ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମଳିନୀ ଉଦ୍‌ଯାପିତ : ‘ପୁଲିସ ସାଧାରଣ ଲୋକଙ୍କର ହେଉ’

ଭୁବନେଶ୍ୱର ସ୍ଥାନୀୟ ପୁଲିସ ଭବନରେ ଚାଲିଥିବା ୬୧ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀ ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ବକପ୍‌ ହକି ସମୟରେ ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣରେ କମିସନ୍‌ରେଟ୍‌ ପୁଲିସର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୮ ମସିହା ବିଶ୍ବକପ୍‌ ହକିର ସଫଳ ପରିଚାଳନା ପାଇଁ ସମଗ୍ର ବିଶ୍ବରୁ କମିସନରେଟ୍‌ ପୁଲିସକୁ ପ୍ରଶଂସା ମିଳିଛି। କେବଳ ହକି ନୁହେଁ, ବିପର୍ଯ୍ୟୟ ପରିଚାଳନାରେ ଓଡ୍ରାଫ୍‌ର ଭୂମିକା, ନକ୍ସଲ ଦମନ ଓ ଅପରାଧ ନିୟନ୍ତ୍ରଣରେ ମଧ୍ୟ ପୁଲିସକୁ ସଫଳତା ମିଳିଛି। ପୁଲିସ ପାଇଁ କାମ କରିବାକୁ ଏକ ଭଲ ପରିବେଶ ସୃଷ୍ଟି କରିବା ପାଇଁ ସରକାର ଚେଷ୍ଟିତ ଅଛନ୍ତି। ସରକାର ପୁଲିସ ଫୋର୍ସର ସମସ୍ତ ଛୋଟଛୋଟ ସମସ୍ୟାକୁ ନଜର ରଖିଛି। ଏହାର ସମାଧାନ ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ପୁଲିସ ସାଧାରଣ ଲୋକଙ୍କର ହେଉ ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଆରକ୍ଷୀ’ ଆପ୍‌ ଓ ଓଡ଼ିଶା ପୁଲିସର ନ୍ୟୁଜ୍‌ ଲେଟର୍‌କୁ ଉନ୍ମୋଚନ କରିଥିଲେ। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଧିକାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ‘ଅପରାଧ ଅନୁସନ୍ଧାନ ଓ ଆଗାମୀ ନିର୍ବାଚନ’ ସଂପର୍କରେ ଆଲୋଚନା ହୋଇଥିଲା। ‘ଏନ୍‌ହାନ୍ସଡ ୟୁଜ୍‌ ଅଫ୍ ଫରେନ୍‌ସିକ୍‌’ ଶୀର୍ଷକ ଆଲୋଚନାରେ ଗୁଜୁରାଟ ଏସ୍‌ଏଫ୍‌ଏସ୍‌ଏଲ୍‌ ବରିଷ୍ଠ ବୈଜ୍ଞାନିକ ହିତେଶ ତ୍ରିବେଦୀ ଯୋଗଦେଇ ଅପରାଧ ଅନୁସନ୍ଧାନର ନୂଆ ନୂଆ ଦିଗ ଉପରେ ଆଲୋକପାତ କରିଥିଲେ। ସେହିପରି ଆଗାମୀ ନିର୍ବାଚନ ଓ ମାଓ ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଶେଷ ଦିନର ମୁଖ୍ୟ ପ୍ରସଙ୍ଗ ରହିଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଯୋଗଦେଇ ଜାନୁଆରି ‌ଶେଷ ସୁଦ୍ଧା ରାଜ୍ୟକୁ ୪ଟି ଜୋନ୍‌‌‌ରେ ବିଭକ୍ତ କରାଯାଇ ପୁଲିସ ଅଫିସରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଆରମ୍ଭ କରାଯିବ ବୋଲି କହିଥିଲେ। ମୁକ୍ତ ଓ ଅବାଧ ମତଦାନ କିଭଳି କରାଯାଇପାରିବ, ସେ ନେଇ ଆଲୋଚନା କରାଯାଇଥିଲା।

ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିବା ଅବସରରେ ଗତ ଦୁଇ ବର୍ଷରେ ପୁଲିସ ବ୍ୟବସ୍ଥାରେ ହୋଇଥିବା ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧିବେଶନକୁ ଆଇଜିପି(କ୍ରାଇମ୍‌) ଅରୁଣ ବୋଥ୍ରା ସଂଯୋଜନା କରିଥିଲେ। ଇଓଡବ୍ଲୁ ଆଇଜି ନିଖିଲ କାନ୍ନୋଡିଆ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ଉନ୍ନୟନ ଆୟୁକ୍ତ ଅସିତ ତ୍ରିପାଠୀ, ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ସଚିବ ଗିରୀଶ ଏସ୍‌ଏନ୍‌ ଯୋଗଦେଇ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲେଚନା କରିଥିଲେ।

ଏହି ଅବସରରେ ନକ୍ସଲ ଦମନ ପାଇଁ ମାଲକାନଗିରି ଜିଲ୍ଲା ପୁଲିସକୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରସିକ୍ୟୁସନ୍‌ ପାଇଁ ମୟୂରଭଞ୍ଜ, ଗଞ୍ଜେଇ ଗଛ ନଷ୍ଟ ପାଇଁ କନ୍ଧମାଳ, ଏନ୍‌ଡିପିଏସ୍‌ ମାମଲାରେ କୋରାପୁଟ, ସଡ଼କ ସୁରକ୍ଷା ପାଇଁ କେଉଁଝର, ସିସିଟିଏନ୍‌ ପାଇଁ ସମ୍ବଲପୁର, ନାଗରିକ ସେବା ଓ ଆଇଟି ପାଇଁ ଗଜପତି, ଆଦର୍ଶ ଥାନା ପାଇଁ କୋରାପୁଟ୍‌ (ସେମିଳିଗୁଡ଼ା) ଓ ଶ୍ରେଷ୍ଠ ବାଟାଲିୟନ ଭାବରେ ଓଏସ୍‌ଏପି କଟକକୁ ସମ୍ବର୍ଦ୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର