ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀ ଆରମ୍ଭ

ଫୋକସରେ ସାଧାରଣ ନିର୍ବାଚନ

ଭୁବନେଶ୍ବର : ଆଜିଠାରୁ ପୁଲିସ ଭବନରେ ଆରମ୍ଭ ହୋଇଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ୩ ଦିନିଆ ସମ୍ମିଳନୀ। ଏଥିରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ, ମାଓ ଗତିବିଧି, ନେତୃତ୍ବ, ସାମାଜିକ ଗଣମାଧ୍ୟମ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ସାଧାରଣ ନିର୍ବାଚନ ପରିଚାଳନା ମୁଖ୍ୟ ବିଷୟ ଥିଲା। ନିର୍ବାଚନ ଆଉ ୩ ମାସ ଥିବାବେଳେ କେମିତି ପ୍ରାର୍ଥୀ ଓ ଭୋଟରଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ଏହା ଉପରେ ଗୁରୁତ୍ବ ଦିଆଯାଇଥିଲା। ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା ଓ ରାଜନୈତିକ ହିଂସା ରୋକିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିବ। ଏହି ସମୟରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାଙ୍କର ମଧ୍ୟ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିବ। ତେଣୁ ଏହା ଉପରେ ଫୋକସ୍‌ ରଖିବାକୁ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା ଏସ୍‌ପି, ରେଞ୍ଜ ଡିଆଇଜି ଓ ଆଇଜିମାନଙ୍କୁ ନିର୍ଦେଶ ଦେଇଥିଲେ। ଏହାବ୍ୟତୀତ ଜିଲ୍ଲା ଏସ୍‌ପିଙ୍କୁ ଭଲ ପ୍ରଦର୍ଶନ କରିବାକୁ କୁହାଯାଇଛି। ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ପରବର୍ତୀ ସମୟରେ ଗୁରୁତ୍ବପୂର୍ଣ ପଦ ପଦବିରେ ଅବସ୍ଥାପିତ କରାଯିବ ବୋଲି ଶ୍ରୀ ଶର୍ମା ସମ୍ମିଳନୀରେ ସୂଚାଇଥିଲେ। ସେହିପରି୨୦୧୮ରେ ଓଡ଼ିଶା ପୁଲିସ କିଭଳି କ୍ରାଇମ ବ୍ରାଞ୍ଚଠାରୁ ଆରମ୍ଭ କରି ନକ୍ସଲ ଅପରେସନ, ହକି ବିଶ୍ବକପ ଭଳି ମେଗା ଇଭେଣ୍ଟର ଆୟୋଜନ, ପରୀ ଅଭିଯାନ, ମଡେଲ ପୁଲିସ ଷ୍ଟେସନ୍‌ ଓ ପୁଲିସ ଜିଲ୍ଲା ମୁଖ୍ୟାଳୟରେ କାଉନସେଲିଂ ସେଣ୍ଟର୍‌ ଖୋଲି ଅନେକ ସଫଳତା ପାଇଛି ତାର ମଧ୍ୟ ବିସ୍ତୃତ ବର୍ଣ୍ଣନା କରିଥିଲେ।

ଅପରାହ୍‌ଣରେ ପୁଲିସ ଅଫିସରମାନଙ୍କୁ ସାଇବର ଅପରାଧ, ମେଗା ଇଭେଣ୍ଟ ଆୟୋଜନ ଓ ନେତୃତ୍ବ ନେବାର କୌଶଳ ଉପରେ ତାଲିମ ଦିଆ ଯାଇଥିଲା। ଏଥିରେ ପୂର୍ବତନ ନାଗାଲାଣ୍ଡ ରାଜ୍ୟପାଳ ତଥା ଅବସରପ୍ରାପ୍ତ ଆଇପିଏସ୍‌ ଶ୍ୟାମଲାଲ ଦତ୍ତ, ପୂର୍ବତନ ଗୁଇନ୍ଦା ଅଧିକାରୀ କ୍ୟାପଟେନ୍‌ ରଘୁ ରମଣ ପ୍ରମୁଖ ଅଂଶ ଗହଣ କରିଥିଲେ।

କାର୍ଯ୍ୟକ୍ରମରେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି, କ୍ରାଇମ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ, ଏସସିଆରବି ନିର୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟ ଫୋରେନସିକ ଲାବ୍ରୋ‌ଟାରି ନି‌ଦେର୍ଶକ ସୁଶାନ୍ତ କୁମାର ନାଥ, ବିଜୁ ପଟ୍ଟନାୟକ ପୁଲିସ ତାଲିମ କେନ୍ଦ୍ର ନିର୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଆଇପିଏସମାନେ ଯୋଗ‌ ଦେଇଥିଲେ।

ଖୋଲିବ ସୋସିଆଲ ମିଡିଆ ମନିଟରିଂ ସେଲ:
ବୈଠକରେ ସ୍ଥିର େହାଇଥିଲା େଯ ଦିନକୁ ଦିନ ସୋସିଆଲ ମିଡିଆର ବ୍ୟବହାର ବଢ଼ିବାରେ ଲାଗିଛି। ଏହାକୁ ତାଳ ଦେଇ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଉଛି। ତେଣୁ ଖୁବ୍ ଶୀଘ୍ର ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଓଡ଼ିଶା ପୁଲିସ ପକ୍ଷରୁ ସୋସିଆଲ ମିଡିଆ ମନିଟରିଂ ସେଲ ଭୁବନେଶ୍ବରର ସ୍ବତନ୍ତ୍ର ଗୁଇନ୍ଦା କାର୍ଯ୍ୟାଳୟରେ ଖୋଲିବ।

କ୍ରାଇମ ବ୍ରାଞ୍ଚକୁ ପ୍ରଶଂସା:
ପୁଲିସ ଡିଜି ଏହି ଅବସରରେ କ୍ରାଇମ ବ୍ରାଞ୍ଚକୁ ଢେର ପ୍ରଶଂସା କରିଥିଲେ। ବିଶେଷକରି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲବୋମା ଘଟଣାରେ କ୍ରାଇମ ବ୍ରାଞ୍ଚର ସଫଳତାକୁ ବଖାଣିଥିଲେ। କହିଥିଲେ ପାର୍ସଲ ବୋମା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା। କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ ଭାର ନେଇ ଏହା ଉପରୁ ରହସ୍ୟ ଉନ୍ମୋଚନ କରିଥିଲା। ସେହିପରି ଏସ୍‌ଟିଏଫ ମଧ୍ୟ ଗ୍ୟାଙ୍ଗଷ୍ଟର ଟିଟୋ ଓ ତାର ଗ୍ୟାଙ୍ଗ ସଦସ୍ୟମାନଙ୍କୁ ଗିରଫ କରି ଚର୍ଚାରେ ଥିଲା। କ୍ରାଇମ ବ୍ରାଞ୍ଚର ଅପରାଧ ଶାଖା ମଧ୍ୟ ଗତ ବର୍ଷ ବିଭିନ୍ନ ଠକେଇ ମାମଲାରେ ୧୦୦ ଜଣ ଠକଙ୍କୁ ଗିରଫ କରିଥିଲା। ଯାହା ବିଗତ ବର୍ଷର ଏକ ରେକର୍ଡ।

ନିପାତ ହୋଇଛନ୍ତି ୧୯ ନକ୍ସଲ:
୨୦୧୮ ବର୍ଷରେ ନକ୍ସଲ ଓ ପୁଲିସ ମଧ୍ୟରେ ୨୫ ଥର ଗୁଳି ବିନିମୟ ଘଟିଛି। ଏଥିରେ ୧୯ ନକ୍ସଲଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ ଜଣ କ୍ୟାଡର ନକ୍ସଲ ଗିରଫ ହୋଇଛନ୍ତି। ୨୪ କ୍ୟାଡର୍‌ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣରେ ଗୁଳିଗୋଳା ଜବତ ହୋଇଛି। ଅନ୍ୟପକ୍ଷରେ ମାଓ ଅଧ୍ୟୁଷିତ ଜିଲ୍ଲା ଏବେ ୧୯ରୁ କମି ୧୫ରେ ପହଞ୍ଚିଛି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବ। ଏଥିପାଇଁ ଡିଜି ଶ୍ରୀ ଶର୍ମା ମାଓ ଅଧ୍ୟୁଷିତ ଜିଲ୍ଲାରେ ଥିବା ଯୁବ ଆଇପିଏସ୍, ଏସଓଜି ଓ ଡିଭିଏଫ ଯବାନଙ୍କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର