ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ପର‌ଲୋକ

କଟକ : ରାଜ୍ୟର ପୂର୍ବତନ ଆଡଭୋକେଟ ଜେନେରାଲ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସ (୭୮)ଙ୍କର ପରଲୋକ ଘଟିଛି। ସେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସ୍ବର୍ଗତଃ ଦାସ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଣନାତି ତଥା ଜଷ୍ଟିସ୍ ନବ କୁମାର ଦାସ ଓ ପ୍ରଭାମୟୀ ଦେବୀଙ୍କ ପୁଅ ଥିଲେ। ସେ ସର୍ବ ଭାରତୀୟ ସେବା (ଆଲାଏଡ୍)ରେ ଯୋଗ ଦେଇ କିଛି ବର୍ଷ କାର୍ଯ୍ୟ କରବା ପରେ ଚାକିରି ଛାଡି ଓକିଲାତି ପେସାକୁ ଆପଣାଇଥିଲେ। ୧୯୯୧ରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପ୍ରଦାନ କରାଯାଇଥିଲା। ସେ ରାଜ୍ୟର ଆଡଭୋକେଟ ଜେନେରାଲ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ୨୦୧୩ରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସୁପ୍ରିମକୋର୍ଟ ତଥା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଭାବେ ସେ ସାରା ଦେଶରେ ସୁନାମ ଅର୍ଜନ କରିଥିଲେ। ସାମ୍ବିଧାନିକ ମାମଲା, ଚାକିରି ସମ୍ବନ୍ଧୀୟ, ଦେୱାନୀ ମାମଲା ପରିଚାଳନାରେ ତାଙ୍କ ବିଶେଷ ଦକ୍ଷତା ଥିଲା। ସେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ପୁରୀ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ତାଙ୍କ ପତ୍ନୀ ସରିତା ଜୟନ୍ତ ଦାସ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ବେଳେ ପୁଅ ଆଦିତ୍ୟ ନାରାୟଣ ଦାସ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପରଲୋକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ, ଉପସଭାପତି ଦେବୀ ପ୍ରସାଦ ଦାସ, ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା ଓ ଆଇନଜୀବୀ ଦେବସ୍ନାନ ଦାସ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର