ବାଲେଶ୍ବର : ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍ଡିଓ) ଅଧୀନରେ ଥିବା ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର୍)ର ଜଣେ ବରିଷ୍ଠ ବୈଷୟିକ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍ ଦେଶଦ୍ରୋହ ଅପରାଧ। ଭାରତୀୟ କ୍ଷେପଣାସ୍ତ୍ର ବ୍ୟବସ୍ଥା ସଂକ୍ରାନ୍ତରେ ଗୁପ୍ତତଥ୍ୟ ହାସଲ ପାଇଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ‘ଆଇଏସ୍ଆଇ’ ଭାରତର ଏହି ବରିଷ୍ଠ ବୈଷୟିକ ଅଧିକାରୀଙ୍କୁ ହନିଟ୍ରାପ୍ରେ ଫସାଇ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହାତେଇଥିବା ଅଭିଯୋଗ ହୋଇଛି। ଏହି ଅଧିକାରୀ ଜଣକ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଦେହୁର୍ଦ୍ଦା ଅଞ୍ଚଳ ବାଗପୁଞ୍ଜି ଗ୍ରାମର ବାବୁରାମ ଦେ (୫୭)। ଚାନ୍ଦିପୁର ଥାନା ପୁଲିସ ତାଙ୍କୁ ଗିରଫ କରିବା ସହ ଧାରା ୧୨୦-ଏ/୧୨୦-ବି/୩୪ ଆଇପିସି ସେକ୍ସନ୍ ୩,୪,୫, ୧୯୨୩ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ ଓ ୨୫/୨୦୨୩ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା। ଏହାପରେ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି।
ରାୱଲପିଣ୍ଡିର ଯୁବତୀଙ୍କ ସହ ବର୍ଷେ ହେଲା ଯୋଗାଯୋଗରେ ଥିଲେ
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ
ଶୁକ୍ରବାର ଅପରାହ୍ନରେ ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁଲାଲ ଓ ବାଲେଶ୍ବର ଏସ୍ପି ସାଗରିକା ନାଥ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଚାନ୍ଦିପୁର ଆଇଟିଆର୍ର ଏହି ବରିଷ୍ଠ ଅଧିକାରୀଜଣକ ପାକିସ୍ତାନର ରାୱଲପିଣ୍ଡିରେ ରହୁଥିବା ଜଣେ ଯୁବତୀ ଯିଏକି ଆଇଏସ୍ଆଇ ଏଜେଣ୍ଟ୍, ତାଙ୍କ ସହ ଦୀର୍ଘ ୧ ବର୍ଷ ଧରି ଯୋଗାଯୋଗରେ ରହିଥିଲେ ଏବଂ ତାଙ୍କଠାରୁ ହ୍ବାଟ୍ସଆପ୍ରେ ଲଗାତାର ମେସେଜ୍, ନଗ୍ନଚିତ୍ର, ଭିଡିଓ ଓ ଆର୍ଥିକ ପ୍ରଲୋଭନରେ ଆସି ଏଠାରୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କିତ ଫଟୋ, ଭିଡିଓ, ତଥ୍ୟ ତାକୁ ପଠାଇ ଆସୁଥିଲେ। ତେବେ, ଭାରତର ବୈଦେଶିକ ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ୍ଚ ଆନାଲିସିସ୍ ୱିଙ୍ଗ୍), କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ଆଇବି) ସମେତ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ଏହା ଜାଣିବାପରେ ବାଲେଶ୍ବର ପୁଲିସ ସହଯୋଗରେ ପ୍ରାୟ ଦୁଇମାସ ଧରି ସଂପୃକ୍ତ ଅଧିକାରୀଙ୍କ ଉପ​ରେ କଡ଼ା ନଜର ରଖାଯାଇଥିଲା। ପ୍ରତିରକ୍ଷା ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ଆଇଟିଆର୍ର ଆଉ କେଉଁ ଅଧିକାରୀ ଓ କର୍ମଚାରୀ ଜଡ଼ିତ ରହିଛନ୍ତି, ସେ ସଂକ୍ରାନ୍ତରେ ତଦନ୍ତ ଜାରି ରହିଥିବା ଆଇଜି ଶ୍ରୀ ଲାଲ୍ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2023/02/bls-faa-750x430.jpg)
ଉଲ୍ଲେଖଥାଉକି, ଏହାପୂର୍ବରୁ ୨୦୨୧ ମସିହାରେ ପ୍ରତିରକ୍ଷା ତଥ୍ୟ ପ୍ରଘଟ ମାମଲାରେ ଆଇଟିଆର୍ର ତତ୍କାଳୀନ ନିର୍ଦ୍ଦେଶକଙ୍କ ଜଣେ ଡ୍ରାଇଭର ସମେତ କ୍ଷେପଣାସ୍ତ୍ର ଘାଟିରେ ଠିକା କର୍ମଚାରୀ ଭାବେ କାମ କରୁଥିବା ୪ ଜଣ ଗିରଫ ହୋଇଥିଲେ। ସେମାନେ ହେଲେ, ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ରଞ୍ଜନ ନାୟକ, ସେକ୍ ମୁସାଫିର୍ ଓ ସଚିନ୍ କୁମାର। ଅଭିଯୁକ୍ତ ସଚିନ କୁମାରର ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କ ଘର ଚାନ୍ଦିପୁର ନିକଟସ୍ଥ ଝାମ୍ପୁରାହାଟ, ବୁଆଁଳ, ନୂଆନଈ ଓ କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳରେ। ଏହି ୫ ଅଭିଯୁକ୍ତ ଏବେ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ରେ ଅଛନ୍ତି। ସେହିପରି, ୨୦୧୫ ମସିହା ଜାନୁଆରି ୨୩ ତାରିଖରେ ଆଇଟିଆର୍ର ଠିକା ଫଟୋଗ୍ରାଫର ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳର ଈଶ୍ବର ବେହେରାଙ୍କୁ ପ୍ରତିରକ୍ଷା ତଥ୍ୟ ପ୍ରଘଟ ମାମଲାରେ ଗିରଫ କରାଯାଇଥିଲା। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦୨୧ ମସିହାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆଇଟିଆର୍ ଭଳି ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ସଂସ୍ଥାନରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ କଡ଼ା ନଜର ରଖାଯିବା ଜରୁରୀ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/bls-faa2.jpg)