ବରିଷ୍ଠ ଆଇନଜୀବୀ ବିଜନ ବିହାରୀ ରାୟଙ୍କ ପରଲୋକ

କଟକ : ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ବିଜନ ବିହାରୀ ରାୟଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।

ବିଶିଷ୍ଟ ଆଇନଜ୍ଞ ରାସବିହାରୀ ରାୟଙ୍କ ସୁପୁତ୍ର ଭାବେ ସେ ୧୯୩୫, ଜାନୁଆରି ୨୪ରେ ଜନ୍ମଗ୍ରହଣ କରିଥିଲେ। ସେ ଏଲ୍ଏଲ୍‌ବି ପରୀକ୍ଷା‌ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରି ରାଣି-ସୁରତରଙ୍ଗିଣି ସ୍ବର୍ଣ୍ଣ ପଦକ ୧୯୬୦ରେ ହାସଲ କରିଥିଲେ। ୧୯୬୧ରେ ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇଥିବାବେଳେ ପରିବହନ ବିଭାଗ ଷ୍ଟାଣ୍ଡିଂ କାଉନସିଲ୍‌ ଭାବେ ୧୯୭୭ରେ ନିଯୁକ୍ତି ପାଇଥିଲେ। ୧୯୮୩ରୁ ୧୯୮୯ ପର୍ଯ୍ୟନ୍ତ ସେ ହାଇକୋର୍ଟରେ ସରକାରୀ ଓକିଲ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେ ହାଇକୋର୍ଟ ବାର୍ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ସେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଥିଲେ। ୨୦୧୩ରେ ସେ ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ମଧୁଜ୍ୟୋତି ସମ୍ମାନ, ଉତ୍କଳ ଗୌରବ ମଧୁଜ୍ୟୋତି ସମ୍ମାନ, ଡକ୍ଟର ମହତାବ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେ ଇଂରାଜୀ ଭାଷାରେ ବହୁ ପୁସ୍ତକ ରଚନା କରିଥିଲେ। ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ସଫଳ ପରିଚାଳନା କରି ଜଣେ ସୁନାମଧନ୍ୟ ଆଇନଜୀବୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ପରଲୋକରେ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ହାଇକୋର୍ଟ ବାର୍ ଉପସଭାପତି କ୍ଷୀରୋଦ କୁମାର ରାଉତ, ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ସଦସ୍ୟ ବିଭୁପ୍ରସାଦ ତ୍ରିପାଠୀ, ଆଇନଜୀବୀ ଦେବସ୍ନାନ ଦାସ ଓ ସିଦ୍ଧାର୍ଥ ଦାସ ଶୋକ ପ୍ରକାଶ କରି କହିଛନ୍ତି ଯେ ଜଣେ ଦକ୍ଷ, ନିର୍ଭୀକ ଓ ସ୍ବାଭିମାନୀ ଆଇନଜୀବୀଙ୍କୁ ରାଜ୍ୟ ହରାଇଛି।

ସମ୍ବନ୍ଧିତ ଖବର