ସିରାଜୁଦ୍ଦିନ୍‌ ଖଣି ନବୀକରଣ କେମିତି ହେଲା?

ଭୁବନେଶ୍ୱର : ସିରାଜୁଦ୍ଦିନ୍‌ ଖଣି ନବୀକରଣ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଶୂନ୍ୟକାଳରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ଶାହା କମିସନ ଓ ରାଜ୍ୟ ସରକାରଙ୍କ ଆଖିରେ ଦୋଷୀ ଏହି ପଟ୍ଟାଦାରଙ୍କ ଆବେଦନ ଉପରେ ସମ୍ମତି ନେଇ ଶ୍ରୀ ପ୍ରଶ୍ନ ଉଠାଇବା ସହିତ ଶେଷଦିନରେ ଓ ଶେଷ ମୁହୂର୍ତ୍ତରେ କିଭଳି ଅନୁମତି ଦିଆଗଲା, ସେ ଚିତ୍ରର ଅବତାରଣା କରିଥିଲେ। ମୁଖ୍ୟମନ୍ତ୍ରୀ ବା ଖଣି ମନ୍ତ୍ରୀ ଏ ନେଇ ତୁରନ୍ତ ଗୃହରେ ବିବୃତି ଦେବା ଲାଗି ଅଡି ବସିଥିଲେ ବିରୋଧୀ ଦଳ ନେତା। ସେପଟେ କୋର୍ଟ ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ଏ ପ୍ରସଙ୍ଗରେ ଆଲୋଚନା ନେଇ ଆପତ୍ତି ଉଠାଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ।

ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ଶ୍ରୀ ମିଶ୍ର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ସିରାଜୁଦ୍ଦିନ ଖଣି ସଂପର୍କରେ ଶାହା କମିସନଙ୍କ ରିପୋର୍ଟରେ ଅନେକ କେଳେଙ୍କାରୀର ଅବତାରଣା କରାଯାଇଛି। ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ସୁପାରିସ କରିବା ସହିତ ସିବିଆଇ ତଦନ୍ତ କଥା କହିଛନ୍ତି। ସଂପୃକ୍ତ କଂପାନି କେଳେଙ୍କାରୀ ସହିତ ଜଡିତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମକଦ୍ଦମା କରିବା ଲାଗି କୁହାଯାଇଥିଲା। କେବଳ ସେତିକି ନୁହେଁ, ରାଜ୍ୟ ସରକାର ମଧ୍ୟ ସଂପୃକ୍ତ କଂପାନିକୁ ୭୫୦ କୋଟି ଟଙ୍କାର ଜରିମାନା କରିଛନ୍ତି। ଅର୍ଥାତ୍‌ ସରକାର ମାନିଛନ୍ତି ଯେ କଂପାନି ଦୋଷ କରିଛି, ଆଇନକୁ ଫାଙ୍କିଛି।

ଏହି କଂପାନିର ଲିଜ୍‌ ଅବଧି ଡିସେମ୍ବର ୨ତାରିଖରେ ଶେଷ ହେଉଥିଲା। ୧ ତାରିଖ ଯାଏ ସରକାର ଚୁପ୍‌ ବସିଥିଲେ। ହଠାତ୍‌ ୨ ତାରିଖ ଦିନ କେନ୍ଦୁଝର ଜିଲ୍ଲାପାଳ ଏହାର ନବୀକରଣ ଅନୁମତି ଦେଇଛନ୍ତି। ସେଦିନ ଅପରାହ୍ନ ଯାଏ ମଧ୍ୟ ଜିଲ୍ଲାପାଳ ବାହାରେ ଥିଲେ। ତେବେ କେତେବେଳେ ଏହି ଅନୁମତି ଦିଆଗଲା। ଜିଲ୍ଲାପାଳଙ୍କ ଉପରେ ଆଉ କିଏ ଚାପ ପକାଇଲେ କି? ଅନୁମତି କମ ମଧ୍ୟରାତ୍ରିରେ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। ଏହା ପଛରେ ଏକ ବଡ଼ ଦୁର୍ନୀତିର ଗନ୍ଧ ବାହାରୁଛି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର