ପଦ୍ମପୁର: ସଂପର୍କୀୟ ଭିଣୋଇଙ୍କୁ ସଂଘବଦ୍ଧ ହତ୍ୟା ମାମଲାରେ ଫେରାର ଥିବା ଶାଳୀ ନିରୁକୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ ସରାଇପାଲି ଥାନା କେଲେଣ୍ଡା ଗ୍ରାମର କଶ୍ୟପ ବାଗ ଉକ୍ତ ଗ୍ରାମର ବିନ୍ଦୁ ସେଠ୍ଙ୍କୁ କୋଡ଼ିଏ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେମାନେ ପାଇକମାଳ ଯମୁନାନଗର ପଡ଼ାରେ ଘର କରି ରହୁଥିଲେ। କଶ୍ୟପ ପୂର୍ବରୁ ତାମିଲନାଡୁକୁ ରୋଜଗାର ପାଇଁ ଯାଉଥିଲେ। ତାଙ୍କ ଅନୁପସ୍ଥିତିରେ ସ୍ତ୍ରୀ ବିନ୍ଦୁଙ୍କ ସହିତ ସଂପର୍କୀୟ ଭଉଣୀ ନିରୁ ସେଠ୍ ରହୁଥିଲେ। ପରେ ପାଇକମାଳ ଅନ୍ତର୍ଗତ ହଳନଦାଦର ଗାଁର ମିସ୍ତ୍ରି ପରମାନନ୍ଦ ଡନସନାଙ୍କ ସହ ବିନ୍ଦୁଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। କଶ୍ୟପଙ୍କ ଅନୁପସ୍ଥିତିରେ ପରମାନନ୍ଦ ବିନ୍ଦୁ ଘରକୁ ଯିବା ଆସିବା କରୁଥିଲା।
୨୦୧୫ ମସିହା ଏପ୍ରିଲ ୨୮ ତାରିଖ କଶ୍ୟପ ତାମିଲନାଡୁରୁ ଫେରିବା ପରେ ବିନ୍ଦୁ ଓ ପରମାନନ୍ଦଙ୍କ ପ୍ରେମ ସମ୍ପର୍କ ଜାଣିବାକୁ ପାଇଥିଲେ। ବିନ୍ଦୁଙ୍କୁ ପରମାନନ୍ଦ ସହ ସମ୍ପର୍କ ନ ରଖିବା ପାଇଁ କହିଥିଲେ। ଏଥିରେ ପରମାନନ୍ଦ, ବିନ୍ଦୁ ଓ ନିରୁ ରାଗିଯାଇ କଶ୍ୟପଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥିଲେ। ପରଦିନ ରାତିରେ ପୂର୍ବ ଯୋଜନା ମୁତାବକ କଶ୍ୟପଙ୍କୁ ଟାଙ୍ଗିଆରେ ହାଣିବା ପରେ ବେକରେ ରଶି ଲଗାଇ ହତ୍ୟା କରି ଘର ପଛପଟ ବାଡ଼ିରେ ଗାତ ଖୋଳି ପୋତି ଦେଇ କଂକ୍ରିଟ କରି ଦେଇଥିଲେ। ତା ଉପରେ ଏକ ସୁନ୍ଦର ପାଣି ଟାଙ୍କି ତିଆରି କରିଥିଲେ। ଘଟଣା ପରଦିନ ସମସ୍ତେ ସକାଳୁ ଘରେ ତାଲା ପକାଇ ଛତିଶଗଡ଼ ଆଡକୁ ପଳାଇ ଯାଇଥିଲେ। ସେହି ଦିନ ବିନ୍ଦୁ ଘରେ ଆଶ୍ରୟ ନେଇ ରହୁଥିବା ସରସ୍ବତୀ ଧରୁଆ ଘଟଣା ସଂପର୍କରେ ପଡ଼ାରେ କହିଥିଲେ।
କଶ୍ୟପଙ୍କ ବାପା କାର୍ତ୍ତିକ ବାଗ ପାଇକମାଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ମାମଲା ଚାଲୁଥିବା ସମୟରେ ନିରୁ କୋର୍ଟରୁ ଜାମିନ ପାଇଥିଲା। କିନ୍ତୁ ପରେ ସେ କୋର୍ଟରେ ହାଜର ନ ହେବାରୁ ତା ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। କିଛି ମାସ ପରେ ପାଇକମାଳ ପୁଲିସ ନିରୁକୁ ଖୋଜି କୋର୍ଟରେ ହାଜର କରିଥିଲା। ଶେଷରେ ଗତ ୧୧ ତାରିଖ ଦିନ ଏଡିଜେ ଅରବିନ୍ଦ ରଥ ୨୦ ଜଣଙ୍କ ସାକ୍ଷ୍ୟକୁ ଭିତ୍ତି କରି ନିରୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ୨୦୧ ଦଫାରେ ଦୁଇବର୍ଷ ଜେଲଦଣ୍ଡ ସହ ଦୁଇ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ଆହୁରି ଅଧିକ ତିନି ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରଜନୀ ଦାଶ ମାମଲା ପରିଚାଳନା କରିଥିଲେ। ୨୦୧୮ ମସିହାରେ ଅଭିଯୁକ୍ତ ବିନ୍ଦୁ ସେଠ ଓ ପରମାନନ୍ଦ ଡନସନାକୁ କୋର୍ଟ ଜେଲ୍ ଦଣ୍ଡାଦେଶ କରିସାରିଛନ୍ତି।