ବରିଷ୍ଠ ସାମ୍ବାଦିକ ରତ୍ନାକର ବେଉରାଙ୍କ ପରଲୋକ

ଆଠଗଡ଼ : ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘର ପୂର୍ବତନ ଉପସଭାପତି ରତ୍ନାକର ବେଉରାଙ୍କର ୭୫ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ପରଲୋକ ଘଟିଛି। ରତ୍ନାକରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଆଠଗଡ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଭୁବନେଶ୍ୱରରୁ ଆମ୍ବୁଲାନ୍ସ ଯୋଗେ ତାଙ୍କର ମରଶରୀରକୁ ଆଠଗଡ ଅଣାଯାଇଥିଲା ଆଠଗଡ ସହରରେ ତାଙ୍କ ପାର୍ଥିବ ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଶାଳ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଆଠଗଡ ପ୍ରେସ୍‌ କ୍ଲବର ଉପଦେଷ୍ଟା ସର୍ବେଶ୍ୱର ପଣ୍ଡା, ସଭାପତି ଦିନେଶ ଦାସ, ଉପସଭାପତି ଅର୍ଦ୍ଧେନ୍ଦୁ ମହାନ୍ତି, ନୀଳକଣ୍ଠ ଦୋରା, ଯଶୋବନ୍ତ ବାରିକ, ସନାତନ ରାୟ ପ୍ରମୁଖ ସ୍ୱର୍ଗତ ବେଉରାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅପରାହ୍ନରେ କରିକୋଲ ଗ୍ରାମଶ୍ମାଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ୱର୍ଗତ ବେଉରାଙ୍କ ଜ୍ୟେଷ୍ଠପୁତ୍ର ମାନସ ରଞ୍ଜନ ବେଉରା ମୁଖାଗ୍ନୀ ଦେଇଥିଲେ ।

ସ୍ୱର୍ଗତ ବେଉରା ତାଙ୍କର ଛାତ୍ର ଜୀବନରେ ଆଠଗଡ ଗୋପବନ୍ଧୁ ମହାବିଦ୍ୟାଳୟର ପ୍ରଥମ ଛାତ୍ର ସଂସଦର ସଭାପତି ନିର୍ବାଚିତ ହେବା ପରେ ପୂର୍ବତନ ସମାଜ ସମ୍ପାଦକ ପଦ୍ମବିଭୂଷଣ ଡ.ରାଧାନାଥ ରଥଙ୍କ ସଂସ୍ପର୍ଶରେ ଆସି ସାମ୍ବାଦିକତାକୁ ବୃତ୍ତି ରୂପେ ଗ୍ରହଣ କରିଥିଲେ। ‘ସମାଜ’ରେ ଦୀର୍ଘ ୩୦ ବର୍ଷ ସାମ୍ବାଦିକତା କରିବା ପରେ ୨୦୦୬ ମସିହାରେ ସେ ଅବ୍ୟାହତି ନେଇଥିଲେ।

ସମ୍ବନ୍ଧିତ ଖବର