ପୁରୀ ଜିଲ୍ଲାରେ ସେରୋସର୍ଭେ ଆରମ୍ଭ, ତିନି ଦିନ ଯାଏଁ ଜାରି ରହିବ ଅଭିଯାନ

ପୁରୀ: କରୋନା ସଂକ୍ରମଣର ୨ୟ ଲହର ନିୟନ୍ତ୍ରିତ ହୋଇ ନଥିବା ବେଳେ ଆଜି ଠାରୁ ପୁରୀ ଜିଲ୍ଲାରେ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି)ଆରମ୍ଭ ହୋଇଯାଇଛି। ଏହା ତିନି ଦିନ ଧରି ଚାଲିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (ଆରଏମ୍‌ଆରସି) ପକ୍ଷରୁ ଏହି ସର୍ଭେ କରାଯାଉଛି।

କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ରାଜ୍ୟର ପୁରୀ ସମେତ ୧୨ଟି ଜିଲ୍ଲାରେ ଏଥିନିମନ୍ତେ ବିଭିନ୍ନ ବୟସସୀମାର ବ୍ୟକ୍ତି ବିଶେଷ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ନମୁନା ସଂଗ୍ରହ କରାଯିବ। ଆଜି ପୁରୀ ପୌରସଂସ୍ଥାର ୮, ୨୦ ଓ ୨୯ ନମ୍ବର ୱାର୍ଡ, ଆସନ୍ତାକାଲି କୃଷ୍ଣପ୍ରସାଦର ସାତପଡା, ବ୍ରହ୍ମଗିରିର କପିଳେଶ୍ୱପୁର, ସତ୍ୟବାଦୀର ବଳପୁର ଓ ଗୋପର ଏରବଙ୍ଗ ଏବଂ ଆସନ୍ତା ୫ ତାରିଖରେ କାକଟପୁର ସୁହାନପୁର, ଡେଲାଙ୍ଗର ବେରବୋଇ ଏବଂ ନିମାପଡାର ବଡମାଛପୁର ପଞ୍ଚାୟତରେ ଏହି ସର୍ଭେ କରାଯିବ। ଏଥିନିମନ୍ତେ ବିଭିନ୍ନ ବୟସ ସୀମାରୁ ୪ ଶହ ଜଣ ଏବଂ ଶହେ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ନମୁନା ସଂଗ୍ରହ କରାଯିବ।

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି। ଆରଏମଆରସି ପକ୍ଷରୁ ଡଃ ଦେବବ୍ରତ ଆଚାର୍ଯ୍ୟ, ଡଃ ଶ୍ରୀକାନ୍ତ କାନୁନଗୋ ଓ ଡଃ ହରିରାମ ଚୌଧୁରୀ ପ୍ରମୁଖ ସାମିଲ ଅଛନ୍ତ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଶା ସଂଯୋଜକ ଅଶୋକ କୁମାର ସାହୁ, ଏପିଏମ୍‌ ସନ୍ତୋଷ କୁମାର ମିଶ୍ର ଓ ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ରହିଛନ୍ତି।

ସମ୍ବନ୍ଧିତ ଖବର