍ରଶିକ୍ଷଣ) ନିଖିଲ କୁମାର କାନୋଡିଆଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି।
ସେହିଭଳି ରେଳବାଇ ଏସ୍ପି (କଟକ) ସଂଜୟ କୌଶଲଙ୍କୁ ପଦୋନ୍ନତି ପାଇ ଭିଜିଲାନ୍ସ ଡିଆଇଜି ଭାବେ କାର୍ଯ୍ୟ କରିବେ। ଅନ୍ୟପକ୍ଷରେ ବୈରିରେ ପୁଲିସ ଟ୍ରେନିଂ ପ୍ରତିଷ୍ଠାନରେ ଅଧ୍ୟକ୍ଷ ଥିବା ସାରା ଶର୍ମା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଏସ୍ପି ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ପୁରୀରେ ଅତିରିକ୍ତ ଏସ୍ପି ବନ ବିହାରି ସାହୁଙ୍କୁ ରେଳବାଇ ପୁଲିସର ଭାରପ୍ରାପ୍ତ ଏସ୍ପି ଭାବେ କଟକରେ ନିଯୁକ୍ତି ମିଳିଥିବା ବେଳେ ଭୁବନେଶ୍ୱର ଅତିରିକ୍ତ ଡିସିପି ବି ଏନ୍ ଦଣ୍ଡପାଟ କଟକ ପିଏମ୍ଟିର ଭାରପ୍ରାପ୍ତ ଏସ୍ପି ଭାବେ ବଦଳି କରାଯାଇଛି।
ଆଇପିଏସ୍ ସ୍ତରରେ ଅଦଳବଦଳ: ସନ୍ତୋଷଙ୍କୁ କ୍ରାଇମବ୍ରାଞ୍ଚ, ଦେବାଶିଷଙ୍କୁ ଭିଜିଲାନ୍ସ
/sambad/media/post_attachments/wp-content/uploads/2017/10/IPS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)