ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସାମ୍ବାଦିକ ତଥା ସଂପାଦକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ଆଜି (ବୁଧବାର) ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ବାପୁଜୀ ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୁତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।

ଜଣେ ଇଂରାଜୀ ଅଧ୍ୟାପକ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଚନ୍ଦ୍ରଭାନୁ ପଟ୍ଟନାୟକ ୧୯୮୪ ରେ ‘ସମ୍ବାଦ’ ଆତ୍ମପ୍ରକାଶ କରିବା ପରେ ଅଧ୍ୟାପନା ଛାଡ଼ି ‘ସମ୍ବାଦ’ରେ ଯୋଗ ଦେଇ ଜଣେ ପେସାଦାର ସାମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ‘ସମ୍ବାଦ’ର ବ୍ୟୁରୋମୁଖ୍ୟ ଭାବେ ସେ ଦୀର୍ଘବର୍ଷ କାର୍ଯ୍ୟକରିବା ସହ ‘ସମ୍ବାଦ’ର ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିପାରିଥିଲେ। ଜଣେ ରାଜନୈତିକ ବିଶ୍ଳେଷକ ଭାବେ ତାଙ୍କର ବିଶେଷ ସୁନାମ ରହିଥିଲା। ରାଜ୍ୟର ଜଣେ ଆଗଧାଡ଼ିର ରାଜନୈତିକ ପର୍ଯ୍ୟବେକ୍ଷକ, ସମୀକ୍ଷକ ଓ ସମାଲୋଚକ ଭାବେ ମଧ୍ୟ ସେ ପରିଗଣିତ ହେଉଥିଲେ। ୨୦୦୦ରେ ‘ସମ୍ବାଦ’ରୁ ବିଦାୟ ନେଇ ସେ ନିଜ ସଂପାଦନାରେ ‘ଶତାବ୍ଦୀ’ ନାମରେ ଏକ ପାକ୍ଷିକ ସମ୍ବାଦ ଭିତ୍ତିକ ପତ୍ରିକା ପ୍ରକାଶ କରିଥିଲେ। ପରେ ସେ କିଛି କାଳ ପାଇଁ ଦୈନିକ ‘ସମାଜ’ ଓ ‘ସମୟ’ର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ତାଙ୍କ ମୁତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁତ୍ରଙ୍କ ସମେତ ଅନ୍ୟ ଆତ୍ମୀୟ ସ୍ୱଜନମାନେ ମଧ୍ୟ ଉପସ୍ଥିତ ଥିଲେ। ଚନ୍ଦ୍ରଭାନୁଙ୍କର ପଟ୍ଟନାୟକଙ୍କର ମୁତ୍ୟୁ ଖବର ପ୍ରଚାରିତ ହେବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଥିଲା।  ବହୁ ସାମ୍ବାଦିକ ଓ ରାଜନେତା ତାଙ୍କ ବାପୁଜୀନଗରସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର