ସରକାରୀ ମେଡିକାଲ କଲେଜରେ ସିନିୟର ରେସିଡେଣ୍ଟ ପଦ ପୂରଣ ପ୍ରସଂଗ, ହାଇକୋର୍ଟଙ୍କ ଜବାବ ତଲବ

କଟକ : ରାଜ୍ୟର ୭ଟି ସରକାରୀ ମେଡିକାଲ କଲେଜରେ ଖାଲି ପଡିଥିବା ସିନିୟର ରେସିଡେଣ୍ଟ ଓ ଟ୍ୟୁଟର ପଦ ପୂରଣ ପାଇଁ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦେଶକ(ଡିଏମଇଟି)ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ବିଜ୍ଞପ୍ତି ଆଧାରରେ ପ୍ରଦା‌ନ କରାଯିବାକୁ ଥିବା ନିଯୁକ୍ତିର ଭବିଷ୍ୟତ ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଅଗଷ୍ଟ ୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଲଗ୍ନଜିତ ଦାଶଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ୭ଟି ସରକାରୀ ମେଡିକାଲ କଲେଜରେ ଖାଲି ପଡିଥିବା ସିନିୟର ରେସିଡେନ୍ସ (ଏସ୍‌ଆର) ଓ ଟ୍ୟୁଟର ପଦ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ୨୦୧୯ ଜୁଲାଇ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏସ୍‍ସିବି ମେଡିକାଲ କଲେଜରେ ୪୧ଟି ଏସଆର ଓ ୮ଟି ଟ୍ୟୁଟର ପଦ ଖାଲି ପଡିଥିବାବେଳେ ଏମକେସିଜିରେ ୨୯ଟି ଏସଆର ଓ ୯ଟି ଟ୍ୟୁଟର, କୋରାପୁଟ ମେଡିକାଲ କଲେଜରେ ୮ଟି ଏସଆର ଓ ୩ଟି ଟ୍ୟୁଟର, ବାରିପଦାରେ ୭ଟି ଏସଆର ଓ ୩ଟି ଟ୍ୟୁଟର, ବଲାଙ୍ଗୀରରେ ୮ଟି ଏସଆର ଓ ୩ଟି ଟ୍ୟୁଟର, ବାଲେଶ୍ୱର ମେଡିକାଲ କଲେଜରେ ୭ଟି ଏସଆର ଓ ୫ଟି ଟ୍ୟୁଟର ପଦ ଖାଲି ପଡିଥିବା ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଏହିସବୁ ପଦ ପାଇଁ ୧୯ତାରିଖରେ ଭୁବନେଶ୍ୱର ଆଇଏମଏ ହାଉସରେ ସାର୍ଟିଫିକେଟ ଯାଞ୍ଚ ସହିତ ଉକ୍ତ ଦିନ ମେଧାବୀ ତାଲିକା ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। କିନ୍ତୁ ଆଶାୟୀଙ୍କ ପାଇଁ ମୌଖିକ କିମ୍ବା ସାକ୍ଷାତକାର ପରୀକ୍ଷା ବ୍ୟବସ୍ଥା ରହିନାହିଁ। ଏମଡି/ଡିଏସରେ ଉତ୍ତୀର୍ଣ୍ଣ ଡାକ୍ତରୀ ଛାତ୍ରଛାତ୍ରୀ ସିନିୟର ରେସିଡେନ୍ସ ପଦ ପାଇଁ ଯୋଗ୍ୟତା ମାନଦଣ୍ଡ ରହିଛି। କିନ୍ତୁ ଏହି ପାଠ୍ୟକ୍ରମରେ ରଖିଥିବା ନମ୍ବରକୁ ବିଚାରକୁ ନିଆଯାଇନାହିଁ। ଏମଡି/ଡିଏସ ପରୀକ୍ଷା ନମ୍ବର ବଦଳରେ ମାଟ୍ରିକ, +୨ ଏବଂ ଏମବିବିଏସ ନମ୍ବର ବିଚାରକୁ ନିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୧୪ରୁ ପିଜି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ନମ୍ବର ମିଳୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଏହାକୁ ଗୁରୁତ୍ୱ ଦେଇନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରକାଶିତ ବିଜ୍ଞପ୍ତିକୁ ନେଇ ବହୁ ଆଶାୟୀ ଦ୍ୱନ୍ଦ୍ୱରେ ପଡିଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଏପରି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ବହୁ ମେଧାବୀ ଛାତ୍ରଛାତ୍ରୀ ମେଡିକାଲ କଲେଜରେ ଏସଆର/ ଟ୍ୟୁଟର ପଦରେ ନିଯୁକ୍ତି ପାଇବା କଷ୍ଟକର ବ୍ୟାପାର ବୋଲି ଆବେଦନରେ ଦର୍ଶାଯାଇଛି। ଏସ୍‌ଆର ଓ ଟ୍ୟୁଟର ପଦ ପାଇଁ ପିଜିଆଇ ଚଣ୍ଡୀଗଡ, ଏମସ୍‌, ନିମହାନସ ପ୍ରଭୃତି ଜାତୀୟସ୍ତରର ଅନୁଷ୍ଠାନରେ ଉଭୟ ମୌଖିକ ଓ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅଣଦେଖା କରିଛି। ମାମଲାରେ ସ୍ବାସ୍ଥ୍ୟ ବିଭାଗ ସଚିବ, ଡିଏମଇଟି ଓ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆକୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଥିବାବେଳେ ସ୍ମୃତି ରଞ୍ଜନ ଦାଶ, ରାଜଭୂଷଣ ଦାଶ, ରମେଶ ସେଠୀ, ଦିବ୍ୟା ମହାଜନ ଓ କିଶୋର ନାୟକ ତାଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର