ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର କମିବା ଚିନ୍ତାଜନକ
ମହିଳା, ଶିଶୁ ବିରୋଧୀ ହିଂସା କ୍ଷେତ୍ରରେ ତ୍ବରିତ୍ ପଦକ୍ଷେପ ନିଅ
ନକ୍ସଲ, ନିଶା କାରବାର ରୋକିବା କ୍ଷେତ୍ରରେ ସାବାସୀ ମିଳିଲା
ପୁଲିସ ହାଉସିଂ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦୦୦ କୋଟି
କଟକ : ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ପୁଲିସ ଅଧିକ ସମ୍ବେଦନଶୀଳ ହେବା ଦରକାର। ସେହିଭଳି ମହିଳା ଓ ଶିଶୁ ବିରୋଧୀ ହିଂସା କ୍ଷେତ୍ରରେ ପୁଲିସର ସ୍ବତନ୍ତ୍ର ଶାଖା ତ୍ବରିତ୍ ପଦକ୍ଷେପ ନେବା ଉଚିତ୍। ଗତ ତିନିଦିନ ଧରି ଚାଲିଥିବା ରାଜ୍ୟ ବରିଷ୍ଠ ପୁଲିସ ଅଧିକାରୀ(ଆଇପିଏସ୍) ସମ୍ମିଳନୀ ଉଦ୍ଯାପନୀ ସମାରୋହରେ ଭାଗ ନେଇ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସିଧା ସିଧା ତାଗିଦ୍ କରି କହିଛନ୍ତି ଯେ ଅଭିଯୁକ୍ତକୁ ଦଣ୍ଡ ବା ଦୋଷୀ ସାବ୍ୟସ୍ତ ହାର ହ୍ରାସ ଚିନ୍ତାଜନକ। ବୈଜ୍ଞାନିକ ପଦ୍ଧତିରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯିବା ଦିଗରେ ପୁଲିସ ପଦକ୍ଷେପ ନେଉ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ସୂଚାଇ ଦେଇଛି ଯେ ନକ୍ସଲ ଆଦି ମୁକାବିଲା କ୍ଷେତ୍ରରେ ପୁଲିସ ସଫଳତା ନେଇ ସରକାର ସନ୍ତୁଷ୍ଟ ଥିଲେ ହେଁ, ଏସବୁ କ୍ଷେତ୍ରରେ ପୁଲିସର ବିଫଳତା ମୁଖ୍ୟମନ୍ତ୍ରୀଙ୍କୁ ବିବ୍ରତ କରିଛି। ଏଣୁ ଏହି ତିନିଟି କ୍ଷେତ୍ରରେ ଅଧିକ କଠୋର ହେବା ଲାଗି ମୁଖ୍ୟମନ୍ତ୍ରୀ ଆଇପିଏସ୍ ଅଫିସରମାନଙ୍କୁ ସତର୍କ କରାଇ ଦେଇଛନ୍ତି।
ଅନ୍ୟପକ୍ଷରେ ପୁଲିସର ମନୋବଳ ବୃଦ୍ଧି କରିବା ଲାଗି ଏକ ବଡ଼ ଘୋଷଣା କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁଲିସ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ ବା ସରକାରୀ ଆବାସ ଅଭାବ ଥିବାରୁ ଆସନ୍ତା ୫ ବର୍ଷରେ ପୁଲିସ ହାଉସିଂ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଅର୍ଥାତ୍ ପ୍ରତିବର୍ଷ ୨୦୦ କୋଟି ଲେଖାଏଁ ସରକାର ଏ ବାବଦରେ ଖର୍ଚ୍ଚ କରିବେ।
ମୁଖ୍ୟମନ୍ତ୍ରୀ ଉଦ୍ଯାପନୀ ଭାଷଣରେ କହିଥିଲେ ଯେ ରାଜ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା କରିବା ସହିତ ଧନଜୀବନର ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିବଦ୍ଧ ଅଛନ୍ତି। ସେହିଭଳି ରାଜ୍ୟର ଆଇନ ଶୃଙ୍ଖଳା ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ମାଓ ମୁକାବିଲାରେ ଓଡ଼ିଶା ପୁଲିସ ଆଖିଦୃଶିଆ ଅଗ୍ରଗତି କରିଛି। ଫଳରେ ଅନୁଗୁଳ, ବୌଦ୍ଧ, ଦେବଗଡ, ନୟାଗଡ ଓ ସମ୍ବଲପୁର ଏବେ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇପାରିଛି। ସ୍ବାଭିମାନ ଅଞ୍ଚଳ ଓ ବିଛିନ୍ନାଞ୍ଚଳରେ ମଧ୍ୟ ବିକାଶ ହୋଇଛି। ‘ମୋ ସରକାର’ରେ ଓଡ଼ିଶା ପୁଲିସ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନରେ ଉଲ୍ଲେଖନୀୟ କାମ କରିଛି। ୫-ଟିରେ ଓଡ଼ିଶା ପୁଲିସରେ ଏବେ ପାସପୋର୍ଟ ସରଳୀକରଣ କରାଯାଇପାରିଛି। ପୁଲିସ ପଦୋନ୍ନତି, ଇ-ଏଫ୍ଆଇଆର୍ ବ୍ୟବସ୍ଥା ହୋଇପାରିଛି। ନିଶା କାରବାର ରୋକିବାରେ ଓଡ଼ିଶା ପୁଲିସର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।
ସେହିପରି ଏସ୍ଟିଏଫ୍ ଅଧୀନରେ ଚାଲିଥିବା ଅଭିଯାନରେ ରେକର୍ଡ ପରିମାଣରେ ନିଶାଦ୍ରବ୍ୟ ଜବତ କରାଯାଇଛି। ସ୍ବତନ୍ତ୍ର ନାର୍କୋଟିକ୍ ୟୁନିଟ୍ ଗଠନ କରାଯାଇଛି। ବନ୍ୟଜନ୍ତୁ କାରବାର ରୋକିବାରେ ଏସ୍ଟିଏଫ୍ ଭୂମିକା, ବିପର୍ଯ୍ୟୟ ମୁକାବିଲାରେ ଲୋକଙ୍କ ଧନ ଜୀବନ ରକ୍ଷା ଦିଗରେ ଓଡ୍ରାଫ୍, ଅଗ୍ନିଶମ ସଂସ୍ଥାର ଉଲ୍ଲେଖନୀୟ କାମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସଡ଼କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଥିଲେ। ଦୁର୍ଘଟଣାରେ ମୃତ୍ୟୁହାର କମାଇବାକୁ ପରମର୍ଶ ଦେଇଥିଲେ। କୋଭିଡ୍ ଭଳି ବିପର୍ଯ୍ୟୟ ସମୟରେ ପୁଲିସ ସମ୍ବେଦନଶୀଳ ହୋଇ କାମ କରିବା କଥା ସ୍ମରଣ କରି ମୁଖ୍ୟମନ୍ତ୍ରୀ ସାବାସୀ ଦେଇଥିଲେ। କୋଭିଡ୍ ଯୁଦ୍ଧରେ ଓଡ଼ିଶା ପୁଲିସ ଯେଉଁ ୬୧ଜଣ ପୁଲିସ କର୍ମଚାରୀଙ୍କୁ ହରାଇଛି, ମୁଖ୍ୟମନ୍ତ୍ରୀ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଶ୍ରୀ ଅଭୟ ଓ ନବ ନିଯୁକ୍ତି ଡିଜିପି ସୁନୀଲ ବଂଶଲଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ।