ବ୍ୟାସନଗର: ବ୍ୟାସନଗର ସହରରେ ବଢ଼ି ଚାଲିଛି ଚୋରି, ରାହାଜାନି। ସହର ମଝିରେ ଜନଗହଳି ସ୍ଥାନରୁ ଚେନ୍‌ ଝାମ୍ପିନେବା ପରି ଘଟଣା ଘଟୁଥିଲେ ବି ଲୁଟେରା ଧରାନପଡ଼ିବା ଘଟଣା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ପୌରାଞ୍ଚଳର ୪ ନଂ ୱାର୍ଡରେ ଗତ ତେରଦିନ ମଧ୍ୟରେ ଏକାଧିକ ଲୋକଙ୍କ ଘରୁ ଚୋରି ହୋଇଛି। ଏଭଳି ନିୟମତି ଚୋରି ୱାର୍ଡବାସୀଙ୍କ ନିଦ ହଜାଇ ଦେଲାଣି। ଲକ୍ଷ୍ମୀନଗରବାସୀଙ୍କ ମଧ୍ୟରେ ଚୋରଙ୍କୁ ନେଇ କୋକୁଆଭୟ ଖେଳିଯାଇଛି। ଏଠାକାର ବାସିନ୍ଦା ସରୋଜ ମହାନ୍ତି ସପରିବାର କୌଣସି କାର୍ଯ୍ୟରେ ନିଜ ଗ୍ରାମକୁ ଯାଇଥିଲେ। ଏହାର ସୁଯୋଗ ନେଇ  ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର ଗ୍ରିଲ ଓ କବାଟର ୭ ଟି ତାଲା ଭାଙ୍ଗି ଲାପ୍‌ଟପ, ଟଙ୍କା, ସୁନା, ମୋବାଇଲ ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଛନ୍ତି। ଚୋରମାନେ ନିକଟସ୍ଥ ପଡ଼ୋଶୀଙ୍କ ଘର ଆଗରେ ତାଲା ପକାଇ ବାହାରୁ ବନ୍ଦ କରି ଦେଇଥିଲେ। ଅଜୟ ପଣ୍ଡାଙ୍କ ଘରେ ପଶିଥିବା ବେଳେ କିଛି ନପାଇବାରୁ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ। ନିଆଁକୁ ଦେଖି ଲୋକମାନେ ହୋହଲ୍ଲା କରିବାରୁ ଚୋରମାନେ ପାଚେରି ଡେଇଁ ପଳାଇ ଯାଇଥିଲେ। ମୋବାଇଲ ଫୋନ ଓ ଚପଲ ଛାଡ଼ି ଚାଲି ଯାଇଥିଲେ।

Advertisment

ଏ ସଂକ୍ରାନ୍ତରେ ସରୋଜ ଯାଜପୁର ରୋଡ୍‌ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଓ ଚପଲ ଜବତ କରିଛି। ଅଭିଯୁକ୍ତଙ୍କ ଟେର ପାଇନାହିଁ। କିଛିଦିନ ତଳେ ଏହି ୱାର୍ଡରେ ପ୍ରଥମେ ବାବୁରାମ ଧଳଙ୍କ ଦୋକାନ ତାଲା କାଟି ଦୁର୍ବୃତ୍ତମାନେ ଟଙ୍କା, କମ୍ପ୍ୟୁଟର ଓ ବିଭିନ୍ନ ସାମଗ୍ରୀ ଲୁଟିନେଇଥିଲେ। ସେଇଭଳି ବିଭୁ କରଙ୍କ ମଧ୍ୟ ଦୋକାନ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଥିଲେ। ଘଟଣାର ଦୁଇଦିନ ପରେ ସେଇ ଗ୍ରାମର ପ୍ରଶାନ୍ତି ବ୍ରହ୍ମ ଓ ପ୍ରହଲ୍ଲାଦ ବ୍ରହ୍ମଙ୍କ ଘର ତାଲା କାଟି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଥିଲେ। ଫେରୋକ୍ରମ ପାଚେରି କଡ଼ରୁ ଶାନ୍ତି ମହାନ୍ତିଙ୍କ ଘରୁ ଚୋରି ହୋଇଥିଲା। ଆଉ ଦୁଇଜଣଙ୍କ ଘରୁ ମଧ୍ୟ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଜିନିଷ ଚୋରି ହୋଇଥିଲା। ଏସବୁ ଘଟଣାରେ ଥାନାରେ ଏତଲା ହୋଇଥିଲେ ମଧ୍ୟ ଏଯାଏ ଚୋରଙ୍କୁ ଧରିବାରେ ପୁଲିସ ସଫଳ ହୋଇନଥିବା ଲକ୍ଷ୍ମୀନଗର ବାସିନ୍ଦା ଅଭିଯୋଗ କରିଛନ୍ତି। ବାହାର ରାଜ୍ୟରୁ ଆସି ଗୃହ କାର୍ଯ୍ୟ କରୁଥିବା ଲୋକମାନେ ଏହି ଚୋରିରେ ସାମିଲ ଥିବା ନେଇ କୁହାଯାଉଛି। ପୁଲିସ ସେମାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା ସହ ତଦନ୍ତ କରି ଚୋରଙ୍କୁ ଧରିବାକୁ ଦାବି ହୋଇଛି।