ବେତନଟୀ/ବୈଶିଙ୍ଗା: ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ ବେତନଟୀ ବ୍ଲକ୍ ପ୍ରତିନିଧି ରଞ୍ଜନ କୁମାର ମହାନ୍ତିଙ୍କର ଗତକାଲି ରାତିରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା।
ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ହାତୀଝୁରୀ ଗ୍ରାମରେ ୧୯୬୮ ମସିହା ଏପ୍ରିଲ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ମହାନ୍ତି। ବେତନଟୀ ଏମ୍ପିସି ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ଓ ବେତନଟୀ କଲେଜରୁ ସ୍ନାତକ ପାସ୍ ପରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଦୀର୍ଘ ୨୦ ବର୍ଷ ଧରି ସେନାରେ କାର୍ଯ୍ୟ କରି ଅବସର ନେବା ପରେ ସେ ‘ସମ୍ବାଦ’ର ବେତନଟୀ ବ୍ଲକ୍ ପ୍ରତିନିଧି ଭାବେ ନିଜ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। ଜଣେ ନିର୍ଭୀକ ତଥା ସଚ୍ଚୋଟ ସାମ୍ବାଦିକ ଭାବେ ଖୁବ୍ କମ ଦିନ ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରି ପାରିଥିଲେ।
ବେତନଟୀ ବ୍ଲକ୍ ସାମ୍ବାଦିକ ସଂଘର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିବା ସହ ବେତନଟୀରେ ମହିଳା ‘ସମ୍ବାଦ ସାହିତ୍ୟଘର’ ଓ ରାଗଧା ଜୁନିଅର କଲେଜରେ ଛାତ୍ରଛାତ୍ରୀଙ୍କୁ ନେଇ ରାଗଧା ‘ସମ୍ବାଦ ସାହିତ୍ୟଘର’ ଗଠନ କରିଥିଲେ। କେବଳ ସେତିକି ନୁହେଁ, ଆମ ଓଡ଼ିଶା ରକ୍ତଦାନ ଅଭିଯାନ ଓ ଓଡ଼ିଆ ଭାଷାସାହିତ୍ୟର ସୁରକ୍ଷା କ୍ଷେତ୍ରରେ ତାଙ୍କର ବହୁ ଅବଦାନ ରହିଥିଲା। ବେତନଟୀର ଅନେକ ସାମାଜିକ ସଂଗଠନ ସହ ଜଡ଼ିତ ରହି ସେ ସମାଜସେବାରେ ନିଜକୁ ପ୍ରତ୍ୟକ୍ଷ ଭାବେ ସାମିଲ କରିଥିଲେ। ଅଳ୍ପଦିନ ପୂର୍ବରୁ ଯକୃତଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ବାଲେଶ୍ବର ଏକ ଘରୋଇ ହସ୍ପିଟାଲ ଓ ପରେ ଭୁବନେଶ୍ବରରେ ଚିକିତ୍ସାଧୀନ ଥିଲେ।
ଗତକାଲି ତାଙ୍କର ଆକସ୍ମିକ ନିଧନରେ ବେତନଟୀ ସମେତ ଜନ୍ମମାଟି ହାତୀଝୁରୀ ଗାଁରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ପ୍ରଭାତୀ ମହାନ୍ତି, ଏକମାତ୍ର ପୁତ୍ର ଇଂ. ହିତେଶ ମହାନ୍ତି ଓ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ର ପ୍ରକାଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ବାର୍ତ୍ତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ବାଲେଶ୍ବର ସଂସ୍କରଣର ସହ ମହାପ୍ରବନ୍ଧକ ଗୌତମ ଶଙ୍କର ସ୍ବାଇଁ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ନିଧନରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ବେତନଟୀ ବ୍ଲକ୍ ସାମ୍ବାଦିକ ସଂଘ, ଉତ୍କଳ ସାମ୍ବାଦିକ ସଂଘ, ପଦ୍ମମାଳୀ ମହିଳା ସଂଗଠନ, ବୈଶାଖୀ ମହୋତ୍ସବ କମିଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/b327b644-c751-42f5-9833-f801cebf2429.jpg)