ଭୁବନେଶ୍ବର : ୱିକିପିଡିଆରେ ଗୁରୁତର ତ୍ରୁଟି। ଓଡ଼ିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ବହୁ ମିଛ ଓ କପୋଳକଳ୍ପିତ ତଥ୍ୟ ଲେଖାଯାଇଛି। ସିଦ୍ଧାନ୍ତ ମହାପାତ୍ର କୁଆଡ଼େ ବଲିଉଡ୍ ଅଭିନେତ୍ରୀ ଫରାହ ନାଜ୍ଙ୍କ ଭିଣୋଇ। ଖାଲି ସେତିକି ନୁହେଁ ସେ କୁଆଡ଼େ ୧୯୯୩ ମସିହାରେ ପ୍ରଥମେ ମାଲାୟାଲମ୍ ଅତିନେତ୍ରୀ ମାଲ୍ଲୁ ମାରିଆ (ମରିୟମ୍ ନାଜ୍)ଙ୍କୁ ବିବାହ କରିଥିଲେ। ଆହୁରି ମଧ୍ୟ ପ୍ରଥମ ବିବାହରୁ ତାଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏହାପରେ ୨୦୦୪ ମସିହାରେ ସେ କନ୍ନଡ଼ ଅଭିନେତ୍ରୀ ମାୟେଶା ତସ୍ଲିମ୍ ହାସ୍ମିଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କ ଝିଅ ସାଇସିଦ୍ଧି ମହାପାତ୍ର ଓ ପୁଅ ସାଇସମର୍ଥ ମହାପାତ୍ର ହୋଇଥିବା ୱିକିପିଡିଆରେ ଉଲ୍ଲେଖ ରହିଛି।
ଏହି ପ୍ରସଙ୍ଗ ଏଇଥିପାଇଁ ଚର୍ଚ୍ଚାକୁ ଆସିଛି ଯେ କିଛିଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ବୋଲର ଅର୍ଶଦୀପ ସିଂହଙ୍କ ୱିକିପିଡିଆ ପେଜ୍କୁ ଦୁବୃର୍ତ୍ତମାନେ ଏଡିଟ୍ କରି ଦେଇଥିଲେ। ଏସିଆ କପ୍ରେ ଏକ କ୍ୟାଚ୍ ହାତଛଡ଼ା କରିବାକୁ ନେଇ ଅର୍ଶଦୀପଙ୍କୁ ଖଲିସ୍ତାନୀ ସଂସ୍ଥା ସହିତ ଯୋଡ଼ା ଯାଇଥିଲା। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଏହାର ତନାଘନା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏଡିଟ୍ କରାଯାଇଥିବା ଆଇପି(ଇଣ୍ଟରନେଟ୍ ପ୍ରୋଟୋକଲ) ଆଡ୍ରେସ ପାକିସ୍ତାନରୁ ହୋଇଥିବା ନଜରକୁ ଆସିଥିଲା।
ସାଧାରଣତଃ ବିଭିନ୍ନ ବିଷୟବସ୍ତୁ ବା ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଜାଣିବାପାଇଁ କୋଟି କୋଟି ଦର୍ଶକ ୱିକିପିଡିଆ ଉପରେ ନିର୍ଭରଶୀଳ। ଏଭଳି ପରିସ୍ଥିତିରେ ଓଡ଼ିଶାର ଜଣେ ଆଗଧାଡ଼ିର ତାରକା ତଥା ପୂର୍ବତନ ସାଂସଦଙ୍କ ସମ୍ପର୍କରେ ଏଭଳି ବିଭ୍ରାନ୍ତିକର ତଥ୍ୟ ୟୁଜର୍ସଙ୍କୁ ଭୁଲ୍ ତଥ୍ୟ ଦେଉଥିବା ବେଳେ ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି। ବର୍ଷବର୍ଷ ଧରି ଏଭଳି ଭୁଲ୍ ତଥ୍ୟ ୱିକିପିଡିଆରେ ରହିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ହୋଇଥିବା ବେଳେ ଏନେଇ ୱିକିପିଡିଆର କଣ୍ଟେଣ୍ଟ୍ ରାଇଟର୍ମାନେ ଦୃଷ୍ଟି ନ ଦେବା ବା ଏହାକୁ ସଠିକ୍ ଭାବେ ସମ୍ପାଦନା କରିବା ଆହୁରି ଦୁର୍ଭାଗ୍ୟଜନକ।
/sambad/media/post_attachments/wp-content/uploads/2022/11/ssss-750x430.jpg)
ୱିକିପିଡିଆର ତଥ୍ୟ ଅନୁଯାୟୀ ସିଦ୍ଧାନ୍ତ ମହାପାତ୍ରଙ୍କ ୬ ଜଣ ସନ୍ତାନ ଅଛନ୍ତି। କିନ୍ତୁ ଅସଲରେ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ଜଣେ ହିଁ କନ୍ୟା ସନ୍ତାନ ସାଇସିଦ୍ଧି ଅଛନ୍ତି। ୱିକିପିଡିଆ ତଥ୍ୟ କହୁଛି ସାଇସମର୍ଥ ମହାପାତ୍ର ହେଉଛନ୍ତି ସିଦ୍ଧାନ୍ତ ଓ ମାୟେଶା ତସ୍ଲିମ୍ ହାସିମ୍ଙ୍କର ପୁଅ। କିନ୍ତୁ ବାସ୍ତବରେ ସାଇସମର୍ଥ ମହାପାତ୍ର ହେଉଛନ୍ତି ସିଦ୍ଧାନ୍ତଙ୍କ ସାନ ଭାଇ ଚିତ୍ତରଞ୍ଜନ ମହାପାତ୍ରଙ୍କ ପୁଅ; ଯାହାକୁ କି ସିଦ୍ଧାନ୍ତ ନିଜ ପୁଅ ଭାବେ ଲାଳନପାଳନ କରିଛନ୍ତି। ଅସଲ ତଥ୍ୟର ଯାଞ୍ଚ୍ ନ କରି ୱିକିପିଡିଆର ରାଇଟରମାନେ ମନଇଚ୍ଛା ତଥ୍ୟ ଦେବା ଆଦୌ ଗ୍ରହଣୀୟ ହୋଇନଥିବା ବେଳେ ଏହା ଅନ୍ୟକୁ ଅସମ୍ମାନିତ କରୁଛି ବୋଲି ସିଦ୍ଧାନ୍ତଙ୍କ ପ୍ରଶଂସକମାନେ ମତ ରଖିଛନ୍ତି।
ଏ ନେଇ ସିଦ୍ଧାନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି, ୱିକିପିଡିଆରେ ଯିଏ ଯାହା ଚାହୁଁଛି ଲେଖୁଛି, ଯିଏ ଯାହା ପାରୁଛି ସଂଶୋଧନ କରୁଛି। ଏହାଫଳରେ ଭୁଲ୍ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିବା ସହ ଦର୍ଶକଙ୍କ ଆଗରେ ଆମକୁ ଅପଦସ୍ଥ ହେବାକୁ ପଡ଼ୁଛି। ଏଣୁ ଏନେଇ ଏକ କଡ଼ା ନିୟମ ଆସିବା ସହ ୱିକିପିଡିଆ ଏହାର ଉତ୍ତରଦାୟିତ୍ବ ନେବା ଉଚିତ। ନଚେତ୍ ଏଭଳି ଭୁଲ ତଥ୍ୟ ଅଧିକରୁ ଅଧିକ ପ୍ରସାରିତ ହେବ ଓ ଏହା ଜଣଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବିଶୃଙ୍ଖଳିତ କରିପକାଇବ ବୋଲି ସିଦ୍ଧାନ୍ତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/sidharth-mohapatra-fff.jpg)