ସମ୍ବଲପୁରରେ ସିରିଜ୍‌ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର

ସମ୍ବଲପୁର : ରବିବାର ଅପରାହ୍ଣରେ ସମ୍ବଲପୁର ସହରର ଜିଲ୍ଲାସ୍କୁଲ ଛକରେ ଏକ ବରଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ୨ଟି ଅଟୋ ଓ ୨ଟି ବାଇକ୍‌କୁ ଧକ୍କା ଦେଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ମାୟାବଗିଚା ଅଞ୍ଚଳର ସୁପ୍ତି ଦାଶଗୁପ୍ତା(୮୧)। ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଥି ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ହେଲେ କୁମ୍ଭାରପଡ଼ାର ଅଟୋ ଚାଳକ ଶେଖ୍‌ ସକିଲ(୩୫), ସାକ୍ଷୀପଡ଼ାରେ ରହୁଥିବା ବେନେଟ କମ୍ପାନିର ଇଞ୍ଜିନିୟର ତନ୍ମୟ ମହାରଣା(୩୫) ଓ କୁମ୍ଭାରପଡ଼ାର ଚିଣ୍ଟୁ ଘୋଷ(୩୪)। ଦୁର୍ଘଟଣା ଘଟାଇ ବସ୍‌ଟି ପେନ୍‌ସନ ପଡ଼ା ରାସ୍ତା ଦେଇ ‌ଚାଲିଯାଉଥିବା ବେଳେ ସେନ୍‌ପାର୍କ ସମ୍ମୁଖରେ ସ୍ଥାନୀୟ ଲୋକେ ବାଇକ୍‌ ଥୋଇ ରାସ୍ତା ଅବରୋଧ କରିଦେଇଥିଲେ। ଫଳରେ ଡ୍ରାଇଭର ଘଟଣାସ୍ଥଳରେ ବସ୍‌ଛାଡ଼ି ଫେରାର୍‌ ହୋଇଯାଉଥିଲା। ଉତ୍ତ୍ୟକ୍ତ ଲୋକେ ବସ୍‌ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାକୁ ମଧ୍ୟ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ଧନୁପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପରେ ବସ୍‌ ଚାଳକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ନୂଆପାଲି ଗାଁର ସୁରୁ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଦୁର୍ଘଟଣା ଘଟାଇଥିବା ବସ୍‌ଟି ସମ୍ବଲପୁର ଗୋଲବଜାର ନିବାସୀ ଶୈଳେନ୍ଦ୍ର ସିଂଙ୍କ ପତ୍ନୀ ମମତା ସିଂଙ୍କ ନାମରେ ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଜେଲ ଛକ ଓ ସେନପାର୍କ ନିକଟରେ ୧ ପ୍ଲାଟୁନ୍‌ ଫୋର୍ସଙ୍କୁ ମଧ୍ୟ ମୁତୟନ କରାଯାଇଛି।

ସୂଚନା ମୁତାବକ, ସମ୍ବଲପୁରର ଉଷା ବସ୍‌(ଓଆର୍‌ ୧୫ ପି ୪୬୩୬) ବୃକ୍ସହିଲ ହନୁମାନ ମନ୍ଦିରରେ ଚାଲିଥିବା ଏକ ବିବାହ ପାଇଁ ବରଯାତ୍ରୀ ନେଇ ଆସିଥିଲା। ଅପରାହ୍ଣ ପ୍ରାୟ ୫ଟା ବେଳେ ବସ୍‌ଟି ୧୦ ଜଣ ଯାତ୍ରୀଙ୍କୁ ନେଇ ବୃକ୍ସହିଲ ପାହାଡ଼ ଉପରୁ ତଳକୁ ଖସୁଥିବା ବେଳେ ନିୟନ୍ତ୍ରଣ ହରାଇ ବସିଥିଲା ଓ ପ୍ରଥମେ ଛକରେ ଥିବା ଏକ କାଠ ଦୋକାନୀଙ୍କ ଆଡ଼କୁ ମାଡ଼ି ଯାଇଥିଲା। ସୌଭାଗ୍ୟବଶତଃ ସେ ସତର୍କ ହୋଇଯିବାରୁ ଦୁର୍ଘଟଣା‌ରୁ ବର୍ତ୍ତି ଯାଇଥିଲେ। ଏହି ସମୟରେ ଛକ ଉପରେ ଥିବା ଚା’ ଦୋକାନ ସମ୍ମୁଖରେ ବାଇକ୍‌ ଉପରେ ବସି ଚା’ ପିଉଥିବା ଚିଣ୍ଟୁଙ୍କୁ ଧକ୍କା ଦେବା ଫଳରେ ସେ ପ୍ରାୟ ୨୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ। ଏହାପରେ ଭୂତାପଡ଼ା ଛକରୁ ଲକ୍ଷ୍ମୀ ଟକିଜ ପଟକୁ ଆସୁଥିବା ଏକ ଅଟୋ(ଓଆର୍‌ ୧୫ ୭୪୦୬)କୁ ବସ୍‌ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଡ୍ରାଇଭର ଶେଖ୍‌ ସକିଲ ଓ ଯାତ୍ରୀ ସୁପ୍ତି ଦାଶଗୁପ୍ତା ମଧ୍ୟ ଘୋଷାଡ଼ି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ସୁପ୍ତିଙ୍କର ମୃତ୍ୟୁ ଘଟିଥିଲା। ଠିକ୍‌ ସେହି ସମୟରେ ଲକ୍ଷ୍ମୀଟକିଜ ପଟରୁ ଜିଲ୍ଲା ସ୍କୁଲ ବୁଲାଣି ଦେଇ ଫେରୁଥିବା ଇଂ ତନ୍ମୟ ମହାରଣାଙ୍କ ବାଇକ୍‌କୁ ମଧ୍ୟ ବସ୍‌ ଧକ୍କା ଦେଇଥିଲା। ଏହି ଘଟଣାରେ ତନ୍ମୟ ତଳେ ପଡ଼ିଯାଇଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ବସ୍‌ଟି ପେନସନ୍‌ ପଡ଼ାଆଡ଼କୁ ମୁହାଁଇବା ପରେ ସେଠାରେ ଥୁଆ ହୋଇଥିବା ଏକ ନମ୍ବର ବିହୀନ ନୂଆ ଡାଲା ଅଟୋକୁ ଧକ୍କା ଦେଇଥିଲା। ଏହି ଘଟଣା ପରେ ବସ୍‌ରେ ଥିବା ସମସ୍ତଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଡ୍ରାଇଭର ନିଜ ଜୀବନ ବଞ୍ଚାଇବାକୁ ଯାଇ ବସ୍‌ଟିକୁ ସେନ୍‌ପାର୍କ ଆଡ଼କୁ ନେଇଯାଇଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଗୋଡ଼ାଇବା ସହ କିଛି ଯୁବକ ସେନପାର୍କ ସମ୍ମୁଖରେ ରାସ୍ତା ଉପରେ ବାଇକ୍‌ ଥୋଇ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର