ନବରଙ୍ଗପୁର: ପ୍ରକଳ୍ପ ପାଇଁ ବାସଚ୍ୟୁତ ହେଲେ। ଜଳଭଣ୍ଡାରରେ ଲୀନ ହେଲା ୨୦ ହଜାର ଏକରରୁ ଉର୍ଦ୍ଧ୍ବ ଜମି। ଜମି ହରାଇ ସେ ଦିନର ଜମିଦାର ଏବେ ଦିନ ମଜୁରିଆ। କ୍ଷତିପୂରଣ ପ୍ରଦାନରେ ପାତରଅନ୍ତର ଯୋଗୁ ଅଧିକାଂଶ ବିସ୍ଥାପିତ ପରିବାର ଏବେ ଦୁର୍ଦିନରେ। ଇତି ମଧ୍ୟରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ବିତିଲାଣି ୩୦ ବର୍ଷ। ଅଥଚ ବିସ୍ଥାପିତଙ୍କ ଦୁଃଖ ସରୁନି।

Advertisment

୧୯୮୫ ମସିହାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହେଲା। ୧୯୯୦ ରୁ ୧୯୯୨ ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୧୦୫ ଖଣ୍ଡ ଗ୍ରାମର ୬ ହଜାର ୧୩୩ ପରିବାର ବାସଚ୍ୟୁତ ହେଲେ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଗୌଡ଼ଦେଓପାଲ୍ଲି, ମଞ୍ଚାଗାଁ, ଲମତାଗୁଡା, ଅଞ୍ଚଳଗୁମ୍ମା, ବରେହ‌ିପଦର ଓ ତେନ୍ତୁଳିଖୁଣ୍ଟି ପଞ୍ଚାୟତର ୩୪ଟି କ୍ଲଷ୍ଟର ଗ୍ରାମରେ ୧୨ ଶହ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଗଲା। ସେହିପରି ନନ୍ଦାହାଣ୍ଡି ବ୍ଲକରେ ପ୍ରାୟ ୩୦୦ ପରିବାର, କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ଥୁଆମୂଳ ରାମପୁର ବ୍ଲକରେ ୩ ହଜାର ୧୨୧ ପରିବାର, କୋ‌ରାପୁଟ ଜିଲ୍ଲାର ବୋରିଗୁମ୍ମା, ଦଶମନ୍ତପୁର ବ୍ଲକର ବିଭିନ୍ନ ଗ୍ରାମରେ ୧୦୬୧ ପରିବାର ଥଇଥାନ ହୋଇଛନ୍ତି। ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୩୫ ହଜାର ୫୦୦ ଟଙ୍କା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୪୨ ହଜାର ୨୦୦ ଓ ପଞ୍ଚମ ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଥିଲା। ତେବେ କ୍ଷତିପୂରଣ ପ୍ରଦାନରେ ପାତର ଅନ୍ତର କାରଣରୁ ବିସ୍ଥାପିତ ସେମାନଙ୍କ ହକ୍ ପାଇଁ ୩୦ ବର୍ଷ ଧରି ଲଢ଼େଇ ଜାରି ରଖିଛନ୍ତି। ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳ ବିକାଶ ପରିଷଦ ଏହାର ନେତୃତ୍ବ ନେଉଛି।

ପରିଷଦର ସମ୍ପାଦକ ସୁଧୀର ସୁନାଙ୍କ ଦାବି ହେଲା କ୍ଷତିପୂରଣ ପ୍ରଦାନରେ ପାତର ଅନ୍ତର ଦୂର କରିବା ପାଇଁ ଆର୍‌ଡିସିସ୍ତରରେ ୨୦୦୮ ମସିହାରେ ଉଚ୍ଚସ୍ତରୀୟ ବୈଠକ କରାଯାଇ ପୁନଃ କ୍ଷତିପୂରଣ ପ୍ରଦାନ ଲାଗି ପ୍ରାୟ ୧୬ କୋଟି ଟଙ୍କାର ଅଟକଳ ରଖାଯାଇଥିଲା। ଯାହା ଆଜି ସୁଦ୍ଧା ବିସ୍ଥାପିତଙ୍କୁ ମିଳିପାରିନି। କେବଳ ସେତିକି ନୁହେଁ ଯେଉଁ ବିସ୍ଥାପିତ ପରିବାର ସରକାରୀ ଜମିରେ ଘର କରିଛନ୍ତି ଏବଂ ଘରୋଇ ଜମି କିଣି ରହିଛନ୍ତି ଏଯାବତ୍ ବହୁ ପରିବାରଙ୍କୁ ଘରଡ଼ିହ ଜମିର ପଟ୍ଟା ମିଳିପାରୁନି। ଜମିକୁ ଜଳସେଚନ ପାଇଁ କେନାଲ ଓ ଉଠାଜଳସେଚ ପ୍ରକଳ୍ପ ମାଧ୍ୟମରେ ପାଣି ଦେବାର ଘୋଷଣା କରାଯାଇଥିଲେ ମଧ୍ୟ ତାହା ହୋଇପାରିନି।

୧୯୯୪ ମସିହାରେ ବିସ୍ଥାପିତ ପରିବାରଙ୍କୁ ବିଦ୍ୟୁତ୍ ଯୋଗାଣ ପାଇଁ ୧ କୋଟି ୬ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। କିନ୍ତୁ ବିଦ୍ୟୁତ୍ ସଂଯୋଗ ବେଳକୁ ପ୍ରତି ପରିବାର ପିଛା ୫ରୁ ୬ ହଜାର ଟଙ୍କା ଆଦାୟ କରି ସଂଯୋଗ ଦିଆଯାଇଥଇବା ଅଭିଯୋଗ କରିଛନ୍ତି ବିସ୍ଥାପିତ। ଜଳଭଣ୍ଡାର ଆରପାର୍ଶ୍ବରେ ତେନ୍ତୁଳିଖୁଣ୍ଟି ବ୍ଲକର ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିଣିପୁଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଆଦି ୫ ଖଣ୍ଡ ଗ୍ରାମରେ ୯ ଶହ ଲୋକ ରହି ଆସୁଛନ୍ତି। ଏହି ଗ୍ରାମ ଗୁଡିକୁ କେନ୍ଦୁଗୁଡା, ଢ଼େପାଗୁଡା, ପଡାଗଡ ଓ ତଳନାଗି ଘାଟରୁ ୬ କିମି ଜଳଭଣ୍ଡାର ଭିତରେ ଦେଶୀ ଡଙ୍ଗା ସାହାଯ୍ୟରେ ନିତିଦିନିଆ କାର୍ଯ୍ୟ ଓ ସ୍ବାସ୍ଥ୍ୟସେବା ପାଇଁ ଖାତିଗୁଡ଼ା ଓ ତେନ୍ତୁଳିଖୁଣ୍ଟିକୁ ଆସୁଛନ୍ତି। ସରକାରୀ ବୋଟ ରହିଥିଲେ ମଧ୍ୟ ଲୋକଙ୍କ କାମରେ ଲାଗୁନି। ସୂଚନାଯୋଗ୍ୟ, ୨୦୧୩ ମସିହାରେ ଡଙ୍ଗା ବୁଡ଼ି ଯୋଗୁ ଡଙ୍ଗାରେ ଥିବା ୧୯ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ପ୍ରାଣହାନି ହୋଇଥିଲା‌।