ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ସଚିବ ହେଲେ ନିୟତି ପଟ୍ଟନାୟକ

ଚକବନ୍ଦୀ ଓ ବନ୍ଦୋବସ୍ତ କମିସନର ହେଲେ ଶୁଭକାନ୍ତ ମିଶ୍ର

ଭୁବନେଶ୍ବର : ବରିଷ୍ଠ ଓଏଏସ ସ୍ତରରେ ରାଜ୍ୟ ସରକାର ଅଦଳ ବଦଳ କରିଛନ୍ତି। କଟକ ରାଜସ୍ବ ପରିଷଦ ସଦସ୍ୟଙ୍କ ଅଧୀନରେ ଥିବା ସ୍ବତନ୍ତ୍ର ଶାସନ ସଚିବ ପାହ୍ୟାର ବରିଷ୍ଠ ଓଏଏସ ଅଧିକାରୀ ତଥା ଭୁବନେଶ୍ବର ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିସନର ଶୁଭକାନ୍ତ ମିଶ୍ରଙ୍କୁ ବଦଳି କରାଯାଇ ଭୁବନେଶ୍ବରସ୍ଥିତ ଚକବନ୍ଦୀ ଓ ବନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ଏହାସହିତ ଶ୍ରୀ ମିଶ୍ର ତାଙ୍କର ପୂର୍ବ ପଦବି ଅର୍ଥାତ୍ ଅତିରିକ୍ତ ରିଭିଜନାଲ କୋର୍ଟର ଅତିରିକ୍ତ କମିସନର ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେହିପରି ବରିଷ୍ଠ ଓଏଏସ ତଥା ଜଳସମ୍ପଦ ବିଭାଗର ଯୁଗ୍ମ ଶାସନ ସଚିବ ଥିବା ନିୟତି ପଟ୍ଟନାୟକଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ବରିଷ୍ଠ ଓଏଏସ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଅସିତ୍ ପଣ୍ଡାଙ୍କୁ ଏସିସି-ଏସଟି ବିଭାଗ ଅଧୀନରେ ଥିବା ସଂଖ୍ୟାଲଘୁ, ପଛୁଆ ବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୧୪ ଜଣ ବିଡିଓ ତହସିଲଦାରଙ୍କ ବଦଳି ହୋଇଥିବାବେଳେ ୬ ଜଣ ବିଡିଓ ଓ ତହସିଲଦାରଙ୍କୁ ଅପରିବର୍ତ୍ତିତ ରଖାଯାଇଛି। ଏ ନେଇ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର