ତପସ୍ୱିନୀ ପଟ୍ଟନାୟକ ମୃତ୍ୟୁ ଘଟଣା: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ସଂଗିନ ଅଭିଯୋଗ

ପୁଲିସ ଶୁଣିଲାନି, କୋର୍ଟ ନିର୍ଦେଶରେ ରୁଜୁ ହେଲା ମାମଲା, ଆସୁଛି ଧମକପୂର୍ଣ୍ଣ କଲ୍‌

ଭୁବନେଶ୍ୱର : ୧୮ବର୍ଷ ତଳର ନୟାଗଡ଼ ତପସ୍ୱିନୀ ପଟ୍ଟନାୟକ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ତପସ୍ବିନୀଙ୍କୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାଁ ଯୋଡ଼ିହେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡ଼ା। ତାଙ୍କ ନାମରେ ଏଭଳି ସଂଗିନ ମାମଲା ଯୋଡ଼ି ‌ହେବା ପରେ ବ୍ଲକ ସଭାପତିଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି।

ତପସ୍ୱିନୀ ଓ ଗୟାଧରଙ୍କ ଘର ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଗ୍ରାମର ଶୁକପୋଖରୀ ସାହିରେ। ତେବେ ବାପୁଜୀନଗର ଅଞ୍ଚଳର ରବି ନାୟକ ଘଟଣା ବିଷୟରେ ଜାଣିବା ପରେ ଗତ ଏପ୍ରିଲ୍‌ ୬ରେ ପ୍ରଥମେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା। ତେଣୁ ଏନେଇ ସେ ଭୁବନେଶ୍ଵର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ୟାପିଟାଲ ଥାନା ପୁଲିସ ଗୟାଧରଙ୍କ ନାମରେ କେସ୍‌ ନଂ-୨୭୯/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗରେ ଦର୍ଶାଯାଇଛି ଯେ, ଗତ ଏପ୍ରିଲ୍‌ ୫ରେ ରବି ଏୟାରପୋର୍ଟ ଛକ ନିକଟରେ ତାଙ୍କ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ୩ ଜଣ ବ୍ୟକ୍ତି ତାଙ୍କ ପାଖରେ ପହଞ୍ଚି ଏୟାରପୋର୍ଟ ପାଖ ଜଙ୍ଗଲ ଓ ବିଭିନ୍ନ ସ୍ଥାନ ବିଷୟରେ ପଚାରିଥିଲେ। ଜଙ୍ଗଲରେ କ’ଣ ଅଛି ବୋଲି ରବି ପଚାରିବାରୁ ସେମାନଙ୍କ ପାଟି ଖନି ମାରିଯାଇଥିଲା। ସେମାନେ ଯେଭଳି କିଛି କହିବାକୁ ପ୍ରସ୍ତୁତ ନଥିଲେ। ପରେ କହିଥିଲେ ଯେ, ଗୟାଧର ତପସ୍ବିନୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମଜାଲରେ ଫସାଇବା ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରି କି ଏକାଧିକ ଥର ବଳପୂର୍ବକ ବେଆଇନ ଭାବେ ଗର୍ଭପାତ ମଧ୍ୟ କରାଇଥିଲେ। ହେଲେ ବିବାହ ନ କରିବାରୁ ତପସ୍ବିନୀ ପ୍ରତିବାଦ କରି ଗୟାଧରଙ୍କ ସହ ସମ୍ପର୍କ କାଟି ଦେଇଥିଲେ। ତପସ୍ବିନୀ ଜଣେ ଉଚ୍ଚଶିକ୍ଷିତ ଝିଅ ହୋଇଥିବାରୁ କାଳେ ସେ ଘଟଣା ବିଷୟରେ ଅନ୍ୟ‌ କେଉଁଠି ପ୍ରକାଶ କରିଦେବେ ସେ ଭୟ ଗୟାଧରଙ୍କୁ ଘାରିଥିଲା। ଯେଭଳି ଘଟଣା ପ୍ରଘଟ ନ‌ହୁଏ ସେଥିପାଇଁ ଗୟାଧର ଯୋଜନା କରିଥିଲେ। ସହଯୋଗୀଙ୍କ ସହ ମିଶି ଗାଁ ନିକଟରୁ ତପସ୍ବିନୀଙ୍କୁ ଅପହରଣ କରିଥିଲେ। ତପସ୍ବିନୀଙ୍କୁ ବଞ୍ଚାଇବା ପାଇଁ ଉପରୋକ୍ତ ୩ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଚେଷ୍ଟା କରିଥିଲେ ବି ସଫଳ ହୋଇନଥିଲେ। ଗୟାଧର ଓ ସହଯୋଗୀମାନେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେଇ ତପସ୍ବିନୀଙ୍କୁ ନେଇ ଫେରାର୍‌ ହୋଇଯାଇଥିଲେ। ପରେ ଉକ୍ତ ବ୍ୟକ୍ତିଜଣକ ତପସ୍ୱିନୀଙ୍କ ମା’ ରାଜଲକ୍ଷ୍ମୀ ଓ ବାପା ଅଜୟଙ୍କୁ ଘଟଣା ବିଷୟରେ ଜଣେଇଥିଲେ। ଠିକ୍‌ ଏହାର ୩ ଦିନ ପରେ ତପସ୍ବିନୀ ମୃତ ବୋଲି ସେମାନେ ଜାଣିବାକୁ ପାଇଥିଲେ।

୨୦୦୩ ଜାନୁଆରି ୧ରେ ମୃତ୍ୟୁ ହୋଇଥିବା ତପସ୍ବିନୀଙ୍କ ସମାଧିରେ ଉଲ୍ଲେଖ ରହିଛି। ସେହିପରି ଉପରୋକ୍ତ ଅନ୍ୟଜଣେ ବ୍ୟକ୍ତିଙ୍କ କହିବା ହେଲା ସେ ଗୟାଧରଙ୍କ ଜଣେ ଭଲ ବନ୍ଧୁ ଥିଲେ। ଗତ ହୋଲି ପରଦିନ ସାମାନ୍ୟ ବଚସାକୁ କେନ୍ଦ୍ରକରି ଗୟାଧର ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରି କି ତପସ୍ବିନୀଙ୍କୁ ଯେପରି ଏୟାରପୋର୍ଟ ପାଚେରି ପାଖ ଜଙ୍ଗଲରେ ହତ୍ୟା କରିଥିଲି, ସେହିପରି ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏହିସବୁ ଘଟଣା ଶୁଣିବା ପରେ ରବି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିଛି ଶୁଣି ନ ଥିଲା। ତେଣୁ ସେ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟରେ ମାମଲା ପରେ ବିଭିନ୍ନ ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌ ଆସୁଥିବା ସେ କହିଛନ୍ତି। ଘଟଣା ସମ୍ପର୍କରେ ଗୟାଧରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହା ଭିତ୍ତିହୀନ। ମୃତକଙ୍କ ବାପା କିମ୍ବା ମା’ ଅଭିଯୋଗ କରିଛନ୍ତି କି? ଯଦି କରିନାହାନ୍ତି; ତେବେ ଯିଏ ଅଭିଯୋଗ କରିଛି ସେ ଜାଣିଥିବେ କ’ଣ ଘଟିଥିଲା।

ଅନ୍ୟପଟେ ଏନେଇ କ୍ୟାପିଟାଲ ଥାନା ଅଧିକାରୀ ଗିରିଜାଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୟାଧରଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର