ଉଦ୍‌ଯାପିତ ହେଲା ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ : ମୁଖ୍ୟମନ୍ତ୍ରୀ ପଢ଼ାଇଲେ ତ୍ରିସୂତ୍ରୀ ଫର୍ମୁଲା

‘କ୍ରାଇମ୍‌ ଇନ୍‌ ଓଡ଼ିଶା-୨୦୧୬’ ରିପୋର୍ଟ ଉନ୍ମୋଚିତ
ଲୋକାର୍ପିତ ହେଲା ‘ସହାୟତା’ ଆପ୍‌

ଭୁବନେଶ୍ୱର : ଅପରାଧ ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଅ, ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖ, ପୁଲିସ ବ୍ୟବସ୍ଥା ସୁଦୃଢ଼ୀକରଣ କର। ୬୦ ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ଅଧିକାରୀମାନଙ୍କୁ ଏଭଳି ତ୍ରିସୂତ୍ରୀ ଫର୍ମୁଲାର ପାଠ ପଢ଼ାଇଛନ୍ତି। ଆହୁରି କହିଛନ୍ତି, ପୁଲିସ ସାଧାରଣ ଜନତାଙ୍କ କଥା ବୁଝୁ। ଲୋକଙ୍କ ନିକଟତର ହେଉ। ଲୋକଙ୍କ ସମସ୍ୟାର ସମାଧାନରେ ସହଭାଗୀ ହେଉ। ଏହା ଦ୍ୱାରା ପୁଲିସ ସାଧାରଣରେ ଆଦୃତ ହୋଇ ପାରିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଲିସ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ଆହୁରି କହିଛନ୍ତିି ଯେ, ଆମ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣରେ ଥିବାରୁ ବହୁ ରାଷ୍ଟ୍ରୀୟ କମ୍ପାନିମାନେ ପୁଞ୍ଜିନିବେଶ ପାଇଁ ଓଡ଼ିଶାକୁ ହିଁ ବାଛୁଛନ୍ତି। ଭୁବନେଶ୍ୱର ସାରା ବିଶ୍ୱରେ ଏକ ପ୍ରମୁଖ ସହର ଭାବେ ପରିଗଣିତ ହେଉଥିବାବେଳେ ଦେଶର ଅନ୍ୟତମ ସୁରକ୍ଷିତ ସହରର ମାନ୍ୟତା ପାଇଛି। ଏଥିରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ତେଣୁ ପୁଲିସ ଆହୁରି ଜନାଭିମୁଖୀ ହେବା ପାଇଁ ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ଯଥାସାଧ୍ୟ ଉଦ୍ୟମ କରୁ। ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେ ନେଇ ପୁଲିସ ସବୁବେଳେ ଉଦ୍ୟମ କରୁ। ପୁଲିସ ବ୍ୟବସ୍ଥାକୁ ସୁଦୁଢ଼ୀକରଣ ମଧ୍ୟ କରାଯାଉ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ରାଇମ୍‌ ଇନ୍‌ ଓଡିଶା-୧୦୧୬ ରିପୋର୍ଟକୁ ଉନ୍ମୋଚନ କରିବା ସହ ସାଧାରଣ ଲୋକଙ୍କ ପାଇଁ ‘ସହାୟତା’ ନାମକ ଏକ ମୋବାଇଲ୍‌ ଆପ୍‌କୁ ଲୋକାର୍ପିତ କରିଥିଲେ। ଏହା ବ୍ୟତୀତ ପୁଲିସ ବିଭାଗରେ ବିଭିନ୍ନ ସେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭଦ୍ରକ ଏସ୍‌ପି ଅନୁପ ସାହୁ, ଅନୁଗଳ ଏସ୍‌ପି ବି୍ରଜେଶ କୁମାର ରାୟ, କନ୍ଧମାଳ ଏସ୍‌ପି ମିତ୍ରଭାନୁ ମହାପାତ୍ର, ବୌଦ୍ଧ ଏସ୍‌ପି ସୁଧାଂଶୁ ଶେଖର ଓ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଥିଲେ, ସରକାର ୧୦ ବର୍ଷରେ ପୁଲିସ ବିଭାଗର ଭିତ୍ତଭୂମି ବିକାଶରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। କମିସନରେଟ୍‌ ପୁଲିସର ବିଲଡିଂଠାରୁ ଆରମ୍ଭ କରି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ସାଇବର ୟୁନିଟ୍‌, ଗୁଇନ୍ଦା ବିଭାଗ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମି, ଫରେନସିକ ଲାବୋରେଟାରି ଆଦିର ଭିତ୍ତିଭୂମି ବିକାଶ ଘଟିଛି। ଅଗ୍ନିଶମ ବିଭାଗ ଆଇଜି ରାଜେଶ କୁମାର ଓ ଜେଲ ବିଭାଗ ଏଡିଜି ବିନୟାନନ୍ଦ ଝା ପ୍ରମୁଖ ନିଜ ନିଜ ବିଭାଗର ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର୍‌. ବାଲକ୍ରିଷ୍ଣନ୍‌, ଗୃହ ସଚିବ ଅସିତ ତ୍ରିପାଠୀ ଓ ଅର୍ଥ ସଚିବ ଟିକେ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର