ବାଲେଶ୍ବର: ଆସନ୍ତା ସାଧାରଣ ନିର୍ବାଚନରେ ବାଲେଶ୍ବର ଜିଲ୍ଲା ସମେତ ଓଡ଼ିଶାର କେତେକ ନିର୍ବାଚନମଣ୍ଡଳୀରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ପ୍ରାର୍ଥୀ ଦେବ। ତେବେ ଦଳ ଏକାକୀ ଲଢ଼ିବ ନା କାହା ସହ ମେଣ୍ଟ କରିବ; ସେ ସଂପର୍କରେ ଶୀର୍ଷ ନେତୃତ୍ବ ବିଚାରବିମର୍ଶ ଚଳାଇଛନ୍ତି ବୋଲି ରବିବାର ବାଲେଶ୍ବର ଗସ୍ତରେ ଆସି କହିଛନ୍ତି ତୃଣମୂଳ କଂଗ୍ରେସର ମୁଖପାତ୍ର ତଥା ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀକାନ୍ତ ମାହାତୋ।
ଶ୍ରୀ ମାହାତୋ ବାଲେଶ୍ବର ବିବେକାନନ୍ଦ ମାର୍ଗରେ ତୃଣମୂଳ କଂଗ୍ରେସର ଦଳୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାରକୁ ହଟାଇବା ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍ସି) ଦେଶର ସମସ୍ତ ଅଣବିଜେପି ଦଳକୁ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛି। ଆଗାମୀ ସାଧାରଣ ନିର୍ବାଚନ ପରେ ଦେଶରେ କିଏ ପ୍ରଧାନମନ୍ତ୍ରୀ ହେବେ ତାହା ବଡ଼ କଥା ନୁହେଁ; ପରନ୍ତୁ ଗଣତନ୍ତ୍ରର ସୁରକ୍ଷା ପାଇଁ ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ସମଭାବାପନ୍ନ ଦଳକୁ ଏକାଠି କରି କେନ୍ଦ୍ରରୁ ବିଜେପି ସରକାର ହଟାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଆହୁରି କହିଥିଲେ, ଓଡ଼ିଶାରେ ବିଜେଡି ସରକାର ସମଦୂରତ୍ୱ ନାମରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ସମର୍ଥନ ଦେଉଛନ୍ତି। ଦେଶର ସ୍ୱାର୍ଥ ପାଇଁ ନବୀନ ସରକାର ମଧ୍ୟ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ଖୋଲାଖୋଲି ଆହ୍ୱାନ ଦେବା ଆବଶ୍ୟକ। ମନ୍ତ୍ରୀ ଶ୍ରୀ ମାହାତୋଙ୍କ ପତ୍ନୀ ଅଞ୍ଜନା ମାହାତୋ ଦଳୀୟ ସଭାରେ ଯୋଗଦେଇ କହିଥିଲେ ତ୍ରିପୁରା, ଆସାମ ଭଳି ରାଜ୍ୟରେ ତୃଣମୂଳ କଂଗ୍ରେସ ସଂଗଠନର ଭଲ ସମର୍ଥନ ରହିଛି। ତେଣୁ ଓଡ଼ିଶାରେ ମଧ୍ୟ ସଂଗଠନକୁ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।
ତୃଣମୂଳ କଂଗ୍ରେସର ବାଲେଶ୍ବର ଜିଲ୍ଲା ସଭାପତି ନନ୍ଦନ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଉପସଭାପତି ସାଜନ୍ ଅଲ୍ଲୀ ସାହା, ରେମୁଣା ନିର୍ବାଚନ ମଣ୍ଡଳୀ ସଭାପତି ସେକ୍ ରହେମତ୍, ଭୋଗରାଇ ବ୍ଲକ୍ ସଭାପତି ରାଜେନ୍ଦ୍ର ଜେନା, ବରିଷ୍ଠ ଆଇନଜୀବୀ ରଘୁନାଥ ମହାଳିକ, ନାରୀନେତ୍ରୀ ସୁନୀତା ପାଲ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/gjgdjjggjj.jpg)