ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁ ଆଉ ନାହାନ୍ତି। କିମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମଧ୍ୟରାତ୍ରିରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସଂକ୍ରମଣଜନିତ ଅସୁସ୍ଥତା ଯୋଗୁଁ ଗତ ୧ ତାରିଖରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ତେବେ ଶନିବାର ରାତି ପ୍ରାୟ ସାଢ଼େ ୧୨ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଭାଇ, ଭଉଣୀ ଓ ପରିବାର ଲୋକେ ଉପସ୍ଥିତ ଥିଲେ।

ତାଙ୍କ ବିୟୋଗ ଖବର ଓଡ଼ିଶାର ସାମ୍ବାଦିକ ମହଲକୁ ସ୍ତବ୍ଧ କରି ଦେଇଛି। ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବହୁ ବରିଷ୍ଠ ସାମ୍ବାଦିକ ଶ୍ରୀ ଗୁରୁଙ୍କ ବି‌ୟୋଗରେ ଶୋକପ୍ରକାଶ କରିଛନ୍ତି।

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୩୦ ତାରିଖରେ ଶ୍ରୀ ଗୁରୁ ପାରିବାରିକ ପୂଜାକାର୍ଯ୍ୟ ନିମନ୍ତେ ନିଜ ପୈତୃକ ଗାଁ ବରଗଡ଼ ଜିଲ୍ଲାର ମହଖଣ୍ଡକୁ ଯାଇଥିଲେ। ସେଠାରୁ ଫେରିବା ପରେ ହଠାତ ସଂକ୍ରମଣଜନିତ ଜ୍ବରରେ ପୀଡ଼ିତ ହୋଇଥିଲେ।

ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୧ ତାରିଖରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ନିମୋନିଆ ସଂକ୍ରମଣ କାରଣରୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୂଚନାଯୋଗ୍ୟ ୨୦୦୫ ମସିହାରେ ଶ୍ରୀ ଗୁରୁଙ୍କ କିଡ୍‌ନି ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା।

ଆସନ୍ତାକାଲି ସମ୍ବଲପୁରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

କଳା ଓ ସାମ୍ବାଦିକତାର ଅପୂର୍ବ ସଂଗମ

ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ମହଖଣ୍ଡ ନିବାସୀ ମଧୁସୂଦନ ଗୁରୁ ଓ ସ୍ନେହଲତା ଗୁରୁଙ୍କର ପୁଅ ଥିଲେ ରଣଜିତ। ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଥିବା ରଣଜିତ୍ ସମ୍ବଲପୁରରେ ପ୍ରାଥମିକ ଓ ସ୍କୁଲ ଶିକ୍ଷା ଲାଭ ପରେ ଗଙ୍ଗାଧର ମେହେର କଲେଜରେ କଲେଜ ଶିକ୍ଷା ସମାପନ କରିଥିଲେ। ନାଟକ ପ୍ରତି ତାଙ୍କର ଅହେତୁକ ଆଗ୍ରହ ଥିଲା। ଗଙ୍ଗାଧର ମେହେର କଲେଜରେ ନାଟ୍ୟ ସଂସଦର ସଂପାଦକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଏଥିସହ କଲେଜ ଜୀବନରୁ ଆକାଶବାଣୀ ସମ୍ବଲପୁର ନାଟ୍ୟ ବିଭାଗର ଜଣେ ଏ-ଗ୍ରେଡ୍ କଳାକାର ହିସାବରେ ବହୁ ନାଟକରେ ଅଂଶ ଗ୍ରହଣ କରିଥିଲେ। କଲେଜ ଶିକ୍ଷା ସମାପନ ପରେ ୧୯୭୭ରେ ରାଜନୀତି ବିଜ୍ଞାନର ଛାତ୍ର ଭାବରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ବିଭାଗରେ ଅଧ୍ୟୟନ କରି ଏମ୍.ଏ. ଓ ଏମ୍.ଫିଲ୍ ଡିଗ୍ରି ହାସଲ କରିଥିଲେ। ପ୍ରଶାସନିକ ସେବାକୁ ଲକ୍ଷ୍ୟ ରଖି ଭାରତୀୟ ସିଭିଲ୍ ସାର୍ଭିସ୍ ପରୀକ୍ଷାରେ ମଧ୍ୟ ଭାଗ ନେଇଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକତା ଆଡ଼କୁ ଆକୃଷ୍ଟ ହୋଇ ପ୍ରଥମେ ସମ୍ବଲପୁରରୁ ପ୍ରକାଶିତ ହୋଇଥିବା ‘ହୀରାଖଣ୍ଡ’ରେ କିଛି ଦିନ କାର୍ଯ୍ୟ କରିଥିଲେ। ୧୯୮୪ରେ ‘ସମ୍ବାଦ’ରେ ଯୋଗ ଦେଇଥିଲେ। ୧୯୯୦ ପର୍ଯ୍ୟନ୍ତ ସେ ‘ସମ୍ବାଦ’ର ସମ୍ବଲପୁର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ପଶ୍ଚିମ ଓଡ଼ିଶାକୁ ସାମ୍ବାଦିକତାର ଏକ ନୂଆ ଦିଗ ଦେଇଥିଲେ। ଏହି ସମୟରେ ଏହି ଅଂଚଳର ସମସ୍ୟାଗୁଡ଼ିକୁ ରାଜ୍ୟସ୍ତରରେ ପ୍ରକାଶିତ କରିବା ପାଇଁ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସମ୍ବଲପୁରରେ ଥିବା ସମୟରେ ସେ ସାମୟିକ ଭାବରେ କଲିକତାରୁ ପ୍ରକାଶ ପାଉଥିବା ଇଂରାଜୀ ଖବରକାଗଜ ‘ଆନନ୍ଦ ବଜାର’ ପତ୍ରିକା ଓ ପରେ ଏସିଆନ୍‌ ଏଜ୍‌ରେ ମଧ୍ୟ ତାଙ୍କର ଲେଖା ପ୍ରକାଶିତ ହେଉଥିଲା।

‘ସମ୍ବାଦ’ର ରାଉରକେଲା ସଂସ୍କରଣ ଆରମ୍ଭ ହେବା ପରେ ପ୍ରଥମେ ସଂପାଦକୀୟ ବିଭାଗର ମୁଖ୍ୟ ଓ ପରେ ସଂସ୍କରଣ ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୭ରେ ‘ସମ୍ବାଦ’ର ସମ୍ବଲପୁର ସଂସ୍କରଣ ପ୍ରକାଶିତ ହେବା ପରେ ୧୯୯୯ରୁ ସେ ଏହି ସଂସ୍କରଣର ମୁଖ୍ୟ ଭାବରେ କାର୍ଯ୍ୟ କରି ପଶ୍ଚିମ ଓଡ଼ିଶାରେ ‘ସମ୍ବାଦ’ର ଅଗ୍ରଣୀ ସ୍ଥିତି ଜାହିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୦୪ ମସିହାରେ କିଡ୍‌ନି ଜନିତ ରୋଗରେ ପୀଡିତ ହେବା ପରେ ପ୍ରାୟ ଦେଢ଼ ବର୍ଷ ଧରି ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ। ତାଙ୍କର ବଡ଼ଭାଇ ଦିଲୀପ ଗୁରୁ ଏକ କିଡ୍‌ନି ଦାନ କରିବା ପରେ ଦିଲ୍ଲୀ ଏମ୍‌ସରେ ଏହା ପ୍ରତିରୋପଣ କରାଯାଇଥିଲା। ସୁସ୍ଥ ହେବା ପରେ ସେ ଭୁବନେଶ୍ବର ସଂସ୍କରଣରେ ଯୋଗଦେଇ ସଂପାଦକୀୟ ପୃଷ୍ଠା ସଂପାଦନା ଦାୟିତ୍ବରେ ରହିଥିଲେ। ଏହି ସମୟରେ ତାଙ୍କର ଲିଖିତ ସ୍ତମ୍ଭ ‘ଅପ୍ରସଙ୍ଗ’ ଓଡ଼ିଶାରେ ବହୁ ପାଠକମାନଙ୍କୁ ଆକର୍ଷିତ କରିଥିଲା। ଏହା ଏକ ପୁସ୍ତକ ଆକାରରେ ପରବର୍ତ୍ତୀ ସମୟରେ ଇଂରାଜୀରେ ପ୍ରକାଶିତ ହୋଇଥିଲା।

ତାଙ୍କର ଲିଖିତ ଏହି ଇଂରାଜୀ ପୁସ୍ତକ ‘ଓଡ଼ିଶା: ଏ ଡିକେଡ୍‌ ଅଫ୍ ମିସ୍ଡ ଅପରଚ୍ୟୁନିଟିଜ୍‌’ ଇଡ୍‌କଲ ଅଡିଟୋରିୟମ୍‌ରେ ୧୫ ଜାନୁଆରି ୨୦୧୧ରେ ଲୋକାର୍ପିତ ହୋଇଥିଲା। ଜଣେ ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଓଡ଼ିଶା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ କାହିଁକି ଯଥେଷ୍ଟ ଉନ୍ନତି ହୋଇନାହିଁ ଏହି ପୁସ୍ତକରେ ତାହା ସେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ। ନିଜକୁ କେବଳ ଖବରକାଗଜ ମଧ୍ୟରେ ସୀମିତ ରଖିନଥିଲେ ସେ। ଓଡ଼ିଶାର ପ୍ରାୟ ସମସ୍ତ ପ୍ରମୁଖ ଟେଲିଭିଜନ୍ ଚ୍ୟାନେଲରେ ଜଣେ ରାଜନୈତିକ ଭାଷ୍ୟକାର ଭାବରେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା।

ପଶ୍ଚିମ ଓଡ଼ିଶାର ସବୁ ଅଂଚଳରେ ସାମ୍ବାଦିକ ଏବଂ କଳାକାରଙ୍କ ମହଲରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ଶ୍ରୀ ଗୁରୁଙ୍କ ପତ୍ନୀ ସୁନୀତା ତ୍ରିପାଠୀ ଖୋର୍ଧାସ୍ଥିତ ପିଏନ୍‌ କଲେଜରେ ଓଡ଼ିଆ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏକମାତ୍ର ଝିଅ କ୍ରାନ୍ତି ସ୍ବାଗତିକା ବୁର୍ଲା ମେଡିକାଲ କଲେଜରେ ସ୍ନାତକୋତ୍ତର ସର୍ଜରୀ ବିଭାଗରେ ଶିକ୍ଷାଲାଭ କରୁଛନ୍ତି।

ସମ୍ବନ୍ଧିତ ଖବର