ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଗତକାଲି ସେମିଫାଇନାଲରେ ପରାସ୍ତ ହୋଇଥିବାବେଳେ ଆଜି ମହିଳା ଦଳ ମଧ୍ୟ ଆର୍ଜେଣ୍ଟିନା ବିପକ୍ଷରେ ହାରିଯାଇଛି। ସେମିଫାଇନାଲକୁ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଦଳର ଏହି ପ୍ରଦର୍ଶନ ଅନେକଙ୍କୁ ନିରାଶ କରିଛି ସତ; ମାତ୍ର ଏମାନଙ୍କଠାରୁ ପଦକ ଆଶା ହରାଇନାହାନ୍ତି ଜିଲ୍ଲାର ହକିପ୍ରେମୀ। ଏବେ ବି ଉଭୟ ଦଳର ବ୍ରୋଞ୍ଜ୍‌ ପଦକ ଆଶା ଉଜ୍ଜିବୀତ ବୋଲି କହିଛନ୍ତି ଉଦୀୟମାନ ହକି ଖେଳାଳି।

Advertisment

ଆଜି ଅପରାହ୍ନରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ସେମିଫାଇନାଲ ମ୍ୟାଚ୍‌କୁ ଉପଭୋଗ କରିଥିଲେ। କୋଚ୍‌, କର୍ମଚାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ଦଳକୁ ଆଶାନୁରୂପ ଫଳ ମିଳିନଥିଲା, କିନ୍ତୁ ଏହି ଅଲିମ୍ପିକ୍‌ ଯାତ୍ରା ବହୁମାତ୍ରାରେ ପ୍ରେରଣା ଯୋଗାଇଥିବା କହିଛନ୍ତି ଉଦୀୟମାନ ହକି ଖେଳାଳି।

ଏହି ଅବସରରେ ବରିଷ୍ଠ କୋଚ୍‌ ଅମୂଲ୍ୟାନନ୍ଦ ବିହାରୀ, ବିଜୟ ଲାକ୍ରା, ଅମୂଲ୍ୟ ବେହେରା, ପିଟର ସୋରେଙ୍ଗ, ଫ୍ଲୋରେନ୍ସିଆ ଲାକ୍ରା, ଜାତୀୟ ହକି ଅମ୍ପାୟାର ରାଜେନ ଏକ୍କା ମଧ୍ୟ ଉପସ୍ଥିତ ଥିଲେ। ଆଜିର ଫଳାଫଳ ନେଇ କୋଚ୍‌ମାନେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି। କହିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଯେଉଁ ସଫଳତା ହାସଲ କରିଛନ୍ତି; ତାହା ଅବର୍ଣ୍ଣନୀୟ। ପେନାଲଟି କର୍ଣ୍ଣର୍‌କୁ ଗୋଲ୍‌ରେ ରୂପାନ୍ତରିତ କରିଥିଲେ ଫଳ ଆମ ସପକ୍ଷରେ ଆସିଥାନ୍ତା। ଆଜି ପରାସ୍ତ ହୋଇଛନ୍ତି ସତ, କିନ୍ତୁ ୧୩୦ କୋଟି ଭାରତୀୟଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତିବୋଲି କହିଥିଲେ। କହିଲେ, ଏହି ସଫଳତା ହକି ଇତିହାସରେ କେବଳ ଗୌରବର ନୂଆ ଫର୍ଦ୍ଦ ଯୋଡ଼ିବନି, ବରଂ ଏକାଧିକ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ। ଉଦୀୟମାନ ଖେଳାଳିମାନେ ମ୍ୟାଚ୍‌ ଦେଖି ଅନେକ କିଛି ଶିକ୍ଷା ଲାଭ କରିଛନ୍ତି। ବିଶେଷକରି ବଡ଼ସ୍ତରରେ କିଭଳି ଚାପମୁକ୍ତ ହୋଇ ଖେଳିବେ, ସେନେଇ ଜ୍ଞାନ ହାସଲ କରିଛନ୍ତିବୋଲି କହିଥିଲେ।

publive-image

ଉଦୀୟମାନ ଉପକନିଷ୍ଠ ଜାତୀୟ ତାରକାଙ୍କ ପ୍ରତିକ୍ରିୟା:-

ପ୍ରିୟଙ୍କା ରାଉତ: ‘ଫଳାଫଳ ଆମ ସପକ୍ଷରେ ଆସିଲାନି। କିନ୍ତୁ ଏହା ଆମକୁ ନିରାଶ କରିନି। ଏହି ଦଳ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ବେଶ୍‌ ପ୍ରଶଂସନୀୟ।

