ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ ଶ୍ରୀ ଦାସ ଦଳରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଓ ଅନ୍ୟ ନେତୃବୃନ୍ଦ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ କଂଗ୍ରେସକୁ ସ୍ବାଗତ କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଦାସ କହିଥିଲେ, ସ୍ରୋତର ପ୍ରତିକୂଳ ପରିସ୍ଥିତିରେ ଯାଇ କଂଗ୍ରେସରେ ସାମିଲ ହୋଇଛି। ଦେଶ ଏବେ ଠିକ୍ ବାଟରେ ଚାଲୁନାହିଁ। ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଗାନ୍ଧୀଜୀ ରାଜନୀତିକୁ ଶ୍ରେଷ୍ଠ ନୀତି ବୋଲି କହିଥିଲେ। ହେଲେ ପ୍ରତିଦିନ ତାଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା ଚାଲିଛି। କେବଳ ମିଛର ପ୍ରଚାର କରାଯାଉଛି। ଦେଶରେ ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରାଯାଉଛି। କେନ୍ଦ୍ର ସରକାର ଦେଶର ଆର୍ଥିକ ପ୍ରଗତି କଥା କହୁଛନ୍ତି। ମାତ୍ର ଦେଶ ୧୮୧ ଟ୍ରିଲିଅନ ଋଣରେ ବୁଡ଼ି ରହିଛି। ଆଉ କିଛି ସମୟ ପରେ ଏହା ୨୦୦ ଟ୍ରିଲିଅନ୍କୁ ଛୁଇଁବ।
ଦେଶ ଭିତରେ ଆର୍ଥିକ ତାରତମ୍ୟ ବଢ଼ିବାରେ ଲାଗିଛି। ମାତ୍ର ୧% ଲୋକଙ୍କ ପାଖରେ ଦେଶର ସର୍ବାଧିକ ସଂଖ୍ୟକ ଧନ ରହିଛି। ସେହିପରି ରାଜ୍ୟ ସରକାର ଶାସନ କ୍ଷମତାକୁ ଆସିବାର ବର୍ଷେ ହୋଇଗଲାଣି, କିଛି କାମ ହୋଇନାହିଁ। ସରକାର ସୁଭଦ୍ରା ଯୋଜନା କଥା କହୁଛନ୍ତି, ମାତ୍ର ମହିଳା ଓ ନାବାଳିକାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଚାନ୍ଦା ମାଗିବା ରାଜ୍ୟ ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଛି। ତେଣୁ ଯେଉଁମାନେ ଏ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି। କଂଗ୍ରେସ ଦଳ ହିଁ ଦେଶକୁ ଠିକ୍ ମାର୍ଗରେ ପରିଚାଳିତ କରିପାରିବ। ଏଥିପାଇଁ କଂଗ୍ରେସ ଦଳରେ ଯୋଗ ଦେଇଛି ବୋଲି ସେ କହିଥିଲେ।
ପିସିସି ସଭାପତି କହିଥିଲେ, ଶ୍ରୀ ଦାସଙ୍କ ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ପ୍ରତି ତାଙ୍କର ଶ୍ରଦ୍ଧା ରହିଛି। ତାଙ୍କର କଂଗ୍ରେସର ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ। ଏହି ମିଶ୍ରଣ ପର୍ବରେ ଦାଶରଥି ଗମାଙ୍ଗୋ, ସୁଦର୍ଶନ ଦାସ, ମନୋରଞ୍ଜନ ମହାନ୍ତି, ରଜନୀ ମହାନ୍ତି, ସୁଧାଂଶୁ ଦେଓ, ମନୋଜ ରାଉତ, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ରାଜେନ୍ଦ୍ର କଲେଜରୁ ରାଜନୀତି ବିଜ୍ଞାନରେ ଅଧ୍ୟାପନାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଅରବିନ୍ଦ ଦାସ। ପରବର୍ତ୍ତୀ ସମୟରେ ‘ସମ୍ବାଦ’ରେ ଯୋଗ ଦେଇଥିଲେ। ‘ସମ୍ବାଦ’ର ବାର୍ତ୍ତା ସଂପାଦକଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ପରେ ସେ ‘ଆମ ଓଡ଼ିଶା’ ସମ୍ପାଦକ ଓ ସୋମାକ୍ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ନିକଟରେ ଇସ୍ତଫା ଦେଇ ଆଜି ସେ କଂଗ୍ରେସରେ ଯୋଗ ଦେଇଛନ୍ତି।