ସର୍ଗିଗୁଡା କ୍ଷୁଦ୍ର ଜଳଛାୟା ପ୍ରକଳ୍ପ: ହସିବ ୧୦ ଗାଁର ୭୫୦ ହେକ୍ଟର ଜଳ, ଜମି, ଜଙ୍ଗଲ

ରାୟଗଡ଼ା: ଜଳ, ଜମି, ଜଙ୍ଗଲର ସୁରକ୍ଷା ସହିତ ଲୋକଙ୍କୁ ଜୀବିକା ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ କାର୍ଯ୍ୟାଳୟ। କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ମାଧ୍ୟମରେ ପଦ୍ମପୁର ବ୍ଲକ୍ ଜାତିଲି ପଞ୍ଚାୟତର ସର୍ଗିଗୁଡା ନିକଟରେ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ନିର୍ମାଣ କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ପ୍ରକଳ୍ପ ମାଧ୍ୟମରେ ୧୦ଟି ଗାଁର ୭୫୦ ହେକ୍ଟର ଜଳ, ଜମି, ଜଙ୍ଗଲକୁ ସାମିଲ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ଗ୍ରାମାଞ୍ଚଳସ୍ତରରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଜାତିଲିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା।

ପ୍ରାକୃତିକ ଉତ୍ସର ସଦ ବିନିଯୋଗ କରି ଜଳ, ଜମି, ଜଙ୍ଗଲର ସୁରକ୍ଷା କଲେ ଜୀବିକା, କର୍ମ ନିଯୁକ୍ତି ମିଳିପାରିବ ବୋଲି ଜଳ ବିଭାଜିକା ପ୍ରକଳ୍ପର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଦୟାନିଧି ବାଗ୍ ସୂଚନା ଦେଇଥିଲେ। ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଥିବାରୁ ବର୍ଷା ପାଣି ସହ ନାଳ, ଝରଣାରୁ ବୋହି ଯାଉଥିବା ପାଣିକୁ ସଂରକ୍ଷଣ କରିବା ଜରୁରି ହୋଇ ପଡିଛି। ମୃର୍ତ୍ତିକା ସଂରକ୍ଷଣ ପାଇଁ ଜଙ୍ଗଲର ଆବଶ୍ୟକତା ଥିବାରୁ ଲାଭଦାୟକ ବୃକ୍ଷରୋପଣ ସହ ଜଙ୍ଗଲର ସୁରକ୍ଷା ଅବଶ୍ୟମ୍ଭାବୀ ବୋଲି ଶ୍ରୀ ବାଗ୍ କହିଛନ୍ତି। ଭଲ ଫସଲ ପାଇଁ ଜମିର ଗୁଣାବତ୍ତା ବଜାୟ ରଖିବା ଦିଗରେ ମଧ୍ୟରେ ସଭିଁଏ ଦୃଷ୍ଟି ଦେବା ଉଚିତ୍। ମାଟିରେ ଅମ୍ଳ ପରିମାଣ ବଢ଼ୁଥିବାରୁ ଉତ୍ପାଦନ କମିବାରେ ଲାଗିଛି। ଏହି ଦୃଷ୍ଟିକୋଣରୁ ଜଳ, ଜମି, ଜଙ୍ଗଲର ସୁରକ୍ଷା ସହ ଗ୍ରାମବାସୀଙ୍କ ସାମୂହିକ ବିକାଶ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତରକରଣ ପାଇଁ ସର୍ଗିଗୁଡା କ୍ଷୁଦ୍ର ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ନିର୍ଦେଶକ ଶ୍ରୀ ବାଗ୍ ସୂଚନା ଦେଇଥିଲେ।

ପ୍ରକଳ୍ପ ମାଧ୍ୟମରେ ସର୍ଗିଗୁଡା, ନୂଆଗାଁ, ମାଳତୀପୁର, ରେଲା, ଜାତିଲି, ଖମାପଦର, ଅଞ୍ଜଳି, ବହୁପଦର, ରାୟଲପଦର, ବିରିପଦର ଗ୍ରାମକୁ ସାମିଲ୍ କରାଯାଇଛି। ସଚେତନତା କାର୍ଯ୍ୟକ୍ରମରେ ଜାତିଲି ଗ୍ରାମବାସୀଙ୍କ ସମେତ ପଦ୍ମପୁର ବ୍ଲକ୍ ଅଧ୍ୟକ୍ଷା ମଣିମାଳା ଶବର, ଜାତିଲି ସରପଞ୍ଚ ଇନ୍ଦୁମତି ଶବର, ୱାର୍ଡମେମ୍ବର ରଞ୍ଜନ ଜେନା, କେ. ଅରୁଣା, କେ. ସୁଦର୍ଶନ ରାଓ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଦୟାନିଧି ବାଗ୍, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ଦିଗାମ୍ବର ବିଶ୍ବାଳ, ଓଭରସର ଧର୍ମରାଜ ସାମଲ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର