ଭୁବନେଶ୍ବର : ବିଶିଷ୍ଠ ବୈଜ୍ଞାନିକ ତଥା ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ସ୍ଥାପନର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମଙ୍କ ପରମ ମିତ୍ର ପଦ୍ମଶ୍ରୀ ପ୍ରଫୁଲ୍ଲ କୁମାର ଜେନାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ ଓଡିଶାରେ ସାଇନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଥିଲେ। ସିଏସ୍‌ଆଇଆରର ସେ ପ୍ରଥମ ଓଡ଼ିଆ ମହାନିର୍ଦ୍ଦେଶକ ଭାବରେ ଗୌରବ ଅର୍ଜନ କରିଥିଲେ। ଇନ୍‌ଷ୍ଟିଚ୍ୟୁଟ୍‌ଅଫ୍‌ ଫିଜିକ୍ସ, ସାଇନ୍ସ ପାର୍କ, ଆରଆରଏଲ୍‌, ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପ୍ରତିଷ୍ଠାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ବର୍ଜ୍ୟବସ୍ତୁ ପରିଚାଳନା, ଖଣିଜ ଆବର୍ଜନାରୁ ଧାତୁ ପୃଥକ୍କୀକରଣରେ ତାଙ୍କ ଗବେଷଣା ଉଲ୍ଲେଖନୀୟ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କର ମୃତ୍ୟୁରେ ରାଜ୍ୟର ଅପୂରଣୀୟ କ୍ଷତି ହେଲା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ପଦ୍ମଶ୍ରୀ ପ୍ରଫେସର ପ୍ରଫୁଲ୍ଲ କୁମାର ଜେନାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଧାତବ ବିଜ୍ଞାନ ଓ ଗବେଷଣା କ୍ଷେତ୍ରକୁ ପ୍ରୋତ୍ସାହନ ଦେବାରେ ତାଙ୍କର ଯୋଗଦାନ ଅତୁଳନୀୟ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି ସେ ଟ୍ବିଟ୍‌ କରିଛନ୍ତି।

ସୂଚନାଯୋଗ୍ୟ, ୧୯୩୧ ଡିସେମ୍ବର ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଜେନା ଭାବା ଅଟୋମିକ୍‌ ରିସର୍ଚ୍ଚ ସେଣ୍ଟରରେ ବରିଷ୍ଠ ବୈଜ୍ଞାନିକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ବନାରସ ହିନ୍ଦୁ ୟୁନିଭରସିଟିରେ ମେଟାଲର୍ଜି ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।