୫ଟି ୱାର୍ଡରେ ସର୍ବାଧିକ ୬୦%
କୋଭିଡ୍ ସଂସ୍ପର୍ଶରେ ଆସିଛନ୍ତି ୫ଲକ୍ଷରୁ ଅଧିକ ଲୋକ
ହର୍ଡ ଇମ୍ୟୁନିଟି ଆଡ଼କୁ ମୁହାଁଉଛି ରାଜଧାନୀ: ବିଶେଷଜ୍ଞ
ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଚିନ୍ତାରେ ରହିଥିବା ରାଜଧାନୀବାସୀଙ୍କ ପାଇଁ ଆସିଛି ଆଶ୍ବସ୍ତ କଲା ଭଳି ଖବର। ଭୁବନେଶ୍ବରର ୫୦ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍-୧୯ ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଛି। ନିକଟରେ ହୋଇଥିବା ସେରୋ ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଯଦି ୨୦୧୧ ଜନଗଣନାକୁ ହିସାବକୁ ନିଆଯାଏ ତା'ହେଲେ ଭୁବନେଶ୍ବରରେ ୫ ଲକ୍ଷରୁ ଅଧିକ ଲୋକ ସାର୍ସ-କୋଭ-୨ ବା କୋଭିଡ୍-୧୯ ସଂସ୍ପର୍ଶରେ ଆସିଛନ୍ତି ବୋଲି ଧରିବାକୁ ହେବ। ତେବେ ବଳକା ୫୦ ପ୍ରତିଶତ ଲୋକ ଏବେ ବି ସଂକ୍ରମଣ ନେଇ ସମ୍ବେଦନଶୀଳ ସ୍ଥିତିରେ ଅଛନ୍ତି। ତେଣୁ ଆଗକୁ ଲୋକମାନଙ୍କୁ ପୂର୍ବ ଭଳି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଆଜିର ଏହି ସେରୋ ସର୍ଭେ ରିପୋର୍ଟ ଆସିବା ପରେ ରାଜଧାନୀ ଏକପ୍ରକାର ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ଆଡ଼କୁ ମୁହାଁଉଛି ବୋଲି ବରିଷ୍ଠ ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି।
ଆଜି ସାମ୍ବାଦିକ ସମ୍ମିଳନୀରେ ଆରଏମ୍ଆର୍ସିର ନିର୍ଦେଶିକା ଡା.ସଂଘମିତ୍ରା ପତି କହିଲେ ଯେ ଭୁବନେଶ୍ବରରେ ଏହା ହେଉଛି ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ। ଏହା ପୂର୍ବରୁ ୧୧ ଜୁଲାଇରେ ହୋଇଥିବା ସର୍ଭେରେ ୧.୪୨ ପ୍ରତିଶତ ଓ ଅଗଷ୍ଟ ୨୮ତାରିଖରେ ହୋଇଥିବା ସର୍ଭେରେ ୫.୧ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଥିଲା। ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଚଳିତମାସ ୧୬-୧୮ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଏହି ସର୍ଭେରେ ବିଏମ୍ସିର ୨୫ଟି ୱାର୍ଡକୁ କ୍ଲଷ୍ଟର ଭାବେ ଗଣାଯାଇ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ତେବେ ଏଥିରେ ମାତ୍ର ୧୪୦୩ ଜଣଙ୍କ ଶରୀରରୁ ଏକାଧିକ ପର୍ଯ୍ୟାୟ ରୢାଣ୍ଡମ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।
/sambad/media/post_attachments/wp-content/uploads/2020/10/coronavirus73-1595386199-300x169.jpg)
ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ୱାର୍ଡ ନଂ ୫୫ରେ ଲୋକଙ୍କ ଶରୀରରେ ସର୍ବନିମ୍ନ ୨୮ ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଥିବା ବେଳେ ୱାର୍ଡ ନଂ ୧୬ରେ ୬୩ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି। ୧୦ଟି ୱାର୍ଡରେ ୫୦ ପ୍ରତିଶତ ଆଣ୍ଟିବଡି ଓ ୫ଟି ୱାର୍ଡରେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ଦେଖିବାକୁ ମିଳିଛି। ଯେଉଁ ୱାର୍ଡରେ କମ୍ ପ୍ରତିଶତର ଆଣ୍ଟିବଡି ସୃଷ୍ଟି ହୋଇଛି ସେସବୁ ସ୍ଥାନରେ ଲୋକମାନଙ୍କୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡ଼ିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ସର୍ଭେରେ କୌଣସି ବୟସର ତାରତମ୍ୟ ଦେଖିବାକୁ ମିଳିନାହିଁ। ସବୁ ବୟସର ଲୋକମାନେ ସମାନ ଭାବେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି। ସେହିପରି ଯେଉଁ ଲୋକମାନଙ୍କ ଆଣ୍ଟିବଡି ବିକଶିତ ହୋଇଛି ତହିଁରୁ ୯୦ ପ୍ରତିଶତ ଲୋକଙ୍କ କୌଣସି ପ୍ରକାର ବଡ଼ ଧରଣର ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ଏହାସହ ଯେଉଁମାନଙ୍କର ଆଣ୍ଟିବଡି ବିକଶିତ ହୋଇଛି ତହିଁରୁ ଏକ ତୃତୀୟାଂଶ ଲୋକ ନିଜର ଆର୍ଟିପିସିଆର୍/ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା କରାଇଛନ୍ତି। ଏହା ସତ୍ତ୍ବେ ଆହୁରି ୫୦ ପ୍ରତିଶତ ଲୋକ ଏବେ ବି ଭୂତାଣୁ ପ୍ରତି ସମ୍ବେଦନଶୀଳ ରହିଛନ୍ତି। ଏଥିପାଇଁ ନିୟମିତ ମାସ୍କ ପିନ୍ଧିବା ସହିତ ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ହେବ ବୋଲି ଡା. ପତି କହିଛନ୍ତି।
ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ରଙ୍କ କହିବା ମୁତାବକ, ଭୁବନେଶ୍ବର ଏବେ କରୋନା ପାଇଁ ଏକପ୍ରକାର ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଆଡ଼କୁ ମୁହାଁଇଛି। ମିଳିମିଳା ଏକ ମାତ୍ରାଧିକ ସଂକ୍ରାମକ ରୋଗ ହୋଇଥିବା ବେଳେ ଏଥିପାଇଁ ୮୦-୯୦ ପ୍ରତିଶତ ଲୋକ ସଂକ୍ରମିତ ହେଲେ ହର୍ଡ ଇମ୍ୟୁନିଟି ଆସିଥାଏ। ମାତ୍ର ସାର୍ସ-କୋଭ-୨ ପାଇଁ ୫୦-୬୭ ପ୍ରତିଶତ ସଂକ୍ରମଣ ଆବଶ୍ୟକ। ଏ ଦୃଷ୍ଟିରୁ ଭୁବନେଶ୍ବରରେ ୫୦ ପ୍ରତିଶତ ଲୋକ ସଂକ୍ରମିତ ହେବା ଭଲ ଖବରକୁ ସୂଚାଉଛି। ତଥାପି ଅନ୍ୟ ୫୦ ପ୍ରତିଶତ ଲୋକ ସଂକ୍ରମିତ ହୋଇ ନ ଥିବାରୁ ଏ ନେଇ ଢିଲା କରିବା ଉଚିତ ନୁହେଁ। ଆଗକୁ ଶୀତଦିନ ଆସୁଛି; ତେଣୁ କରୋନାର ଦ୍ବିତୀୟ ଲହରି ପାଇଁ ସତର୍କ ରହିବାକୁ ହେବ। ତେବେ ଭୁବନେଶ୍ବରରେ ଏକପ୍ରକାର ହର୍ଡ ଇମ୍ୟୁନିଟି ସ୍ଥିତି ଆସିଥିବାରୁ ୟୁରୋପର ବିଭିନ୍ନ ଦେଶ ପରି ରାଜଧାନୀରେ କରୋନା ସଂକ୍ରମଣ ଦ୍ବିତୀୟ ଲହରି ଆଶଙ୍କା କମ୍ ବୋଲି ଡା.ମିଶ୍ର କହିଛନ୍ତି।
ଆଇସିଏମ୍ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ର କହିଛନ୍ତି ଯେ ସାର୍ସ-କୋଭ-୨ ପାଇଁ ଅତିକମ୍ରେ ୮୦-୯୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହେବାର ଆବଶ୍ୟକତା ରହିଛି। ଯଦି ଭୁବନେଶ୍ବରରେ ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ଦେଖିବାକୁ ମିଳିଛି ତାହାଲେ ଏବେ ବି ବଳକା ୫୦ ପ୍ରତିଶତ ଲୋକ ସଂକ୍ରମିତ ପ୍ରତି ସମ୍ବେଦନଶୀଳ। ଆହୁରି ମଧ୍ୟ ଯେଉଁ ୱାର୍ଡରେ ୬୦ ପ୍ରତିଶତରୁ ଅଧିକ ଲୋକଙ୍କ ଶରୀରରେ ଆଣ୍ଟିବଡି ରହିଛି ତା' ଅର୍ଥ ସେଠାରେ ଗୋଷ୍ଠୀ ସଂକ୍ରମଣ ନିଶ୍ଚିତ ଭାବେ ହୋଇଛି। ତେବେ ୧୦ଲକ୍ଷରୁ ଅଧିକ ଲୋକଙ୍କ ସେରୋ ସର୍ଭେ ପାଇଁ ୧୪ଶହ ନମୁନାରୁ ବାହାରିଥିବା ଫଳାଫଳକୁ ନେଇ କୌଣସି ପ୍ରକାର ଚୂଡ଼ାନ୍ତ ନିଷ୍କର୍ସରେ ପହଞ୍ଚିବା କଷ୍ଟକର। ଏଥିପାଇଁ ଅଧିକ ସଂଖ୍ୟାରେ ନମୁନା ସଂଗ୍ରହ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଡା.ମହାପାତ୍ର କହିଛନ୍ତି।