ଖୋର୍ଦ୍ଧା : ସୋମବାର ଦିନ ଖୋର୍ଦ୍ଧା ସହର ଓ ଉପକଣ୍ଠରେ ଏକାଧିକ ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତେବେ ଏସମ୍ପର୍କରେ ପୁଲିସକୁ ସୂଚିତ କରିବା ପରେ ମଧ୍ୟ ପୁଲିସ ତତ୍ପରତା ପ୍ରକାଶ କରୁନଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆଜି ଅପରାହ୍ଣରେ ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରୁ କୋର୍ଟରେ ଓକିଲ କିରାଣୀ ଭାବେ କାମ କରୁଥିବା ଅରୁଣ କୁମାର ପାଣିଗ୍ରାହୀଙ୍କ ହିରୋ ସିବିଜେଡ୍ ମୋଟର ସାଇକଲ୍ (ଓଆର୍୦୨ଏକ୍ୟୁ ୯୮୬୧)କୁ କେହି ଚୋରାଇ ନେଇଛନ୍ତି। ଅରୁଣଙ୍କ ଅଭିଯୋଗ ଅନୁସାରେ, ଅପରାହ୍ଣରେ ସେ ଘରୁ କୋର୍ଟକୁ ଆସିଥିଲେ। ପରିସର ମଧ୍ୟରେ ଥିବା ଗଣେଶ ମନ୍ଦିର ପାର୍ଶ୍ବରେ ମୋଟରସାଇକେଲଟି ରଖି ନିଜ କାମରେ କୋର୍ଟକୁ ଯାଇଥିଲେ। ସେଠାରୁ ପ୍ରାୟ ୧ ଘଂଟା ପରେ ଫେରି ନିଜର ମୋଟରସାଇକେଲ୍ଟି ନଥିବା ଦେଖିଥିଲେ। ଅନେକ ଖୋଜାଖୋଜି କରିବା ପରେ ନପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୋର୍ଟ ପରିସରରୁ ଏଭଳି ମୋଟରସାଇକେଲ ଚୋରି ହେବା ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ସେହିଭଳି ଦଳଇେପୁଟ ନିକଟ କେଏମ୍ବିବି ମହାବିଦ୍ୟାଳୟ ଛକ ନିକଟରେ ଦୁଇଜଣ ଲୁଟେରାଙ୍କୁ ମହାବିଦ୍ୟାଳୟର ଛାତ୍ର ଓ ସ୍ଥାନୀୟ ଲୋକମାନେ କାବୁ କରି ୧୬ ନମ୍ବର ଜାତୀୟ ରାଜପଥ ପୁଲିସ ପାଟ୍ରୋଲିଂ ଟିମ୍କୁ ହସ୍ତାନ୍ତର କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା କଥା କେଏମ୍ବିବିର ୨–୩ଜଣ ଛାତ୍ର ରାସ୍ତାକଡ଼ରେ ଠିଆ ହୋଇଥିଲେ। ଏହି ସମୟରେ ତିନିଜଣ ଯୁବକ ସେଠାରେ ପହଂଚି ସେମାନଙ୍କୁ ଆକ୍ରମଣ କରିବା ସହ ଦୁଇଟି ମୋବାଇଲ୍ ଛଡ଼ାଇ ନେଇଯାଇଥିଲେ। ଛାତ୍ରମାନେ ପାଟି କରିବାରୁ ଆଖପାଖ ଗାଁ’ର ଲୋକମାନେ ଲୁଟେରାଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିଲେ। ଏନେଇ ସେମାନେ ସଦର ଥାନାକୁ ଫୋନ୍ କରି ଜଣାଇଥିଲେ। ପ୍ରାୟ ୧ ଘଂଟା ପରେ ରାଜପଥ ପାଟ୍ରୋଲିଂ ଟିମ୍ ଆସି ସେମାନଙ୍କୁ ଧରି ନେଇଥିଲେ। ଏନେଇ ଥାନାରେ ବର୍ତ୍ତମାନ ସୁଦ୍ଧା କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/mobile-loot.jpg)