ରାଉରକେଲା: ରାଉରକେଲାର କୋଇଡା ବ୍ଲକ ଟେନସା ଫାଣ୍ଡି ଅଧୀନସ୍ଥ ଜିନ୍ଦଲ କମ୍ପାନୀ କଲୋନୀରେ ଗତକାଲି ରାତିରେ ୬ କ୍ୱାର୍ଟସରେ ଚ‌ୋର କଳାକନା ବୁଲାଇଛନ୍ତି। ଚୋର କ୍ୱାର୍ଟସରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଅର୍ଥ ଲୁଟି ନେଇଛନ୍ତି। ଖଣିରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀ ଛୁଟିରେ ଗାଁକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଏମିତି କାଣ୍ଡ ଭିଆଇଛନ୍ତି।

Advertisment

କୋଇଡା ଓ ଟେଂସା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଉରକେଲାରୁ ସାଇଣ୍ଟିଫିକ ଟିମ ଟେଂସା ଅଭିମୁଖେ ବାହାରିଛି। ସୁରକ୍ଷା କର୍ମଚାରୀ ମୁତୟନ ଥିବା ସତ୍ତ୍ବେ ଦୁର୍ଗମ ଖଣି ଅଞ୍ଚଳରେ ଚୋରମାନେ ଏକ କାଳୀନ ୬ଟି କ୍ୱାର୍ଟସରେ ଚୋରି କରିବା କଲୋନୀବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଗେଟରେ କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ କେମିତି ଚୋରମାନେ ଗେଟ ପାରି ହୋଇ କଲୋନୀ ଭିତରକୁ ପଶିଲେ ତାକୁ ନେଇ ପ୍ରଶ୍ନ ଉଠିଛି।