ଡଲି ଭୋଇ: ‌‘ଅଲିମ୍ପିକ୍‌ରେ ଦିଦି ମାନଙ୍କର ପ୍ରଦର୍ଶନ ଉଚ୍ଚକୋଟୀର। ସବୁବେବେଳେ ଫଳ ଆଶାନୁରୂପ ହୋଇନଥାଏ। ମ୍ୟାଚ୍‌ ଜିତିବା ହାରିବା ଅପେକ୍ଷା ଉନ୍ନତମାନର ପ୍ରଦର୍ଶନ କରିବା ହିଁ ମହତ୍ତ୍ବପୂର୍ଣ୍ଣ।’

ଅର୍ଚ୍ଚନା ଖାଲଖୋ: ‘ଦଳର ପ୍ରତ୍ୟେକ ମ୍ୟାଚ୍‌ ଦେଖିଲୁ। ବହୁତ କିଛି ଶିକ୍ଷା ପାଇଲୁ। ଏହା ଆମକୁ ପ୍ରେରଣା ଯୋଗାଇବ। ଏହାକୁ ଆଧାର କରି ଭବିଷ୍ୟତରେ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରୟାସ ଜାରି ରଖିବୁ।’

ଅମୀଷା ଏକ୍କା: ‘ଭାରତୀୟ ଖେଳାଳିଙ୍କ ଏହି ସଫଳତା ହକି ଇତିହାସର ସ୍ବର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ ହୋଇଗଲା। ଯେତେବେର୍ଷ ବିତିଗଲେ ମଧ୍ୟ, ଟୋକିଓ ଅଲିମ୍ପିକ୍‌ରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅବିସ୍ମରଣୀୟ ହୋଇ ରହିବ। ଏହି ଅଭୁଲା ମୂହୁର୍ତ୍ତକୁ ସ୍ବଚକ୍ଷୁରେ ଦେଖିବାର ସୁଯୋଗ ମିଳିବା, ସୌଭାଗ୍ୟର ବିଷୟ।

ଅନୀମା ଓରାମ: ‘ଆମ ପାଖରେ ଏବେ ବି ସୁଯୋଗ ଅଛି ପଦକ ପାଇଁ। ଆଗାମୀ ମ୍ୟାଚ୍‌ରେ ନିଶ୍ଚିତଭାବରେ ବଳିଷ୍ଠ ପ୍ରଦର୍ଶନ କରି ପଦକ ହାସଲ କରିବେ। ଏଥର ମହିଳା ହକିରେ ପଦକ ସୁନିଶ୍ଚିତ।

ପ୍ରେମଶୀଳା ବାଗେ: ‘ଉଭୟ ପୁରୁଷ ଓ ମହିଳା ଦଳର ଲଢ଼ୁଆ ମନୋଭାବ ବେଶ୍‌ ପ୍ରଭାବିତ କରିଛି। ଏଭଳି ଦୃଢ଼ ମନୋବଳ ହିଁ ଇତିହାସ ରଚିବାରେ ସହାୟକ ହୋଇଥାଏ। ଭାରତୀୟ ଦଳ ପାଇଁ ଆମେ ଗର୍ବିତ।’

ଅମୀଷା କୁଲ୍ଲୁ: ‘ହକିର ଅନେକ କ୍ରୀଡ଼ା କୌଶଳ ବିଷୟରେ ଜ୍ଞାନ ଆହରଣ କଲୁ। ଏହାକୁ ଉପଯୋଗ କରି ନିଜର ପ୍ରଦର୍ଶନରେ ଉନ୍ନତି ଆଣିବୁ। ମୋ’ଭଳି ଅସଂଖ୍ୟ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ଯୋଗାଇଥିବାରୁ ପ୍ରତ୍ୟେକ ଖେଳାଳିଙ୍କୁ ଆନ୍ତରିକ ଧନ୍ୟବାଦ।’

କନୀକା କେର୍କେଟା: ଆମ ଖେଳାଳିଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ଅଲିମ୍ପିକ୍‌ରେ ଦଳ ଯେଭଳିଭାବେ ପ୍ରଦର୍ଶନ କଲେ, ତାହା ହେଉଛି ଏକ ଚାମ୍ପିଅନ ଦଳର ଲକ୍ଷଣ। ଆମ ପାଇଁ ଭାରତୀୟ ଦଳ ପ୍ରକୃତରେ ଚାମ୍ପିଅନ।’