ଏବେବି ଜଳୁଛି ଶିମିଳିପାଳ; କାମ ଆରମ୍ଭ କଲା ଓଡ୍ରାଫ୍‌ ଟିମ, ବରିଷ୍ଠ ଅଧିକାରୀଙ୍କୁ ନେଇ ମିଳିତ ଟିମ୍‌ର କ୍ଷେତ୍ର ପରିଦର୍ଶନ

ଶିମିଳିପାଳ ଅଭୟାରଣ୍ୟ ପାଇଁ ସବୁଠି ତତ୍ପରତା ପ୍ରକାଶ, ମା ମାଟି ପାଇଁ ସଭିଏଁ ଏକାଠି

ବାରିପଦା: ବିଳମ୍ବରେ ହେଉ ପଛେ, ବିଶ୍ବବିଖ୍ୟାତ ଶିମିଳିପାଳ ପାଇଁ ଏବେ ସବୁଠି ତତ୍ପରତା ପ୍ରକାଶ ପାଇଛି। ମା ମାଟି ପାଇଁ ସଭିଏଁ ଏକାଠି ହୋଇଛନ୍ତି। ଅପୂର୍ବ ପ୍ରାକୃତିକ ଶୋଭାରାଜିର ଗନ୍ତାଘର ଶିମିଳିପାଳକୁ ଭୟଙ୍କର ନିଆଁର ଆଁ’ରୁ ରକ୍ଷା କରିବା ପାଇଁ ନେତା, ଜନତା ଅଧିକାରୀ ସମସ୍ତେ ସାମିଲ ହୋଇଛନ୍ତି।

ଆଜି ଏନେଇ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ୍‌ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ନେତୃତ୍ବରେ ଏସ୍‌ପି ସ୍ମିତ୍‌ ପି ପରମାର୍‌, ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀ, ଏସଟିଆର ଉପନିର୍ଦ୍ଦେଶକ(ଡିଡି) ଯଜ୍ଞଦତ୍ତ ପତି ପ୍ରମୁଖ ଏହି ଟିମ୍‌ରେ ସାମିଲ ଥିଲେ। ବାଙ୍ଗିରିପୋଷି ରେଞ୍ଜ୍‌ ଅନ୍ତର୍ଗତ ବଡ଼ଗାଁ ସେକ୍ସନ୍‌ ପରିଦର୍ଶନ କରିଥିଲା ଏହି ଟିମ୍‌।

ଏହି ଅବସରରେ ବରିଷ୍ଠ ଅଧିକାରୀମାନେ ନିଆଁର ପ୍ରଭାବ ପରକ୍ଷିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ। ସଂପୃକ୍ତ ଅଞ୍ଚଳର ଗ୍ରାମବାସୀ, ଜନପ୍ରତିନିଧିଙ୍କ ସହିତ ବୈଠକ କରିଥିଲେ ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌। ଜନସାଧାରଣଙ୍କ ମଧ୍ୟରେ ଜଙ୍ଗଲ ନିଆଁକୁ ନେଇ ସଚେତନତା ସୃଷ୍ଟି କରିବା ସହିତ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ସହଯୋଗ ଯୋଗାଇଦେବା ନେଇ ମଧ୍ୟ ସମସ୍ତଙ୍କ ସହାୟତା ଲୋଡ଼ା ଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ପ୍ରକାଶ କରିଛନ୍ତି।

ଏଥିସହିତ ନିଆଁ ଲିଭା କାର୍ଯ୍ୟରେ ଯେପରି ସମସ୍ତ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହିପାରିବ, ସେନେଇ ମଧ୍ୟ ବ୍ଲକ୍, ବନବିଭାଗ ଏବଂ ପୁଲିସ୍‌ କର୍ମଚାରୀଙ୍କ ସହିତ ଆଲୋଚନା ହୋଇଥିଲା। ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନଙ୍କ ସହାୟତାରେ ନିଆଁ ଲାଗିଥିବା ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ତେବେ ନିଆଁ ନିୟନ୍ତ୍ରଣକୁ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଫାୟାର୍‌ ପଏଣ୍ଟ୍‌ଗୁଡ଼ିକୁ ସଠିକ ଭାବେ ନିରୀକ୍ଷଣ କରାଯାଉଥିବା ଏବଂ ସବୁ ବ୍ୟବସ୍ଥା ଠିକ ଢଙ୍ଗରେ ଚାଲୁଥିବା ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସୂଚନା ଦେଇଛନ୍ତି।

ଗତକାଲିଠାରୁ ଜିଲ୍ଲାରେ ପହଞ୍ଚିଥିବା ଦୁଇଟି ଓଡ୍ରାଫ୍‌ ଟିମ୍‌ କାମ ଆରମ୍ଭ କରିଛନ୍ତି। ପିଠାବଟା ନର୍ଥ ରେଞ୍ଜ୍‌ରେ ଓଡ୍ରାଫ୍‌ ଏବଂ ଏସଟିଆରର ମିଳିତ ଟିମ୍‌ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଯଶୀପୁର ଅଞ୍ଚଳରେ ଆଉ ଏକ ଟିମ୍‌ ନିୟୋଜିତ ଥିବା ଜଣାପଡ଼ିଛି। ତେବେ ମିଳିଥିବା ସୂଚନା ଅନୁସାରେ ଭଞ୍ଜବସା, ଡୁକୁରା, ପୋଡ଼ାଡ଼ିହା ରେଞ୍ଜ୍‌ରେ ଏବେବି ନିଆଁ ଜଳୁଛି। ପିଠାବଟା ରେଞ୍ଜ୍‌ର ସୀତାକୁଣ୍ଡ, କଛୁଦହନ୍‌ରେ ମଧ୍ୟ ନିଆଁ ଲାଗିଛି। ସେହିପରି ବାର୍‌ହାକାମୁଡ଼ା ରେଞ୍ଜ୍‌ର ଦେବସ୍ଥଳୀ ଓ ପାଞ୍ଚବିଲ୍‌, ଚହଲା ରେଞ୍ଜ୍‌ର ବରେହିପାଣି ଓ ଚହଲାରେ ମଧ୍ୟ ନିଆଁ ଆୟତ୍ତକୁ ଆସିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର