ବାଲେଶ୍ବର: ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପଦେଷ୍ଟା ତଥା ଗୁଜରାଟ କ୍ୟାଡର୍ର ବରିଷ୍ଠ ଆଇଏଏସ୍ ରବିନାରାୟଣ ଦାସ(୭୩)ଙ୍କର ଆଜି ଅପରାହ୍ନ ସାଢ଼େ ୩ଟାରେ କୋଲକାତାସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ପରଲୋକ ଘଟିଛି। ରକ୍ତ କର୍କଟରେ ପୀଡ଼ିତ ହୋଇ ଗତ ତିନି ସପ୍ତାହ ହେଲା ସେ କୋଲକାତାରେ ଚିକିତ୍ସାଧୀନ ଥିଲେ। କେବଳ ଜଣେ ବରିଷ୍ଠ ପ୍ରଶାସକ ଭାବେ ନୁହେଁ, ସମାଜବାଦ ଓ ମାନବବାଦର ପୂଜାରୀ, ସରଳ, ସଚ୍ଚୋଟ ତଥା ନିଷ୍କପଟ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟ ଥିଲେ। ତେଣୁ ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଶ୍ରୀ ଦାସ ୧୯୪୬ ମସିହା ଡିସେମ୍ବର ୮ ତାରିଖରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନାବରା ଗ୍ରାମରେ ପିତା ପ୍ରାଣକୃଷ୍ଣ ଦାସ ଓ ମାତା ହେମାଙ୍ଗିନୀ ଦାସଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍କୁଲ ଜୀବନ ଭଦ୍ରକ ଜିଲ୍ଲା ଧାମନଗରସ୍ଥିତ କୋଠାରରେ କଟିଥିଲା। ପରେ ସେ ଫକୀରମୋହନ ମହାବିଦ୍ୟାଳୟରେ ସ୍ନାତକ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଜଣେ ମେଧାବୀ ଓ ପ୍ରତିଭାବାନ ଛାତ୍ର ଶ୍ରୀ ଦାସ ଫକୀର ମୋହନ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ମଧ୍ୟ ହୋଇଥିଲେ। ଏହି ସମୟରେ ସେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ବାଲେଶ୍ବରର ପ୍ରାକ୍ତନ ବିଧାୟକ ରବୀନ୍ଦ୍ର ମୋହନ ଦାସ, ପ୍ୟାରୀମୋହନ ଦାସ ଓ ପୂର୍ବତନ ମନ୍ତ୍ରୀ ମହେଶ୍ବର ବାଗଙ୍କ ଭଳି ନେତାଙ୍କ ସଂସ୍ପର୍ଶରେ ଆସି ସମାଜବାଦୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇଥିଲେ। ପରେ ସର୍ବଭାରତୀୟ ସଭିଲ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡରର୍ ଆଇଏଏସ୍ ଭାବେ କାର୍ଯ୍ୟାରମ୍ଭ କରିବା ସହ ବୃତ୍ତିଗତ ଜୀବନରେ ମଧ୍ୟ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ଏବଂ ଜଣେ ଦକ୍ଷ ପ୍ରାଶାସନିକ ଅଧିକାରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ ଶ୍ରୀ ଦାସ ଦାୟିତ୍ବ ନିର୍ବାହ କରିଥିଲେ। ଏହା ପରେ ଭାରତ ସରକାରଙ୍କ ସଚିବ ରହି ପୁଣି ଗୁଜରାଟ ଫେରି ଯାଇଥିଲେ।
ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଗୁଜରାଟର ମୁଖ୍ୟ ଶାସନ ସଚିବ ପାହ୍ୟାରେ ରହି ନିଜ ପ୍ରାଶାସନିକ ପାରଦର୍ଶିତାର ପ୍ରମାଣ ଦେଇଥିଲେ। ଅବସର ପରେ ମଧ୍ୟ ସେ ବେଶ୍ କିଛି ବର୍ଷ କାଳ ଗୁଜରାଟର ମୁଖ୍ୟ ସୂଚନା କମିସନର ଦାୟିତ୍ବରେ ରହିଥିଲେ। ତେବେ ୨୦୧୪ରେ ସେ ଓଡ଼ିଶା ଫେରି ଆସି ଓଡ଼ିଶା ଯୋଜନା ବୋର୍ଡର ଉପଦେଷ୍ଟା ଭଳି ଗୁରୁତ୍ବପୂର୍ଣ୍ଣ ପଦ ଅଳଙ୍କୃତ କରିଥିଲେ।