ଗୁଗୁଲ୍‌ ମ୍ୟାପ୍‌ରେ ଗୁରୁତର ବିଭ୍ରାଟ: ଆନ୍ଧ୍ରରେ ଗଞ୍ଜାମର ପାତିସୁନାପୁର ଗାଁ ଓ ପୁନାପୁର ବିଚ୍‌

ବ୍ରହ୍ମପୁର : ଓଡ଼ିଶା-ଆନ୍ଧ୍ର ସୀମା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌। ଏହି ବ୍ଲକ୍‌ ଅଧୀନରେ ରହିଛି ପାତି ସୁନାପୁର ଗାଁ। ଏହାଛଡ଼ା ରାଜ୍ୟର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନସ୍ଥଳୀ ସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା ନେଇ କାମ ଆଗେଇ ଚାଲିଛି। ଓଡ଼ିଶା ମାନଚିତ୍ରରେ ଥିବା ଏହି ଗାଁ ଓ ବେଳାଭୂମି ଆନ୍ଧ୍ରରେ ରହିଥିବା ଗୁଗୁଲ୍‌ ମ୍ୟାପ୍‌ ଦର୍ଶାଉଛି। ଗୁଗୁଲ୍‌ ମ୍ୟାପ୍‌ର ଏଭଳି ଗୁରୁତର ବିଭ୍ରାଟ ଯୋଗୁଁ ସାଧାରଣ ଲୋକେ ମଧ୍ୟ ଦ୍ବନ୍ଦ୍ବରେ ପଡ଼ି ଯାଉଛନ୍ତି। ତୁରନ୍ତ ଏଭଳି ତ୍ରୁଟି ସୁଧାରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗୁଲ୍‌ ମ୍ୟାପ୍‌ ଏକ ସହଜ ଓ ସୁବିଧା ମାଧ୍ୟମ। ଏହି ମ୍ୟାପ୍‌ ଜରିଆରେ ପୃଥିବୀର ଯେ କୌଣସି ସ୍ଥାନ ସମ୍ପର୍କରେ ସୂଚନା ମିଳିପାରୁଛି। ଏପରିକି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ଜାଗାକୁ କେତେ ଦୂରତା ରହିଛି ତାହା ମଧ୍ୟ ଜଣାପଡ଼ି ଯାଉଛି। କିନ୍ତୁ କେତେକ ସମୟରେ ଭୁଲ୍‌ ତଥ୍ୟ ମିଳୁଥିବାରୁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ମ୍ୟାପ୍‌ରେ ଓଡ଼ିଶାର ଏକ ଗାଁ ଆନ୍ଧ୍ରରେ ରହିଥିବା ଦର୍ଶାଉଛି। ଯାହାକୁ ନେଇ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୁନାପୁର ବେଳାଭୂମିକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରି ‘ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପ୍ରଦାନ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ପର୍ଯ୍ୟଟନ ବିଭାଗ ଓ ପରିବେଶ ବିଭାଗର ମିଳିତ ଆନୁକୂଲ୍ୟରେ ବ୍ଲୁ-ଫ୍ଲାଗ୍‌ ବେଳାଭୂମି ପାଇଁ କାମ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ସାଢ଼େ ୭କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉନ୍ନୟନମୂଳକ କାମ ଜାରି ରହିଛି। କିନ୍ତୁ ଏହି ବେଳାଭୂମି ଏବେ ଆନ୍ଧ୍ରରେ ରହିଥିବା ନେଇ ଗୁଗୁଲ୍‌ ମ୍ୟାପ୍‌ରେ ଦେଖାଯାଉଛି। ଗଞ୍ଜାମ ଜିଲ୍ଲାରେ ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଲୋକେ ଗୁଗୁଲ୍‌ ମ୍ୟାପ୍‌ରେ ସୂଚନା ପାଇବା ବେଳେ ତାହା ଆନ୍ଧ୍ରରେ ରହିଥିବା ନେଇ ଭ୍ରାନ୍ତ ଧାରଣା ସୃଷ୍ଟି ହେଉଛି। ଏଣୁ ଏଭଳି ତ୍ରୁଟିକୁ ସଂଶୋଧନ କରିବା ଦିଗରେ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର