ସରକାରୀ ମେଡ଼ିକାଲ କଲେଜରେ ସିନିୟର ରେସିଡେଣ୍ଟ ପଦ ପୂରଣ ପ୍ରସଂଗ : ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ ମାମଲାର ପରବର୍ତ୍ତୀ ଶୁଣାଣି ୮ରେ

କଟକ : ରାଜ୍ୟର ୭ଟି ସରକାରୀ ମେଡିକାଲ କଲେଜରେ ଖାଲି ପଡିଥିବା ସିନିୟର ରେସିଡେଣ୍ଟ ଓ ଟ୍ୟୁଟର ପଦ ପୂରଣ ପାଇଁ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦେଶକ(ଡିଏମଇଟି)ଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଓ ଏ ସଂପର୍କିତ ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ କରି ରୁଜୁ ମାମଲାର ଆଜି ହାଇକୋର୍ଟ‌ରେ ଶୁଶ‌ାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.‌ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ଅଗଷ୍ଟ ୮ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ୭ଟି ସରକାରୀ ମେଡିକାଲ କଲେଜରେ ଖାଲି ପଡିଥିବା ସିନିୟର ରେସିଡେଣ୍ଟ (ଏସ୍‌ଆର) ଓ ଟ୍ୟୁଟର ପଦ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ୨୦୧୯ ଜୁଲାଇ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏସ୍‍ସିବି ମେଡିକାଲ କଲେଜରେ ୪୧ଟି ଏସଆର ଓ ୮ଟି ଟ୍ୟୁଟର ପଦ ଖାଲି ପଡିଥିବାବେଳେ ଏମ୍‌କେସିଜିରେ ୨୯ଟି ଏସଆର ଓ ୯ଟି ଟ୍ୟୁଟର, କୋରାପୁଟ ମେଡିକାଲ କଲେଜରେ ୮ଟି ଏସଆର ଓ ୩ଟି ଟ୍ୟୁଟର, ବାରିପଦାରେ ୭ଟି ଏସଆର ଓ ୩ଟି ଟ୍ୟୁଟର, ବଲାଙ୍ଗୀରରେ ୮ଟି ଏସଆର ଓ ୩ଟି ଟ୍ୟୁଟର, ବାଲେଶ୍ୱର ମେଡିକାଲ କଲେଜରେ ୭ଟି ଏସଆର ଓ ୫ଟି ଟ୍ୟୁଟର ପଦ ଖାଲି ପଡିଥିବା ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ତେବେ ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ପୂର୍ବରୁ ଏକ ମାମଲା ବିଚାରାଧୀନ ଥିବାବେଳେ ସାଧାରଣ ପ୍ରଶାସନ ବିଭାଗ ୨୦୧୯, ଜାନୁୟାରି ୧୮ରେ ଜାରି କରିଥିବା ବିଜ୍ଞପ୍ତିକୁ ଅଣଦେଖା କରି ସ୍ବାସ୍ଥ୍ୟ ବିଭାଗ ଭେଷଜ ବିଭାଗର ସିନିୟର ରେସିଡେଣ୍ଟ ପଦବିରେ ୬ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ବୋଲି ଅଭିଯୋଗ ହୋଇଛି। ନିଯୁକ୍ତି କ୍ଷେତ୍ରରେ କ୍ୟାରିୟର ମାର୍କିଂ ନ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମନୋମୁଖୀ ଭାବେ ନିଯୁକ୍ତି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଭେଷଜ ବିଭାଗର ୭ ପଦବି ମଧ୍ୟରୁ ୬ଜଣ ଡାକ୍ତରଙ୍କୁ ସିନିୟର ରେସିଡେଣ୍ଟ ପଦବିରେ ନିଯୁକ୍ତି ଦିଆଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ନିଯୁକ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନରେ ପ୍ରାର୍ଥନା କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ସଚିବ, ଡିଏମଇଟି ଓ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆକୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀ ଡାକ୍ତର ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଥିବାବେଳେ ସ୍ମୃତି ରଞ୍ଜନ ଦାଶ, ରାଜଭୂଷଣ ଦାଶ, ରମେଶ ସେଠୀ, ଦିବ୍ୟା ମହାଜନ ଓ କିଶୋର ନାୟକ ତାଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର