ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ବରିଷ୍ଠ ପନ୍ତିବଡ଼ୁ ସେବାୟତ ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ(୮୩)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଜଗନ୍ନାଥ ଟାଉନ ଥାନା ଅନ୍ତର୍ଗତ ଗୁଡ଼ିଆସାହି ରାବେଣା ଚଉରାଛକ ନିକଟରେ ରହୁଥିବା ନାରାୟଣ ପାଟଯୋଷୀ(୫୮)ଙ୍କ ଘରକୁ ଯାଇଥିଲେ। ସେଠାରେ ନାରାୟଣ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାପରେ ଅଭିଯୁକ୍ତ ଜଗନ୍ନାଥଙ୍କ ମୃତ ଶରୀରକୁ ଦାଣ୍ଡ ଦୁଆରେ ଫିଙ୍ଗିଦେବା ସହ ପ୍ରମାଣ ନଷ୍ଟ କରିବାକୁ ରକ୍ତଛିଟାରେ ପାଣିଢାଳି ଧୋଇଦେଇଛି। ପଡ଼ୋଶୀଙ୍କ ସିସି କ୍ୟାମେରା ଫୁଟେଜ୍ ସଂଗ୍ରହ କରି ଅଭିଯୁକ୍ତ ନାରାୟଣକୁ ଖୋଜାଖୋଜି କରାଯିବାରୁ ଶ୍ବଶୁର ଘରୁ ଧରାପଡ଼ିଛି। ଅନ୍ୟପଟେ ପୁଲିସ ଅଭିଯୁକ୍ତ ନାରାୟଣର ଭାଇକୁ ଉଠାଇନେଇ ଥାନାରେ ଅଟକ ରଖି ପଚରା ଉଚରା କରିବାରେ ଅନେକ ତଥ୍ୟ ହସ୍ତଗତ ହୋଇଛି। ଖବରପାଇ ସିଟି ଡିଏସ୍ପି ପ୍ରଶାନ୍ତ ସାହୁ, ଟାଉନ ଥାନା ଆଇଆଇସି ଗୋକୁଳରଞ୍ଜନ ଦାସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଳାଇଛନ୍ତି। ଏ ସଂକ୍ରାନ୍ତରେ ଜଗନ୍ନାଥଙ୍କ ପୁତୁରା ଭୀମସେନ ଦୀକ୍ଷିତ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୨୪୭/୨୫ରେ ମାମଲା ରୁଜୁ କରିଛି।
ଆଜି ଅପରାହ୍ଣ ପ୍ରାୟ ୩ଟା ୧୫ ମିନିଟ୍ ସମୟରେ ଜଗନ୍ନାଥଙ୍କ ରକ୍ତାକ୍ତ ଶବକୁ ନାରାୟଣ ଟେକିଆଣି ନିଜ ଘର ପାହାଚ ତଳ ଦାଣ୍ଡରେ ପକାଉଥିବା ଦେଖି ସାହି ପଡ଼ୋଶୀ ଟାଉନ ଥାନାକୁ ଖବର ଦେଇଥିଲେ। ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ପୁଲିସ ଅଭିଯୁକ୍ତ ନାରାୟଣର ଘରେ ଯାଞ୍ଚ କରି ତା’ ସାନଭାଇକୁ ଉଠାଇ ନେଇଥିଲା। ଅନ୍ୟପଟେ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବାରୁ ପ୍ରାୟ ୧୧ଟା ୫ ମିନିଟ୍ ସମୟରେ ନାରାୟଣ ସାଇକଲ୍ରେ ନିଜ ଘରକୁ ଯାଇଥିବା ବେଳେ ତା’ ପଛେପଛେ ଜଗନ୍ନାଥ ଯାଉଥିବାର ଦେଖିବାକୁ ମିଳିଥିଲା। ଏହାପରେ ପ୍ରାୟ ୧ଟା ୧୫ ମିନିଟ୍ ସମୟରେ ନାରାୟଣର ପାହାଚରୁ ରକ୍ତମିଶା ପାଣି ଦାଣ୍ଡକୁ ଗଡ଼ିଥିବାର ଦେଖିବାକୁ ମିଳିଥିଲା। ପ୍ରାୟ ୩ଟା ୧୫ ମିନିଟ୍ ସମୟରେ ଜଗନ୍ନାଥଙ୍କ ଶବକୁ ଟେକିଆଣି ନାରାୟଣ ଦାଣ୍ଡ ଦୁଆରେ ଫିଙ୍ଗୁଥିବା ଜଣାପଡ଼ିଥିଲା। ଦିନ ୧୧ଟା ୫ ମିନିଟ୍ରୁ ୧ଟା ୧୫ ମିନିଟ୍ ମଧ୍ୟରେ ସେ ଜଗନ୍ନାଥଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା। ନାରାୟଣର ଘରର ଖଟ ନିକଟ କାନ୍ଥରେ ରକ୍ତଛିଟା ଲାଗିଛି। ସେଠାରେ ଜଗନ୍ନାଥଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଜଗନ୍ନାଥଙ୍କ ଶବ ଖଟ ଉପରେ ପଡ଼ିଥିବା ବେଳେ ପ୍ରମାଣ ନଷ୍ଟ କରିବାକୁ ଯାଇ ୧ଟା ୧୫ ମିନିଟ୍ ସମୟରେ ନାରାୟଣ ତା’ର ଘରେ ପାଣି ଢାଳି ଧୋଇଥିଲା। ଏହାର ପ୍ରାୟ ଦୁଇ ଘଣ୍ଟା ପରେ ଜଗନ୍ନାଥଙ୍କ ଶବକୁ ଆଣି ଦାଣ୍ଡରେ ଫିଙ୍ଗି ନାରାୟଣ ବାରିପଟେ ସାଇକଲ୍ ନେଇ ଚମ୍ପଟ ମାରିଥିଲା।