ମାଲକାନଗିରିରେ ସେରୋ ସର୍ଭେ : ପୌରାଞ୍ଚଳର ୫୦% ଲୋକଙ୍କଠାରେ କୋଭିଡ୍‌ ପ୍ରତିଷେଧକ ଶକ୍ତି

ମାଲକାନଗିରି : ମାଲକାନଗିରି ପୌରାଞ୍ଚଳର ୫୦ପ୍ରତିଶତ ଲୋକଙ୍କ ମଧ୍ୟରେ କୋଭିଡ୍‌ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇ ସାରିଲାଣି। ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଆରଏମ୍‌ଆରସି ମିଳିତ ଭାବେ କରିଥିବା ସରୋ ସର୍ଭେରୁ ଏମିତି ତଥ୍ୟ ମିଳିଛି।

ଚଳିତ ମାସ ୬, ୭ ଏବଂ ୮ ତାରିଖ ଦିନ ପୌରାଞ୍ଚଳ ଅନ୍ତର୍ଗତ ୧୯ଟି ୱାର୍ଡରୁ ମୋଟ ୧୬୧୩ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ପୌରପାଳିକା କର୍ମଚାରୀ, ପୁଲିସ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ସ୍ବାସ୍ଥ୍ୟକର୍ମୀ, ସରକାରୀ କର୍ମଚାରୀଙ୍କ ନିକଟରୁ ୫୯୫ଟି ନମୁନା ଏବଂ ବିଭିନ୍ନ ଅଞ୍ଚଳର ବିଭିନ୍ନ ବର୍ଗରୁ ବଳକା ୧୦୧୮ଟି ନମୁନା ସଂଗ୍ରହ କରାଯାଇଥିଲା। ଏହିସବୁ ନମୁନା ପରୀକ୍ଷା ସହ ବିଶ୍ଳେଷଣ ପରେ ସହରର ୫୦ପ୍ରତିଶତ ଲୋକଙ୍କ ନିକଟରେ କୋଭିଡ୍‌ ପ୍ରତିଷେଧକ ଶକ୍ତି ରହିଥିବା ଜଣାପଡ଼ିଛି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଗଣମାଧ୍ୟମକୁ ଜଣାଇଛନ୍ତି। ଅନ୍ୟ ୫୦ପ୍ରତିଶତ ଲୋକଙ୍କ ନିକଟରେ ଏ ପର୍ଯ୍ୟନ୍ତ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇ ନଥିବାରୁ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ସତର୍କ ରହିବା ସହ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସେହିପରି ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଏହି ସର୍ଭେ କରାଯାଇଛି। ସ୍ବତନ୍ତ୍ର ଭାବେ ଚିହ୍ନଟ ୪୨ଟି ଗାଁରୁ ବିଭିନ୍ନ ବର୍ଗର ଲୋକଙ୍କଠାରୁ ଆର୍‌ଏମ୍‌ଆରସି ଟିମ୍ ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ଟିମ୍ ନମୁନା ସଂଗ୍ରହ କରିଛି। ଅତିଶୀଘ୍ର ଏହାର ରିପୋର୍ଟ ହସ୍ତଗତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର