ବରିଷ୍ଠ ସାମ୍ବାଦିକ ରତନ ପାଣିଙ୍କ ପରଲୋକ

ସମ୍ବଲପୁର: ସୋମବାର ରାତି ୨ଟା୧୦ରେ ବରିଷ୍ଠ ସାମ୍ବାଦିକ ତଥା ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ ସମ୍ବଲପୁର ସଂସ୍କରଣର ମୁଖ୍ୟ ରତନ କୁମାର ପାଣିଙ୍କର ଗତକାଲି ରାତିରେ ସମ୍ବଲପୁର ବରେଇପାଲି-ବେହେରାମୁଣ୍ଡା ରୋଡସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୨ ବର୍ଷ ହୋଇଥିଲା। ସରେଇକେଲାର ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ୧୯୬୬ ମସିହାରେ ଜନ୍ମ ନେଇଥିବା ରତନ ସମ୍ବଲପୁରରେ ତାଙ୍କ ଶିକ୍ଷା ଗ୍ରହଣ କରିିଥିଲେ। ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ବିଜୟ କୁମାର ପାଣି ତାଙ୍କ ବାପା ଚିତ୍ତରଂଜନ ପାଣିଙ୍କ ବଡ଼ ଭାଇ ଥିଲେ। ୧୯୯୩ ମସିହାରେ ରତନ ‘ସନ୍‌ ଟାଇମ୍ସ୍ସ’ରୁ ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ। ସେ ତାଙ୍କ ପଛରେ ପତ୍ନୀ ମୀନା ଏବଂ ଏକମାତ୍ର ପୁତ୍ର ମୟଙ୍କ ପାଣିଙ୍କୁ ଛାଡ଼ି ଯାଇଛନ୍ତି। ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁଯାୟୀ ଚକ୍ଷୁଦାନ କରାଯାଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣା ପାଇଁ ତାଙ୍କ ସଂପୂର୍ଣ୍ଣ ଶରୀର ବୁର୍ଲା ଭିମ୍‌ସାରକୁ ଦାନ କରାଯାଇଛି। ମୃତ୍ୟୁ ଖବର ଜଣାପଡ଼ିବା ପରେ ବରଗଡ଼ ସାଂସଦ ଡ.ପ୍ରଭାସ ସିଂ, ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ, ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଝାରସୁଗୁଡ଼ା ବିଧାୟକ ନବ ଦାସ, ପୂର୍ବତନ ସାଂସଦ ଜଗନ୍ନାଥ ପଟ୍ଟନାୟକ, ଏସଡିଏ ଅ୍ୟଧକ୍ଷ ବିଜୟ ମହାନ୍ତିଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ପ୍ରମୁଖ ମଧ୍ୟ ରତନଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର